ନୂଆପଡ଼ା: ନୂଆପଡା ସହରରେ ଭାଲୁ ଆତଙ୍କର ଅନ୍ତ ଘଟିଛି। ୫ ଦିନରେ ଚାରିଥର ଜିଲ୍ଲାପାଳଙ୍କ ସରକାରୀ ବାସଭବନକୁ ପଶୁଥିବା ଭାଲୁକୁ ଆଜି ଭୋର ୩:୩୦ରେ ବନବିଭାଗ କାବୁ କରିବାରେ ସକ୍ଷମ ହୋଇଛି। ବିଳମ୍ବିତ ରାତିରେ ଯନ୍ତା ସାହାଯ୍ୟରେ ଧରାହେଲା ଭାଲୁ। ଭାଲୁଟି ଲଗାତାର ୫ ଦିନ ହେବ ନୂଆପଡ଼ା ସହରରେ ରାତି ହେଲେ ଆତଙ୍କ ଖେଳାଉଥିଲା। ସନ୍ଧ୍ୟା ହେଲେ ଭୟଭିତ ଅଵସ୍ଥାରେ ରହୁଥିଲେ ନୂଆପଡାବାସୀ।

Advertisment

publive-image

ଅସୁରକ୍ଷିତ ଜଙ୍ଗଲ ତଥା ଖାଦ୍ୟାଭାବ ଯୋଗୁ ସହରାଭିମୁଖୀ ହେଉଥିଲା ଭାଲୁ। ଜିଲ୍ଲାପାଳଙ୍କ ବାସଭବନ ପରିସରରେ ଆମ୍ବ ଗଛ ଥିବାରୁ ଆମ୍ବ ଖାଇବା ପାଇଁ ବାରମ୍ବାର ଭିତରକୁ ପଶୁଥିବା ଅନୁମାନ କରାଯାଉଛି। ୫ ଦିନ ହେବ ଭାଲୁଟି ବନବିଭାଗକୁ ନାକେଦମ କରିଥିଲା। ଶନିବାର ଦିନ ପୂର୍ବପ୍ରସ୍ତୁତି ଅନୁସାରେ ଭାଲୁକୁ ଧରିବା ପାଇଁ ଜିଲ୍ଲାପାଳଙ୍କ ବାସଭବନରେ ଯନ୍ତା ରଖିଥିଲା ବନ ବିଭାଗ। ପୂର୍ଵ ଦିନ ବି ଯନ୍ତା ରଖାଯାଇଥିଲେ ବି ଯନ୍ତାରେ ପଡିନଥିଲା ଜଙ୍ଗଲୀ ଭାଲୁ।

ଆଜି ଭୋର ତିନିଟାରେ ଭାଲୁ ଯନ୍ତାରେ ରଖାଯାଇଥିବା ଆମ୍ବ ଖାଇବା ପାଇଁ ଆସି ଫସିଯାଇଥିଲା। ଯନ୍ତାରେ ପଡିବା ପରେ ଭୀଷଣ ଗର୍ଜନ କରିବାରୁ ସ୍ଥାନୀୟ ଲୋକେ ତଥା ଜିଲ୍ଲାପାଳଙ୍କ ବାସଭବନରେ ଥିବା କର୍ମଚାରୀ ଭୟଭିତ ହୋଇଯାଇଥିଲେ। ସୂଚନା ମତେ ଆଜି ସକାଳେ ଯନ୍ତାରେ ପଡିଥିବା ଭାଲୁଟିକୁ ବନବିଭାଗ ଓ ବନ୍ୟପ୍ରାଣୀ ବିଭାଗ ଉପସ୍ଥିତିରେ ସୁନାବେଡା ଅଭୟାରଣ୍ୟରେ ଛଡାଯିବ ବୋଲି ବନବିଭାଗର ରେଞ୍ଜର ଦିଲ୍ଲୀପ ଚମ୍ପତରାୟ ପ୍ରକାଶ କରିଛନ୍ତି।