ଥାନା ପରିସରରେ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳାଙ୍କ ମୃତ୍ୟୁ

ଯୌତୁକ ନିର୍ଯାତନା ଅଭିଯୋଗ, ସ୍ବାମୀ ଗିରଫ

ଗୋପାଳପୁର : ଗତକାଲି ସଂଧ୍ୟାରେ ଗୋପାଳପୁର ଥାନା ପରିସରରେ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳାଙ୍କ ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ‌ହୋଇଛି। ମାଣ୍ଡିଆପଲ୍ଲୀ ନିକଟସ୍ଥ ଜ୍ୟୋତିନଗରର ଟିକିନା ଦାସ ନାମ୍ନୀ ମହିଳା ଜଣକ କୌଣସି ଅଭିଯୋଗ ନେଇ ନିଜ ୫ବର୍ଷର ପୁଅ ସହ ଗୋପାଳପୁର ଥାନାକୁ ଯାଇଥିଲେ। ହଠାତ୍ ସାଂଗରେ ନେଇ ଯାଇଥିବା କୀଟନାଶକ ଔଷଧ  ବୋତଲ ବାହାର କରି ପିଇ ଦେଇଥିଲେ। ଉପସ୍ଥିତ ମହିଳା ଏଏସ୍‌ଆଇ ପୁଷ୍ପା ମଲ୍ଲିକ କଣ ପିଇଲ ବୋଲି ପ୍ରଶ୍ନ କରିବାରେ ସେ ବିଷ ପିଇ ଦେଇଥିବା କହିଥିଲେ। ଉପସ୍ଥିତ ପୁଲିସ କର୍ମଚାରୀ ମହିଳାଙ୍କ ହାତରୁ କୀଟନାଶକ ଔଷଧ ବୋତଲକୁ ଛଡ଼ାଇ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତରାତି ପ୍ରାୟ ୧୨.୪୫ ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା।

ମିଳିଥିବା ସୂଚନା ଅନୁଯାୟୀ ଗତ କିଛି ମାସ ଧରି ଟିକିନା ଏବଂ ତାଙ୍କ ସ୍ବାମୀ ସୁକାନ୍ତଙ୍କ ମଧ୍ୟରେ ପାରିବାରିକ ବିବାଦ ଲାଗି ରହିଥିଲା। ମହିଳା ଜଣକ ଧାରଉଧାର କରି ବାହାରକୁ ଚାଲିଯାଇଥିଲେ। ଟିକିନା ୯ଦିନ ପୂର୍ବରୁ ଗ୍ରାମକୁ ଫେରିଥିଲେ ବି ସ୍ବାମୀଙ୍କ ସହ ନରହି ନିଜ ବାପା ଘରେ ରହୁଥିଲେ। ପୁଲିସ ପକ୍ଷରୁ ଏଥିନେଇ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି। ଆଜି ମୃତ ଟିକିନାଙ୍କ ମା ସାଇବାଣି ଦାସ ଝିଅକୁ ତାଙ୍କ ଶ୍ବଶୁର ଘର ଲୋକେ ଯୌତୁକ ପାଇଁ ନର୍ଯାତନା ଦେଉଥିବା ନେଇ ଅଭିଯୋଗ କରିଛନ୍ତି।  ଟିକିନାଙ୍କ ସ୍ବାମୀ ସୁକାନ୍ତ ଦାସ ଏବଂ ତାଙ୍କ ପରିବାର ଲୋକେ ଝିଅକୁ ଯୌତୁକ ପାଇଁ ନିର୍ଯାତନା ଦେଉଥିବା ଏଥିରେ ଉଲ୍ଲେଖ କରିଛନ୍ତି। ପୁଲିସ ଏଥିନେଇ ଏକ ମାମଲା ରୁଜୁ କରିବା ସହ ମୃତ ଟିକିନାଙ୍କ ସ୍ବାମୀ ସୁକାନ୍ତ ଦାସକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀ ସୂଚନା ଦେଇଛନ୍ତି। ଶବ ବ୍ୟବଚ୍ଛେଦ ପରେ ଟିକିନାଙ୍କ ଅନ୍ତିମ ସଂସ୍କାର କରାଯାଇଛି।

ସମ୍ବନ୍ଧିତ ଖବର