ଜଟଣୀ : ୟଶୋବନ୍ତପୁର-କାମାକ୍ଷା ଏକ୍ସପ୍ରେସ୍‌ (ଟ୍ରେନ୍ ନଂ ୧୨୫୫୧)ରେ ଜଣେ ମହିଳା ଆଜି ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ବେଙ୍ଗାଲୁରୁରୁ-କାମାକ୍ଷା ଯାଉଥିବା ଏହି ଟ୍ରେନ୍‌ର ବି-୧୪ କୋଚ୍‌ରେ ମହିଳା ଛୁଆଟିକୁ ଜନ୍ମ ଦେଇଥିଲେ। ପ୍ରସବ ପରେ ଉଭୟଙ୍କୁ ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଏବେ ଉଭୟ ମା’ ଓ ପୁତ୍ର ସନ୍ତାନ ସଂପୂର୍ଣ୍ଣ ସୁସ୍ଥ ଥିବା ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି।

Advertisment

ସୂଚନାଯୋଗ୍ୟ ଯେ ମହିଳାଜଣକ ନିଜ ସ୍ବାମୀଙ୍କ ସହ ୟଶୋବନ୍ତପୁର-କାମାକ୍ଷା ଏକ୍ସପ୍ରେସ୍‌ରେ ଯାତ୍ରା କରୁଥିଲେ। ସକାଳ ୭ଟା ୪୫ ମିନିଟ୍‌ରେ ଟ୍ରେନ୍‌ଟି ଖୋର୍ଦ୍ଧା ରେଳ ଷ୍ଟେସନ୍‌‌ରେ ପହଞ୍ଚିବାର ଠିକ୍ ପୂର୍ବରୁ ତାଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା। ଫଳରେ ଷ୍ଟେସନ୍‌ରେ ଟ୍ରେନ୍‌କୁ ରୋକାଯାଇ ତାଙ୍କର ପ୍ରସବ କରାଯାଇଥିଲା। ଖବର ପାଇ ରେଳମଣ୍ଡଳ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ରେଶ୍‌ମା ଓ ତାଙ୍କ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ପ୍ରସବ କରାଇଥିଲେ। ଟ୍ରେନ୍ ଭିତରେ ହିଁ ମହିଳା ଜଣକ ମା’ ହୋଇଥିଲେ। ପରେ ଅଧିକ ଚିକିତ୍ସା ପାଇଁ ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ପ୍ରସବ ବେଳେ ରେଳଷ୍ଟେସନ୍‌ରେ ଆର୍‌ପିଏଫ୍‌ ଥାନା କର୍ମଚାରୀ, ଜିଆର୍‌ପି ଥାନା ପୁଲିସ ଓ ରେଳ ଷ୍ଟେସନର ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।