କେନ୍ଦ୍ରାପଡ଼ା/ମହାକାଳପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ଯେଉଁ ସମୟରେ ଅମ୍ଫାନ ତା'ର ପ୍ରଭାବ ଦେଖାଇବା ଆରମ୍ଭ କରିଥିଲା, ଠିକ୍ ସମୟରେ କେନ୍ଦ୍ରାପଡ଼ାର ମହାକାଳପଡ଼ାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳା ଏକ ଅଗ୍ନିଶମ ଗାଡ଼ିରେ ସନ୍ତାନ ପ୍ରସବ କରିଛନ୍ତି। ଏହି ଘଟଣା ଜଣାପଡ଼ିବା ପରେ ମୁଖ୍ୟମନ୍ତ୍ରୀ ଅଗ୍ନିଶମ ବାହିନୀକୁ ପ୍ରଶଂସା କରିଛନ୍ତି। ସେ ଟୁଇଟ୍ କରି କହିଛନ୍ତି, ଓଡ଼ିଶା ଅଗ୍ନିଶମ ବାହିନୀର ଏପରି ଉତ୍ସର୍ଗୀକୃତ ମାନବୀୟ କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ। ନିଷ୍ଠାପର ଉଦ୍ୟମ ବଳରେ ମା' ଓ ଶିଶୁର ଜୀବନ ରକ୍ଷା କରିଥିବା ସମସ୍ତ ଅଗ୍ନିସେବା କର୍ମଚାରୀଙ୍କୁ ମୋର ସାଧୁବାଦ। ନବଜନ୍ମିତ ଶିଶୁର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି।
ବାତ୍ୟା 'ଅମ୍ଫନ୍' ସମୟରେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାରେ ଓଡ଼ିଶା ଅଗ୍ନିଶମ ବାହିନୀର ଏପରି ଉତ୍ସର୍ଗୀକୃତ ମାନବୀୟ କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ। ନିଷ୍ଠାପର ଉଦ୍ୟମ ବଳରେ ମା' ଓ ଶିଶୁର ଜୀବନ ରକ୍ଷା କରିଥିବା ସମସ୍ତ ଅଗ୍ନିସେବା କର୍ମଚାରୀଙ୍କୁ ମୋର ସାଧୁବାଦ। ନବଜନ୍ମିତ ଶିଶୁର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି। @OdishaFirepic.twitter.com/VqCs4MRV8L
— Naveen Patnaik (@Naveen_Odisha) May 20, 2020
ଘଟଣା ଯେତେବେଳେ ଘଟିଥିଲା, ସେହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୨୦ କିମି ଥିଲା। ସେତେବେଳେ ସକାଳ ପ୍ରାୟ ୯ଟା ସମୟ। ମହାକାଳପଡ଼ା ବ୍ଲକ ଜାଆଁରା ଗ୍ରାମର ହାପିନା ସେଠୀଙ୍କ ପତ୍ନୀ ଜାନକୀ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ପରିବାର ଲୋକେ ୧୦୨ ଓ୍ବୁଲାନ୍ସକୁ ଫୋନ୍ କରିଥିଲେ। ହେଲେ, ରାସ୍ତାରେ ବଡ଼ବଡ଼ ଗଛ ଉପୁଡ଼ି ପଡ଼ିଥିବାରୁ ଆମ୍ବୁଲାନ୍ସ ଆସି ପାରି ନ ଥିଲା। ନିରୁପାୟ ହୋଇ ପରିବାର ଲୋକେ ଶେଷରେ ସ୍ଥାନୀୟ ଅଗ୍ନିଶମ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ କର୍ମଚାରୀଙ୍କୁ ସମସ୍ୟା ସମ୍ପର୍କରେ କହିଥିଲେ। ଜିଲ୍ଲା ମୁଖ୍ୟ ଅଗ୍ନିଶମ କାର୍ଯ୍ୟାଳୟକୁ ଏ ସମ୍ପର୍କରେ ଅବଗତ କରାଯିବା ପରେ ସେଠାରୁ ସବୁଜ ସଙ୍କେତ ମିଳିଥିଲା। ଏହା ପରେ ମହାକାଳପଡ଼ା ଅଗ୍ନିଶମ କର୍ମଚାରୀମାନେ ମହିଳାଙ୍କୁ ଦମକଳ ଗାଡ଼ିରେ ଧରି ମେଡିକାଲ ବାହାରିଥିଲେ। ରାସ୍ତାରେ ପଡ଼ିଥିବା ପ୍ରାୟ ୨୦ଟି ଗଛ କାଟି ସଫା କରିଥିଲେ। ତେବେ ମେଡିକାଲରେ ପହଞ୍ଚିବା ପୂର୍ବରୁ ଦମକଳ ଗାଡ଼ିରେ ମହିଳା ଜଣକ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ଉଭୟଙ୍କୁ ମହାକାଳପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଚିକିତ୍ସା ପରେ ଉଭୟ ସେଠାରେ ସୁସ୍ଥ ଥିବା ଜଣାପଡ଼ିଛି।