ଭିମସାରରେ ଜଣେ ମହିଳାଙ୍କ ୪ ସନ୍ତାନ ପ୍ରସବ 

ବୁର୍ଲା: ଆଜି ଭିମ୍‌ସା୍‌ର୍ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଜଣେ ମହିଳା ଚାରି ଜଣ ଶିଶୁଙ୍କୁ ଜନ୍ମ କରିଥିବା ସୂଚନା ମିଳିଛି। ଚାରିଜଣ ଶିଶୁଙ୍କ ମଧ୍ୟରେ ତିନି ଜଣ ଶିଶୁ କନ୍ୟା ହୋଇଥିବା ଜଣାପଡ଼ିଛି। ମା ଓ ଶିଶୁ ସୁସ୍ଥ ଥିବା ବେଳେ ଶିଶୁମାନଙ୍କୁ ସ୍ତ୍ରୀ ଓ ପ୍ରସୂତି ବିଭାଗ ପାଖରେ ଥିବା ଏସ୍‌ଏନ୍‌ସିୟୁରେ ରଖାଯାଇଛି।

ଡାକ୍ତରଖାନା ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ସୁବର୍ଣ୍ଣପୁର ଜିଲ୍ଲା ବାଞ୍ଜିପାଲି ଗ୍ରାମର ରବୀନ୍ଦ୍ର ବାଗଙ୍କ ପତ୍ନୀ କୁନି ସୁନା ସୋମବାର ଦିନ ପ୍ରସବଜନିତ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଭିମସାର୍ ସ୍ତ୍ରୀ ଓ ପ୍ରସୂତି ବିଭାଗ ଭର୍ତ୍ତି କରାଯାଇଥିଲା। ଆଜି ଦିନ ୨ଟା ସମୟରେ ସେ ଦୁଇଟି ଯାଆଁଳା ଶିଶୁକନ୍ୟା ଜନ୍ମ କରିଥିବା ବେଳେ ୨ଟା ୨ ମିନିଟ୍‌ରେ ଆଉ ଜଣେ ଶିଶୁକନ୍ୟା ଓ ୨ଟା ୪ ମିନିଟ୍‌ରେ ଗୋଟିଏ ଶିଶୁପୁତ୍ରକୁ ଜନ୍ମ କରିଥିଲେ। କୁନିଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍ ଅଛି। ଚାରୋଟି ଶିଶୁ ଏକା ସଙ୍ଗେ ଜନ୍ମ ହୋଇଥିବାରୁ ଶିଶୁମାନଙ୍କ ଓଜନ କମ୍ ରହିଛି। ତେଣୁ, ସେମାନଙ୍କୁ ଏସ୍‌ଏନ୍‌ସିୟୁରେ ଭର୍ତ୍ତି କରାଯାଇଥିବା ନେଇ ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର