ରସୁଲପୁର/ବ୍ରହ୍ମବରଦା : ଯାଜପୁର ସଦର ଥାନା ଅନ୍ତର୍ଗତ ସାମନ୍ତରାପୁର ପଞ୍ଚାୟତ ରସୁଣା ଗ୍ରାମରେ ଘରୋଇ କଳିକୁ କେନ୍ଦ୍ରକରି ଆଜି ସକାଳେ ଜଣେ ମହିଳା ବିଷ ପିଇ ଗୁରୁତର ହୋଇଛନ୍ତି। ମା’କ୍ଷୀର ପିଇଥିବା ତାଙ୍କର ୧ ବର୍ଷର ଶିଶୁକନ୍ୟା ମଧ୍ୟ ବିଷ ପ୍ରଭାବରେ ଗୁରୁତର ହୋଇଛି। ଉଭୟଙ୍କୁ ପ୍ରଥମେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅସୁସ୍ଥ ମହିଳା ହେଲେ ବିଜୟ ସାହୁଙ୍କ ପତ୍ନୀ ରଶ୍ମିତା ସାହୁ।

Advertisment

ମିଳିଥିବା ସୂଚନା ଅନୁସାରେ ଏହି ଗ୍ରାମର କାର୍ତ୍ତିକ ସାହୁଙ୍କ ପରିବାର ନିଜର ପୁରୁଣା ଘରଡିହ ଛାଡି ସେହି ଗ୍ରାମରେ ଥିବା ଅନ୍ୟତ୍ର ଏକ ଜମିରେ ଘର କରି ରହୁଥିଲେ। ଗତକାଲି ତାଙ୍କ ୩ ପୁଅଙ୍କ ମଧ୍ୟରେ ଘରବାଡ଼ି ମାପ ହେଉଥିଲା। ଏହି ଘଟଣାରେ ସାମାନ୍ୟ କଳିତକରାଳ ହୋଇଥିଲା ବୋଲି ଜଣାଯାଇଛି। ଏସବୁ ଘଟଣା ଘଟିଥିଲେ ବି କାର୍ତ୍ତିକ ସାହୁଙ୍କ ସାନପୁଅ ବିଜୟଙ୍କ ପତ୍ନୀ ରଶ୍ମିତା କାହିଁକି ବିଷ ପିଇଲେ ସେ ବିଷୟରେ ନିର୍ଦିଷ୍ଟ ଭାବେ କିଛି ଜଣାପଡ଼ିନାହିଁ। ମହିଳା ଓ ତାଙ୍କର ଶିଶୁକନ୍ୟାର ଚିକିତ୍ସା ପାଇଁ ପରିବାର ଲୋକ କଟକରେ ଥିବାରୁ ପ୍ରକୃତ ଘଟଣା ଜଣାପଡ଼ିନାହିଁ। ଉଭୟ ମା’ଝିଅଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଥିବା ଜଣାଯାଇଛି। ସଦର ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାଯାଇଛି।