ରାକେଶ ରୋଷନ ମହାନ୍ତି

Advertisment

ଅନୁଗୁଳ: ଅନୁଗୁଳ ଜିଲ୍ଲା ରାଜନୀତିରେ ମହିଳାଙ୍କ ସଂପୃକ୍ତି ନୈରାଶ୍ୟଜନକ। ଏଠାରେ ମହିଳାଙ୍କୁ ପ୍ରାର୍ଥୀ କରିବାକୁ ପ୍ରମୁଖ ଦଳଗୁଡ଼ିକ ଗୁରୁତ୍ବ ଦେଉ ନାହାନ୍ତି। ଏପରିକି ପ୍ରାର୍ଥୀ ହେବାକୁ ମହିଳାମାନେ ଆଗ୍ରହୀ ନଥିବା ଦେଖାଯାଇଛି। ସାଧାରଣ ନିର୍ବାଚନରେ କ୍ବଚିତ୍‌ ମହିଳାଙ୍କୁ ପ୍ରାର୍ଥୀ ଭାବେ ଦେଖିବାକୁ ମିଳିଛି। ତେବେ ଏଭଳି କ୍ଷେତ୍ରରେ ମହିଳାଙ୍କ ଭୋଟ୍‌ହାର ବି ଆଖିଦୃଶିଆ ନୁହେଁ। କେବଳ ପଞ୍ଚାୟତ ଓ ପୌର ନିର୍ବାଚନରେ ମହିଳାଙ୍କ ସଂପୃକ୍ତିକୁ ଛାଡ଼ିଦେଲେ ସାଧାରଣ ନିର୍ବାଚନରେ ମହିଳା ଭୋଟର୍‌ ସେପରି ଆଗ୍ରହୀ ନଥିବା ନିର୍ବାଚନ ଆୟୋଗଙ୍କ ସୂତ୍ରରୁ ଜଣାପଡ଼ିଛି। ୨୦୧୯ରେ ଅନୁଗୁଳ ନିର୍ବାଚନ ମଣ୍ଡଳୀରେ ମୋଟ୍‌ ୨ଲକ୍ଷ ୧୭ହଜାର ୫୭୩ ମତଦାତାଙ୍କ ମଧ୍ୟରୁ ମହିଳା ମତଦାତାଙ୍କ ସଂଖ୍ୟା ଥିଲା ୧ଲକ୍ଷ ୩ହଜାର ୪୯୪। ସେମାନଙ୍କ ମଧ୍ୟରୁ ମାତ୍ର ୭୬ହଜାର ୨୨୮ ଜଣ ଭୋଟ୍ ଦେଇଥିଲେ। ମାତ୍ର ୧ଲକ୍ଷ ୧୪ହଜାର ୫୫୧ ପୁରୁଷ ମତଦାତାଙ୍କ ମଧ୍ୟରୁ ୮୩ହଜାର ୯୧୭ ଜଣ ଭୋଟ୍ ଦେଇଥିଲେ। ଛେଣ୍ଡିପଦାରେ ୨୦୧୯ରେ ୨ଲକ୍ଷ ୭ହଜାର ୪୨୯ମୋଟ୍‌ ମତଦାତାଙ୍କ ମଧ୍ୟର ମହିଳା ଥିଲେ ୯୯ହଜାର ୨୫୪, ସେମାନଙ୍କ ମଧ୍ୟରୁ ୭୯ହଜାର ୪୯୭ ଜଣ ଭୋଟ୍ ଦେଇଥିଲେ। ୨୦୧୯ ଭୋଟର ତାଲିକାରେ ଆଠମଲ୍ଲିକରେ ୨ଲକ୍ଷ ୧ହଜାର ୬୬୧ ମତଦାତାଙ୍କ ମଧ୍ୟରୁ ୯୮ହଜାର ୭୪୭ ମହିଳା ଭୋଟର୍‌ ଥିବା ବେଳେ ୮୦ ହଜାର ୬୮୫ଜଣ ଭୋଟ୍‌ ଦେଇଥିଲେ। ପା‌ଳଲହଡ଼ାରେ ୧ଲକ୍ଷ ୭୦ହଜାର ୪୫ ଜଣ ମତଦାତାଙ୍କ ମଧ୍ୟରୁ ୮୨ହଜାର ୩୬୦ଜଣ ମହିଳା ଭୋଟର୍‌ ଥିବା ବେଳେ ୬୭ହଜାର ୬୪୦ଜଣ ଭୋଟ୍‌ ଦେଇଥିଲେ। ତାଳଚେର ନିର୍ବାଚନ ମଣ୍ଡଳୀରେ ମୋଟ୍‌ ୧ଲକ୍ଷ ୭୮ହଜାର ୬୯୩ ଭୋଟର ଥିବା ବେଳେ ମହିଳାଙ୍କ ସଂଖ୍ୟା ଥିଲା ୮୩ହଜାର ୭୭୬ ଓ ସେମାନଙ୍କ ମଧ୍ୟରୁ ୬୦ହଜାର ୭୪୭ ମହିଳା ଭୋଟ୍‌ ଦେବାକୁ ଆସିଥିଲେ।

୩୭ ପ୍ରତିଶତ ଭୋଟ୍‌ରେ କେମିତି ସନ୍ତୁଷ୍ଟ ନେତା, ପ୍ରଶାସନ?
ବଢ଼ୁଛି ଭୋଟର୍‌ଙ୍କ ସଂଖ୍ୟା ହେଲେ ବଢ଼ୁନି ଭୋଟ୍‌ ହାର
୨୦୧୪ ତୁଳନାରେ ୨୦୧୯ରେ ଭୋଟ୍‌ହାର ୧ % ବୃଦ୍ଧି

୨୦୧୪ ତୁଳନାରେ ୨୦୧୯ରେ ମହିଳାଙ୍କ ମତଦାତାଙ୍କ ସଂଖ୍ୟା ଯଦିଓ ବଢ଼ିଥିଲା କିନ୍ତୁ ଭୋଟ୍‌ହାର ସେହି ତୁଳନାରେ ସନ୍ତୋଷଜନକ ନଥିଲା। ୨୦୧୪ରେ ସମଗ୍ର ଜିଲ୍ଲାରେ ମୋଟ୍‌ ମତଦାତାଙ୍କ ସଂଖ୍ୟା ୮ଲକ୍ଷ ୭୮ହଜାର ୪୯୧ ଥିବା ବେଳେ ମହିଳାଙ୍କ ମତଦାତାଙ୍କ ସଂଖ୍ୟା ୪ଲକ୍ଷ ୧୫ହଜାର ୧୨୧ ଥିଲା। ୨୦୧୯ରେ ଏହା ସାମାନ୍ୟ ବୃଦ୍ଧି ପାଇ ମୋଟ୍‌ ମତଦାତାଙ୍କ ସଂଖ୍ୟା ୯ଲକ୍ଷ ୮୩ହଜାର ୨୭୭ରୁ ମହିଳାଙ୍କ ସଂଖ୍ୟା ୪ଲକ୍ଷ ୬୭ହଜାର ୬୧୧ରେ ପହଞ୍ଚିଥିଲା। କିନ୍ତୁ ୨୦୧୪ରେ ମୋଟ୍‌ ୩ଲକ୍ଷ ୧୯ହଜାର ୭୫୧ ଜଣ ମହିଳା ଭୋଟ୍‌ ଦେଇଥିଲା ବେଳେ ୨୦୧୯ରେ ଏହା ୩ଲକ୍ଷ ୬୪ହଜାର ୭୯୭ରେ ପହଞ୍ଚି ଥିଲା। ୨୦୧୪ ତୁଳନାରେ ୨୦୧୯ରେ ମୋଟ୍‌ ମତଦାତାଙ୍କ ସଂଖ୍ୟା ୧ଲକ୍ଷ ୪ହଜାର ୭୮୬ ବଢ଼ିଥିବା ବେଳେ ମହିଳା ଭୋଟର୍‌ ୫୨ହଜାର ୪୯୦ ବଢ଼ିଥିଲେ। ମାତ୍ର ୪୫ହଜାର ୪୬ରୁ ଅଧିକ ସଂଖ୍ୟକ ମହିଳା ମତଦାନ ସାବ୍ୟସ୍ତ କରିଥିଲେ। ମୋଟାମୋଟି କହିବାକୁ ଗଲେ ୨୦୧୪ରେ ମହିଳାଙ୍କ ଭୋଟ୍‌ହାର ୩୬.୩୯ ପ୍ରତିଶତ ଥିବା ବେଳେ ୨୦୧୯ରେ ଏହା ୩୭.୧୦ ପ୍ରତିଶତକୁ ବୃଦ୍ଧି ପାଇଛି।

ରାଜନୀତି ପ୍ରତି ମହିଳାଙ୍କ ଆଗ୍ରହ ନ ରହିବା, ଭୋଟ୍‌ ଦେଇ କଣ ଲାଭ ଓ ଆହୁରି କିଛି ଅଜଣା କାରଣରୁ ସେମାନେ ମତଦାନ କରିବାକୁ ଆସୁ ନଥିବା କୁହାଯାଉଛି। ପଞ୍ଚାୟତ ଓ ପୌର ନିର୍ବାଚନରେ ଗୋଟିଏ ଗୋଟିଏ ଭୋଟ୍‌ରେ ହାରଜିତ ଲେଖା ହେଉଥିବାରୁ ପ୍ରାର୍ଥୀମାନେ ମହିଳା ଭୋଟରୁ ଆକୃଷ୍ଟ କରି ଭୋଟ୍‌କେନ୍ଦ୍ରକୁ ଆଣୁଥିବା ଅନୁମାନ କରାଯାଉଛି। ପିଙ୍କ୍‌ ବୁଥ୍‌ ପରି ଅଭିନବ ବ୍ୟବସ୍ଥା ଗ୍ରହଣ କରାଯାଉଥିଲେ ବି ମହିଳା ଭୋଟର୍‌ଙ୍କୁ ଆକର୍ଷଣ କରିବାରେ ଜିଲ୍ଲାକୁ ଆଖିଦୃଶିଆ ସଫଳତା ମିଳିନି। ସରକାର ମହିଳା ସଶକ୍ତୀକରଣର ନାରା ଦେଉଥିବା ବେଳେ ଶିଳ୍ପସମୃଦ୍ଧ ଅନୁଗୁଳରେ ମହିଳାଙ୍କ ନୈରାଶ୍ୟଜନକ ମତଦାନ ହାର ଚିନ୍ତାଜନକ ବୋଲି ମତପ୍ରକାଶ ପାଇଛି।