ଏସ୍‌ପି ଅଫିସ ଆଗରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ

କେନ୍ଦୁଝର: ଥାନାରୁ ନ୍ୟାୟ ନ ପାଇ ଏସ୍‌ପି ଅଫିସ ସମ୍ମୁଖରେ ଆଜି ଜଣେ ମହିଳା ଆତ୍ମାହୁତି ଉଦ୍ୟମ କରିବା ଘଟଣା କେନ୍ଦୁଝର ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାସ୍ଥଳରେ ଉପସ୍ଥିତ ଥିବା ପୁଲିସ କର୍ମଚାରୀମାନେ ଠିକ୍‌ ସମୟରେ ଉଦ୍ଧାର କରିବାରୁ ମହିଳାଙ୍କର କୌଣସି କ୍ଷତି ହୋଇନାହିଁ।

ପ୍ରାପ୍ତ ସୂଚନା ଅନୁସାରେ, କେନ୍ଦୁଝର ସହରର ଜଣେ ନାବାଳିକାକୁ ‌ଟାଉନ ଥାନା ଅନ୍ତର୍ଗତ କାଶୀପୁର ଗ୍ରାମର ପ୍ରକାଶ କୁମାର ଜେନା ଅକ୍ଟୋବର ୨୨ ତାରିଖରେ ଅପହରଣ କରିଥିଲା।  ପୁଲିସ ତାଙ୍କୁ ଗିରଫ କରିବା ସହ ନାବାଳିକାଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ପରେ ଜୁନ୍‌ ୨ ତାରିଖରେ ନାବାଳିକାଙ୍କୁ ସମ୍ପୃକ୍ତ ଯୁବକ ପୁଣି ଅପହରଣ ‌କରିନେଇଛି। ଏନେଇ ନାବାଳିକାଙ୍କ ମା’  କେନ୍ଦୁଝର ଟାଉନ ଥାନାରେ ଅଭିଯୋଗ କରିଥିଲେ। ମାତ୍ର ଆଜି ପର୍ଯ୍ୟନ୍ତ ନାବାଳିକାଙ୍କୁ ପୁଲିସ ଉଦ୍ଧାର କରିବାରେ ବିଫଳ ହୋଇଛି।

ଏ ସମ୍ପର୍କରେ ୬ ତାରିଖରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳଙ୍କୁ ମହିଳା ଜଣକ ଅଭିଯୋଗ କରିଥିଲେ। ଏହାସତ୍ତ୍ବେ କୌଣସି ସୁଫଳ ନ ମିଳିବାରୁ ଆଜି ଏସ୍‌ପିଙ୍କ ଅଫିସ ସମ୍ମୁଖରେ କିରାସିନି ଢାଳି ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିଲେ। ସେଠାରେ ଉପସ୍ଥିତ ଥିବା ମହିଳା ପୁଲିସ ତାଙ୍କୁ ଉଦ୍ଧାର କରିଥିଲେ। ଏ ସମ୍ପର୍କରେ ଏସ୍‌ପି ମିତ୍ରଭାନୁ ମହାପାତ୍ର କହିଛନ୍ତି, ନାବାଳିକାଙ୍କୁ ପୂର୍ବରୁ ଉଦ୍ଧାର କରାଯାଇ ଜିଲ୍ଲା ଶିଶୁମଙ୍ଗଳ ସମିତିକୁ ହସ୍ତାନ୍ତର କରାଯାଇଥିଲା। ସେଠାରୁ ତାଙ୍କୁ ପରିବାର ଲୋକେ ଘରକୁ ନେଇଥିଲେ। ବର୍ତ୍ତମାନ ଅଭିଯୋଗ ପରେ ନାବାଳିକାଙ୍କୁ ଉଦ୍ଧାର ପାଇଁ ପଦକ୍ଷେପ ନିଆଯିବା ସହ ଅପହରଣକାରୀ ଯୁବକଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର