ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ରେ ଥିବା ରାଜ୍ୟର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଭୀମକୁଣ୍ଡରେ ପାଟଣା ବ୍ଲକ ତଣ୍ଡ ଗ୍ରାମର ଦୀପକ ନାଏକ(୨୫ ) ନିଖୋଜ ହୋଇଯାଇଛନ୍ତି। ସେ ଭୀମକୁଣ୍ଡ ପର୍ଯ୍ୟଟନ ସ୍ଥଳୀରେ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟରତ ଅଛନ୍ତି। ଗତକାଲି ସେ ତଣ୍ଡ ଗ୍ରାମର ଅନ୍ୟଜଣେ ଜଣେ ଯୁବକ ଶଙ୍କର ନାଏକ(୨୦)ଙ୍କ ସହ ଏଠାରେ ଥିବା ବୈତରଣୀ ନଦୀରେ ମାଛ ଧରିବାକୁ ଯାଇଥିଲେ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ମାଛ ମାରିବା ସମୟରେ ଅସାବଧାନତା କାରଣରୁ ଖସି ପଡ଼ିଥିଲେ। ବହୁ ସମୟ ପରେ ମଧ୍ୟ ଦୀପକର ଦେଖା ନ ମିଳିବାରୁ ଶଙ୍କର ଘରକୁ ଫେରିଥିଲା ।
ଗୁରୁବାର ସକାଳୁ ଗ୍ରାମବାସୀଙ୍କ ସହିତ ଦମକଳ ବାହିନୀ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ଏ ଯାଏଁ ପତ୍ତା ମିଳିପାରି ନାହିଁ। ଜାଲରେ ମାଛ ଧରୁଥିବା ସମୟରେ ହଠାତ୍ ନଦୀରେ ବଢ଼ି ପାଣି ମାଡ଼ି ଆସିଥିବାରୁ ବୈତରଣୀ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥାଇ ପାରନ୍ତି ବୋଲି ଗ୍ରାମବାସୀ ସନ୍ଦେହ ପ୍ରକାଶ କରିଛନ୍ତି। ପରିବାର ଲୋକେ ଆଶଙ୍କା ମଧ୍ୟରେ ରହିଛନ୍ତି। ପାଟଣା ଦମକଳ ବାହିନୀଙ୍କ ସହିତ ଗ୍ରାମବାସୀ ବହୁ ଖୋଜାଖୋଜି କରିବା ସତ୍ତ୍ବେ ମଧ୍ୟ ଦୀପକଙ୍କ ପତ୍ତା ମିଳିପାରି ନାହିଁ ।