ବୈପାରିଗୁଡା: ପକେଟ୍ ମାର୍ କରି ଧରାପଡିଛି ଜନୈକ ଯାଯାବର ଶ୍ରେଣୀର ଯୁବକ। ଏହି ଘଟଣା ଏବେ ବୈପାରିଗୁଡାରେ ଆଲୋଚନାର ବିଷୟବସ୍ତୁ ପାଲଟିଛି। ଘଟଣା ଅନୁଯାୟୀ, ଆଜି ପ୍ରାୟ ସନ୍ଧ୍ୟା ସାତଟା ସମୟରେ ବୈପାରିଗୁଡା ଶ୍ରୀରାମ ମନ୍ଦିର ସାମ୍ନାରେ ରହିଥିବା ଏକ ଇଲେକ୍ଟ୍ରିକାଲ ଦୋକାନକୁ ଜଣେ ଗ୍ରାହକ ଫ୍ୟାନ୍ କିଣିବା ପାଇଁ ଯାଇଥିଲେ। ଫ୍ୟାନ ଟିଏ ବାଛିବା ପରେ ତାହାର ଦାମ୍ ବୁଝିବା ସହ ଘରୁ ଟଙ୍କା ନେଇ ପୁଣିଥରେ ସେହି ଦୋକାନକୁ ଯାଇଥିଲେ। ଫ୍ୟାନ ବିକ୍ରି ବାବଦକୁ ଦୋକାନୀ ବିଲ୍ ଦେବାପରେ ଗ୍ରାହକ ଜଣକ ପକେଟରୁ ଟଙ୍କା ବାହାର କରିବାକୁ ଗଲାବେଳକୁ କିନ୍ତୁ ଟଙ୍କା ନଥିଲା। ଗ୍ରାହକ ଜଣକ ବିବ୍ରତ ଭାବେ ବାରମ୍ବାର ପ୍ୟାଣ୍ଟ୍ ପକେଟ୍ ଅଣ୍ଡାଳି ଥିଲେ ମଧ୍ୟ ଟଙ୍କା ନଥିଲା। ଶେଷରେ ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜ ସାହାଯ୍ୟ ନେଇଥିଲେ।
କ୍ୟାମେରାରେ ଦେଖାଗଲା ଯେ, ତାଙ୍କ ପଛପଟେ ଠିଆ ହେବାର ଅଭିନୟ କରିବା ସହ ଖୁବ ଚତୁରତାର ଟଙ୍କା କାଢ଼ି ନେଇଛି। ତେବେ ଗ୍ରାହକ ଜଣକ ଟଙ୍କା ନେଇଥିବା ଯୁବକଟିକୁ ଚିହ୍ନଟ କରିବାରେ ସକ୍ଷମ ହୋଇଥିଲେ। ପକେଟ୍ ମାର୍ କରିଥିବା ଯୁବକଟି ଯାଯାବର ଶ୍ରେଣୀର ଏବଂ ସେମାନେ କୁନ୍ଦୁରା ରାସ୍ତାର ପଡ଼ିଆରେ ରହନ୍ତି। ଗ୍ରାହକ ଜଣକ ସେଠାରେ ପହଞ୍ଚି ଯୁବକଟିକୁ କାବୁ କରିବା ସହ ସେ ନେଇଥିବା ୨୫୦୦ ଟଙ୍କା ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ। ତେବେ ବୈପାରିଗୁଡାକୁ ଅଧିକାଂଶ ସମୟରେ ଯାଯାବର ଶ୍ରେଣୀର ପରିବାର ସବୁ ଆସିଥାନ୍ତି। ଏମାନେ ଖୋଲା ପଡ଼ିଆ ଦେଖି ତମ୍ବୁ ଟାଣି ଆଶ୍ରୟ ନେବା ସହ ବିଭିନ୍ନ ଧନ୍ଦା କରିଥାନ୍ତି। ପୁରୁଷ ମାନେ ବିଭିନ୍ନ ସାମଗ୍ରୀ ବିକ୍ରି କରୁଥିବା ବେଳେ ମହିଳା ମାନେ ଭିକ ମାଗିଥାନ୍ତି। ସୁଯୋଗ ପାଇ ଚୋରି କରିବା ପାଇଁ ପଛେଇ ନଥାନ୍ତି।
ଗତବର୍ଷ ଜୁନ ମାସରେ ଏହିଭଳି ଦୁଇ ଜଣ ମହିଳା ବୈପାରିଗୁଡା ତଳ ସାହିରେ ଘରେ କେହି ନଥିବାର ସୁଯୋଗ ନେଇ ଜନୈକ ବ୍ୟକ୍ତିଙ୍କ ଘର ଭିତରେ ପଶି ଆଲମିରାରୁ ଟଙ୍କା ଏବଂ ସୁନା ନେଇଯାଇଥିଲେ। ତେବେ ଘର ମାଲିକଙ୍କ ଘରେ ଲାଗିଥିବା ସିସିଟିଭି କ୍ୟାମେରାରୁ ମହିଳାଙ୍କୁ ଚିହ୍ନି ପାରି ସେମାନଙ୍କ ଠାରୁ ଟଙ୍କା ଏବଂ ସୁନା ଉଦ୍ଧାର କରାଯିବା ସହ ପୁଲିସରେ ଦେଇଥିଲେ। ଯାଯାବର ଶ୍ରେଣୀର ଯୁବକ ମାନେ ବଜାରରେ ବିଭିନ୍ନ ବାହାନା କରି ବୁଲୁଥିବା ବେଳେ ସୁଯୋଗ ପାଇଲେ ଏଭଳି କାଣ୍ଡ ସବୁ ଭିଆଇ ଥାନ୍ତି। ଏପରିକି ବସ୍ ଯାତ୍ରୀଙ୍କ ପକେଟ୍ ମାର୍ କରି ଧରା ପଡିଥାନ୍ତି। ଆଜିର ଏହି ଘଟଣା ପରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ନେବା ସହ ବାହାରୁ ଆସୁଥିବା ଏଭଳି ଅପରିଚିତ ଗୋଷ୍ଠୀ ଉପରେ କଡ଼ା ନଜର ରଖିବା ପାଇଁ ଦାବି ହେଉଛି।