କୁମ୍ଭୀର ସହ ଲଢ଼ି ଜୀବନ ବଞ୍ଚାଇଲେ ଯୁବକ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଖମ୍ବାରିଗାଁ ଗ୍ରାମରେ ଆଜି କୁମ୍ଭୀର ଆକ୍ରମଣରୁ ବର୍ତ୍ତିବାକୁ ତା’ ସହ ଲଢ଼ିଛନ୍ତି ଏବଂ ଶେଷରେ ଜୀବନ ବଞ୍ଚାଇଛନ୍ତି ଜଣେ ଯୁବକ। ହେଲେ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ଗୌଡ଼ଗାଁ ପଞ୍ଚାୟତ ଦାଉଣି ଗ୍ରାମର ଟୁକୁନା ବେହେରା (୨୭)। ରାଜମିସ୍ତ୍ରି ଭାବେ କାମ କରୁଥିବା ଟୁକୁନା ଆଜି ‌ଭୋର୍ ସାଢ଼େ ୫ଟା ବେଳେ ଖମ୍ବାରିଗାଁରେ ଥିବା ସାଗରବନ୍ଧରେ ଗାଧୋଉଥିଲେ। ଏହି ସମୟରେ ଏକ କୁମ୍ଭୀର ତାଙ୍କ ଡାହାଣ ଗୋଡ଼କୁ ଟାଣି ନେଇଥିଲା। ତେବେ ଟୁକୁନା ସାହସିକତାର ସହ କୁମ୍ଭୀର ସହ ଲଢ଼ି ନିଶ୍ଚିତ ମରଣମୁହଁରୁ ବଞ୍ଚି ଯାଇଥିଲେ। ଆଉ ପହଁରି ହିଡ଼କୁ ଚାଲି ଆସିଥିଲେ। ନିକଟରେ ଥିବା ଅନ୍ୟ ଗ୍ରାମବାସୀ ଓ ସରପଞ୍ଚ ପ୍ରତିନିଧି ଚିତ୍ରସେନ ଗୈାଡ଼ ଟୁକୁନାଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଡାକ୍ତରଖାନାକୁ ଆଣିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ତେବେ ଏହି ଘଟଣାକୁ ନେଇ ଖମ୍ବାରିଗାଁରେ ଉତ୍ତେଜନା ଦେଖାଦେଇଛି। ଘୋଡ଼ାହାଡ଼ ଜଳଭଣ୍ଡାର ନିକଟ ନଦୀଗଣ୍ଡ ଓ ପୋଖରୀରୁ କୁମ୍ଭୀରମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବି କରାଯାଉଥିଲେ ହେଁ, ବନ ବିଭାଗର ଅବହେଳା କାରଣରୁ ଗ୍ରାମବାସୀ କୁମ୍ଭୀର ଆକ୍ରମଣର ଶିକାର ହେଉଛନ୍ତି। ଏଣୁ ଲୋକଙ୍କ ସୁରକ୍ଷାକୁ ନଜରରେ ରଖି ତୁରନ୍ତ ଏଦିଗରେ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରି ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଅବଗତ କରାଇଛନ୍ତି। ‌ନଚେତ୍ ବନ ବିଭାଗ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି।

ଏହାପୂର୍ବରୁ ଗତମାସ ୨୫ ତାରିଖରେ ଖମ୍ବାରିଗାଁ ପଞ୍ଚାୟତର ସେବକଟିକରପଡ଼ା ଗ୍ରାମ ନଦୀଗଣ୍ଡରେ ଗାଧୋଇବା ‌ବେଳେ କୁମ୍ଭୀର ଆକ୍ରମଣରେ ପଞ୍ଚମ ଶ୍ରେଣୀ ଛାତ୍ରୀ ଶୁଭ୍ରାଂଶୁ ଗୌଡ଼ଙ୍କ ମୃତ୍ୟୁ ହୋଇଥିଲା। ଆଜି ପୁଣି ଏଭଳି ଏକ ଘଟଣା ‌ଲୋକଙ୍କ ମନରେ ଆତଙ୍କ ସୃଷ୍ଟି କରିଥିବା ବେଳେ ପୋଖରୀକୁ ଯିବାକୁ ସେମାନେ ସୁରକ୍ଷିତ ମଣୁ ନଥିବା କହିଛନ୍ତି। ଚଳିତବର୍ଷ ଗଣନା ଅନୁସାରେ ଘୋଡ଼ାହାଡ଼ ଜଳଭଣ୍ଡାରରେ ୬୪ଟି କୁମ୍ଭୀର ରହିଥିବା ବେଳେ ନିକଟସ୍ଥ ପୋଖରୀ ଓ ନଦୀଗଣ୍ଡରେ ୧୭ଟି କୁମ୍ଭୀର ଅଛନ୍ତି।

ସମ୍ବନ୍ଧିତ ଖବର