୩୬ଘଣ୍ଟା ପରେ ଉଦ୍ଧାର ହେଲେ ଭୁବନେଶ୍ୱର ଲକ୍ଷ୍ମସାଗର ଅଞ୍ଚଳରୁ ଅପହୃତ ଯୁବକ, ୪ଜଣ ଗିରଫ

ଭୁବନେଶ୍ବର : ୩୬ଘଣ୍ଟା ପରେ ଉଦ୍ଧାର ହେଲେ ବନ୍ଧୁକ ମୁନରେ ଅପହରଣ ହୋଇଥିବା ବିବିଏ ଛାତ୍ର। ଉଦ୍ଧାର ହୋଇଥିବା ଛାତ୍ର ହେଲେ ଲକ୍ଷ୍ମୀସାଗର ଅଞ୍ଚଳର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ପୁଅ। ମୋବାଇଲ ଟ୍ରକିଂ କରି ଯୁବକଙ୍କୁ ଉଦ୍ଧାର କରିଛି ପୁଲିସ । ପୁଲିସ ଠିକଣା ସମୟରେ ୩ ଅପହରଣକାରୀଙ୍କୁ କାବୁ କରିବା ସହ ଅପହୃତ ଛାତ୍ରଙ୍କୁ ଉଦ୍ଧାର କରିଛି। ସୁନାଖଳାର ଥିବା ଏକ ଜଙ୍ଗଲ ଭିତରୁ ଛାତ୍ରଙ୍କୁ ଉଦ୍ଧାର କରାଯାଇଛି। ହେଇଥିବା ଯୁବକଦୁର୍ବୃତ୍ତମାନଙ୍କଠାରୁ ଏକ କାର୍, ମାରଣାସ୍ତ୍ର, ମୋବାଇଲ ଫୋନ୍ ଜବତ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଅପହରଣ କରିଥିବା ଅଭିଯୁକ୍ତମାନେ ନିଜ ସୁରକ୍ଷା ପାଇଁ ୩ଟି ଟିମ ଗଠନ କରିଥିଲେ। ସବୁ ସମୟରେ ପରସ୍ପରଠୁ ୨୦ରୁ ୩୦କିମି ଦୂରତା ରଖିଥିଲେ ଅପହରଣ କରିଥିବା ଏହି ଗ୍ୟାଙ୍ଗ। ଅପହୃତ ହେଇଥିବା ଯୁବକ ନିକଟରେ ଯେଉଁ ଅପହରଣକାରୀ ଥିଲେ ସେମାନେ ସିଧାସଳଖ ଯୁବକ ବାପାଙ୍କୁ ଫୋନ କରୁନଥିଲେ। ଅନ୍ୟ ସହଯୋଗୀ ଯେଉଁମାନେ ତାଙ୍କଠୁ ଦୂରରେ ଥିଲେ ତାଙ୍କୁ ଫୋନ କରୁଥିଲେ ଓ ସେମାନେ ଆଉ ଗୋଟେ ଟିମକୁ ଫୋନ କରୁଥିଲେ। ପରେ ତୃତୀୟ ଟିମ ଯୁବକଙ୍କ ବାପାଙ୍କୁ ଫୋନ କରୁଥିଲେ, ଯେଉଁଥିପାଇଁ ଫୋନ ଟ୍ରାକ କରାଯାଇ ପାରୁନଥିଲା। ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ଖୋର୍ଦ୍ଧା,ବ୍ରହ୍ମପୁର,ନୟାଗଡ଼ର ବିଭିନ୍ନ ଅଞ୍ଚଳରେ ପ୍ରାୟ ୮୦୦କିଲୋମିଟର ଯାତ୍ରା କରି ଖୋଜାଖୋଜି କରିବା ପରେ ପୁଲିସକୁ ଯୁବକଙ୍କ ପତ୍ତା ମିଳିଥିଲା।

ତେବେ ଏହା ପ୍ରଥମ ନୁହେଁ ପୂର୍ବରୁ ମଧ୍ୟ ଏହି ଗ୍ୟାଙ୍ଗ କିଛି ଲୋକଙ୍କୁ ଅପହରଣ କରିଛନ୍ତି। ଏପର୍ଯ୍ୟନ୍ତ ୪ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ୩ଜଣଙ୍କୁ ଖୋଜୁଛି ପୁଲିସ।

ଉଲ୍ଲେଖଯୋଗ୍ୟ, ଛାତ୍ରଙ୍କ ଘର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ। ତାଙ୍କ ବାପା ଜଣେ ପ୍ରତିଷ୍ଠିତ ବ୍ୟବସାୟୀ। ଛାତ୍ରଜଣକ ବେଙ୍ଗାଲୁରୁରେ ବିବିଏ ପଢ଼ୁଛନ୍ତି। କୋଭିଡ୍ ପାଇଁ ଏବେ ଅନ୍‌ଲାଇନ୍ କ୍ଲାସ୍ ଚାଲୁଥିବାରୁ ସେ ଘରକୁ ଆସିଥିଲେ। ସବୁଦିନ ସନ୍ଧ୍ୟାରେ ସେ ଝାରପଡ଼ା ନିକଟ ଏକ ଓମ୍‌ଫେଡ ବୁଥ୍‌କୁ ଚା’ ପିଇବାକୁ ଯାଆନ୍ତି। ଗତକାଲି ସେ ସେଠାରେ ଚା’ ପିଉଥିବା ବେଳେ ୩ଜଣ ଯୁବକ ଏକ କାର୍‌ରେ ଆସି ସେଠାରେ ଚା ପିଇଥିଲେ। ସେମାନେ ଛାତ୍ରଙ୍କ ସହ କଥାବାର୍ତ୍ତା ହେବା ଛଳରେ ସିନେମା ଷ୍ଟାଇଲ୍‌ରେ ତାଙ୍କ ଅଣ୍ଟାରେ ବନ୍ଧୁକ ଲଗାଇ କାର୍‌ରେ ବସିବାକୁ ନିର୍ଦ୍ଦେଶ ଦେଇଥିଲେ ଓ ତାଙ୍କୁ ଅପହରଣ କରି ନେଇ ଯାଇଥିଲେ। କିଛି ଘଣ୍ଟା ପରେ ସେମାନେ ଛାତ୍ରଙ୍କ ବାପାଙ୍କୁ ଫୋନ୍ କରି ୩୦ ଲକ୍ଷ ଟଙ୍କା ମାଗିଥିଲେ। ଏନେଇ ଛାତ୍ରଙ୍କ ବାପା ତୁରନ୍ତ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ। ଛାତ୍ରଙ୍କୁ ଉଦ୍ଧାର କରିବାକୁ ସ୍ପେସାଲ ସ୍କ୍ବାଡ୍ ସମେତ ୩ଟି ସ୍ବତନ୍ତ୍ର ଟିମ୍ ଛାନ୍‌ଭିନ୍ ଆରମ୍ଭ କରିଥିଲେ।

ପୁଲିସ ପ୍ରଥମେ ଓମ୍‌ଫେଡ୍ ଷ୍ଟଲ୍‌କୁ ଯାଇ ଛାତ୍ରଙ୍କ ସ୍କୁଟି ଜବତ କରିବା ସହ ଘଟଣାସ୍ଥଳରେ ପଚରାଉଚରା କରିଥିଲା। ଏହା ପରେ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ୍‌ ସଂଗ୍ରହ କରି ଖୋଳତାଡ଼ କରିଥିଲା। ଅପହର୍ତ୍ତାମାନେ କଲ୍ କରିଥିବା ମୋବାଇଲ ଫୋନ୍‌କୁ ଟ୍ରାକିଂ କରି ସେମାନଙ୍କ ନିକଟରେ ପହଞ୍ଚି ଯାଇଥିଲେ। ଓମ୍‌ଫେଡ୍ ବୁଥ୍‌ ନିକଟରୁ ଛାତ୍ରଙ୍କୁ ଅପହରଣ କରିବାକୁ ସେମାନେ ବେଶ୍ କିଛି ଦିନ ହେଲା ଯୋଜନା କରିଥିଲେ ବୋଲି ଜଣାପଡ଼ିଛି। ଅପହର୍ତ୍ତାମାନେ ମଧ୍ୟ ଉକ୍ତ ଓମ୍‌ଫେଡ୍‌ ବୁଥ୍‌କୁ ନିୟମିତ ଆସୁଥିବା ଜଣାପଡ଼ିଛି। ତେଣୁ ଛାତ୍ରଙ୍କ ଉପରେ ନଜର ରଖି ତାଙ୍କୁ ଟାର୍ଗେଟ୍‌ କରିଥିଲେ।

ସମ୍ବନ୍ଧିତ ଖବର