ରେମୁଣା : ବାକି ଟଙ୍କା ପାଇଁ ଜଣେ ଯୁବକଙ୍କୁ ବେଞ୍ଚରେ ପିଟି ହତ୍ୟା

ବାଲେଶ୍ଵର/ରେମୁଣା : ବାକି ଟଙ୍କା ପାଇଁ ଜଣେ ଯୁବକଙ୍କୁ ବେଞ୍ଚରେ ପିଟି ହତ୍ୟା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରେମୁଣା ଥାନା ଇମାମି ଛକ ଅଞ୍ଚଳରେ। ମୃତ ଯୁବକ ଜଣକ ହେଲେ ଗୋବିନ୍ଦପୁର ମୁଖରା ଅଞ୍ଚଳର ରାଜେନ୍ଦ୍ର ମହାନା(୩୦)।

ଅନ୍ୟପଟେ ରେମୁଣା ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ହତ୍ୟାକାରୀ ପାନ ଦୋକାନୀ ବିଶ୍ୱନାଥ ପୃଷ୍ଟି(୫୪)ଙ୍କୁ ଗିରଫ କରିଛି। ସେ ରସାଳପୁର ଅଂଚଳର। ପୁଲିସ ସୂଚନା ମୁତାବକ, କିଛିଦିନ ତଳେ ରାଜେନ୍ଦ୍ର ବିଶ୍ୱନାଥ ଦୋକାନରୁ ୬୦ ଟଙ୍କାର ପାନ ତମାଖୁ ଖାଇଥିଲେ। ହେଲେ ଟଙ୍କା ଠିକ ସମୟରେ ଫେରେଇନଥିଲେ। ଯାହାକୁ ନେଇ ବିଶ୍ୱନାଥ କ୍ଷୁବ୍ଧ ଥିଲେ। ରାଜେନ୍ଦ୍ରଙ୍କ ସାଙ୍ଗ ଏ ବିଷୟରେ ଜାଣିବାପରେ ଦୋକାନୀଙ୍କୁ ବାକି ଟଙ୍କା ଦେଇଦେଇଥିଲେ। ହେଲେ ୫ ଦିନ ତଳେ ରାଜେନ୍ଦ୍ର ପୁଣି ଦୋକାନକୁ ଯାଇ ସିଗାରେଟ୍‌ ମାଗିଥିଲେ। କିନ୍ତୁ ବିଶ୍ୱନାଥ ଦେଇନଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡରୁ ହାତାହାତି ପର୍ଯ୍ୟନ୍ତ କଥା ବଢିଥିଲା। ସେଠାରେ ଥିବା ଲୋକମାନେ ବୁଝାସୁଝା ପରେ ଉଭୟ ଶାନ୍ତ ପଡ଼ିଥିଲେ।

ତେବେ ଗତ ୧୩ ତାରିଖ ରାତି ପ୍ରାୟ ସାଢ଼େ ୯ଟା ସମୟରେ ରାଜେନ୍ଦ୍ର ଏବଂ ତାଙ୍କର ଜଣେ ସାଙ୍ଗ ଘରକୁ ଫେରୁଥିଲେ। ବାଟରେ ପାନ ନେବାପାଇଁ ବିଶ୍ଵନାଥଙ୍କ ଦୋକାନ ନିକଟରେ ଅଟକିଥିଲେ। ରାଜେନ୍ଦ୍ର ବାହାରେ ବାଇକ୍‌ରେ ଠିଆ ହୋଇଥିଲେ। ଆଉ ତାଙ୍କ ସାଙ୍ଗ ଦୋକାନକୁ ଯାଇଥିଲେ। ଏହି ସମୟରେ ହଠାତ୍‌ ବିଶ୍ୱନାଥ ବେଞ୍ଚ ଉଠାଇ ରାଜେନ୍ଦ୍ରଙ୍କ ଛାତିକୁ ପିଟିଥିଲେ। ଫଳରେ ସେ ବାଇକ୍‌ ସହ ତଳେ ପଡ଼ିଯାଇଥିଲେ। ଏଭଳି ଆକ୍ରମଣ ଦେଖି ସମସ୍ତେ ଧାଇଁ ଆସି ତାଙ୍କୁ ଅଟକାଇବା ସହ ରାଜେନ୍ଦ୍ରଙ୍କୁ ଉଦ୍ଧାର କରି ରେମୁଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ହେଲେ ସେଠାର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ଶିଳ୍ପାଞ୍ଚଳ ଥାନା ଏସଆଇ ବନମାଳୀ ପରିଡ଼ା ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବଡ଼ ଡାକ୍ତରଖାନା ପଠାଇଥିଲେ। ପରେ ଚଢଉ କରି ବିଶ୍ୱନାଥଙ୍କୁ ଗିରଫ କରିଥିଲେ। ପଚରାଉଚରା ବେଳେ ସେ ସମସ୍ତ ଘଟଣା ବିଷୟରେ ମାନିଥିଲେ। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି।

ସମ୍ବନ୍ଧିତ ଖବର