ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲାର ଏକ ଆଦିବାସୀ ଅଧ୍ୟୁଷିତ ବ୍ଲକ ଲାଞ୍ଜିଗଡ଼ରେ ଅସହ୍ୟ ହେଉଛି ଦାଦନ ଦୁଃଖ। ଲାଞ୍ଜିଗଡ଼ ବ୍ଲକ୍ ବିଜେପୁର ଥାନା ଅନ୍ତର୍ଗତ ପାଜିବାହିଲି ଗାଁର ବାବୁଲା ମାଝୀ(୨୦) ନାମକ ଜଣେ ଯୁବକ ଦାଦନ ଖଟିବାକୁ ଯାଇଥିବା ବେଳେ ମୁମ୍ବାଇରେ ତାଙ୍କର ମୃତ୍ୟୁ ହୋଇଯାଇଛି। ସୂଚନା ଅନୁସାରେ, ଲାଞ୍ଜିଗଡ଼ ବ୍ଲକ୍ ବେନଗାଁ ପଞ୍ଚାୟତ ଅନ୍ତର୍ଗତ ପାଜିବାହିଲି ଗାଁର ପାଗୁ ମାଝୀଙ୍କ ପୁଅ ହେଉଛନ୍ତି ବାବୁଲା। ପରିବାରରେ ବାପା ସାଗୁ, ମା’ ଗୁଲାପି ମାଝୀ ଓ ଗୋଟି ଛୋଟ ଭଉଣୀ। ମା’ ଗୁଲାପିଙ୍କ ୨୦୨୦ ମସିହାରେ ମୃତ୍ୟୁ ଘଟିବା ପରେ ବହୁ କଷ୍ଟରେ ଚଳୁଥିଲେ।
ଏହାକୁ ନେଇ ବାବୁଲା ଆଜକୁ ୨ ବର୍ଷ ହେଲା କଳାହାଣ୍ଡି ଜିଲ୍ଲା ସଦର ବ୍ଳକ୍ ଅନ୍ତର୍ଗତ ଯୁଗସାଇପାଟଣାର ଦାଦନ ସରଦାର ଭାନୁ ହରିଜନଙ୍କୁ ଯୋଗାଯୋଗ କରିଥିଲେ। ପରେ ଗାଁର ଜଣେ ଯୁବକ ମହେନ୍ଦ୍ର ନାଏକ ସାଙ୍ଗରେ ଦାଦନ ଖଟିବାକୁ ମୁମ୍ବାଇ ଯାଇଥିଲେ। ମହେନ୍ଦ୍ର ଗତ କିଛି ମାସ ହେଲା ଘରକୁ ଫେରି ପୁଣି କେରଳକୁ ଦାଦନ ଖଟିବାକୁ ଯାଇଛି। କିନ୍ତୁ ବାବୁଲା ଘରକୁ ନଫେରି କିଛି ବଙ୍ଗାଳୀ ଯୁବକଙ୍କ ସହିତ ରହି କାମ କରୁଥିଲା ବୋଲି ପରିବାର ଲୋକ କହୁଥିଲେ। ହେଲେ ଗତ ୨୮ ତାରିଖରେ ପାଗୁ ମାଝୀଙ୍କ ନିକଟକୁ ପୁଅ ବାବୁଲାଙ୍କ ନମ୍ବରରୁ ଫୋନ ଆସିଥିଲା।
ପୁଅ ଫୋନ କରିଛି ବୋଲି ବାପା ପୁଅ କେମିତି ଅଛୁ ବୋଲି ପଚାରିବାରୁ ସେପଟରୁ ବାବୁଲାର ସାଙ୍ଗ କହୁଛି ତମ ପୁଅ ବାବୁଲା ଗତ ମାର୍ଚ୍ଚ ୧୨ ତାରିଖରେ ଗାଡି ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା କୁହାଯାଇଥିଲା। ଏହା ଶୁଣିଲା ପରେ ବାଗୁ ମାଝୀ ସରପଞ୍ଚ ପୁରାଣ ମାଝୀଙ୍କୁ ଜଣାଇବା ପରେ ଆଜି ଗଣମାଧ୍ୟମ ପ୍ରତିନିଧି ସମ୍ମୁଖରେ ପୁଅର ମୃତ୍ୟୁ ଘଟଣା ବିଷୟରେ ସରପଞ୍ଚ ଓ ବାବୁଲାର ବାପା ପ୍ରକାଶ କରିଛନ୍ତି। ତେବେ ପୁଅର ମୃତ୍ୟୁକୁ ନେଇ ପାଗୁ ମାଝୀ ସନ୍ଦେହ ପ୍ରକାଶ କରିଛନ୍ତି। ଏ ନେଇ ପରିବାର ବର୍ଗ ଜିଲ୍ଲା ଶ୍ରମ ଅଧିକାରୀଙ୍କ ସହିତ ଯୋଗାଯୋଗ କରି ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି।