ଚିକିଟି : ପ୍ରେମ ଶାଶ୍ବତ ଓ ଚିରନ୍ତନ। ଫଳରେ ପ୍ରେମର ପରିଭାଷାକୁ ବହୁ ମହାନ୍ କବି ଓ ସାହିତ୍ୟିକ କବିତା ଏବଂ ଉପନ୍ୟାସରେ ରୂପ ଦେଇଛନ୍ତି। କେଉଁ ବାଟରେ ମଣିଷ କେତେବେଳେ ବି, କାହାକୁ ଭଲ ପାଇ ବସିଥାଏ। ଆଉ ଏହି ପ୍ରେମ ହିଁ ଧର୍ମ, ଜାତି ଓ ବର୍ଣ୍ଣର ସମସ୍ତ ପାଚେରିକୁ ଅତିକ୍ରମ ସହ ସମୟଚକ୍ରକରେ ଦୁଇଟି ମନ ଓ ଆତ୍ମାକୁ ସବୁଦିନ ପାଇଁ ଏକ କରିଦିଏ। ବିବାହ ଭଳି ପବିତ୍ର ବନ୍ଧନରେ ସେମାନେ ବାନ୍ଧି ହୋଇଯାଆନ୍ତି। ଏହି ଉକ୍ତିକୁ ସତ କରି ଦେଖାଇଛନ୍ତି, ଗଞ୍ଜାମ ଜିଲ୍ଲା ଚିକିଟି ମାଟିର ପୁଅ ପ୍ରଭାତ ପାରିତୋଷ। ନିଜ ବିଦେଶିନୀ ସହପାଠିନୀ ଏବଂ ପ୍ରେମିକା ତଥା ଥାଇଲାଣ୍ଡ୍ର ଝିଅ ଚଖିୟାହା ଇତିଫିବୁଲ୍ଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ବୈଦିକ ରୀତିରେ ଉଭୟଙ୍କ ବାହାଘର ସଂପନ୍ନ ହୋଇଛି।
ମାନସ କସ୍ତୁରୀ ଗଣେଶ ପ୍ରସାଦ ପଣ୍ଡାଙ୍କ ପୁଅ ପ୍ରଭାତ ୨୦୧୩ ମସିହାରେ ଆମେରିକାର ଷ୍ଟାମଫୋର୍ଡ଼ ବିଦ୍ୟାଳୟରେ ଏମ୍ବିଏ ପଢ଼ିବାକୁ ନାମ ଲେଖାଇଥିଲେ। ସେଠାରେ ରହଣି ଭିତରେ ଥାଇଲାଣ୍ଡ୍ ବାସିନ୍ଦା ଇତିଫିବୁଲ୍ଙ୍କ ସହ ଦେଖାଦେଇଥିଲା। ସହପାଠିନୀ ଇତିଫିବୁଲ୍ଙ୍କୁ ପ୍ରଭାତ ଏକପାଖିଆ ଭଲ ପାଇ ବସିଥିଲେ। ଏଥିପାଇଁ ସେ ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ହେଲେ ଇତିଫିବୁଲ୍ ପ୍ରଭାତଙ୍କ ମନକୁ ବୁଝି ନପାରି ତାଙ୍କ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହାମଧ୍ୟରେ ପ୍ରଭାତଙ୍କ ପାଠପଢ଼ା ଶେଷ ହେବାରୁ ସେ ଭାରତ ଫେରିଆସିଥିଲେ। କିନ୍ତୁ ସୋସିଆଲ୍ ମିଡ଼ିଆ ଓ ଫେସ୍ବୁକ୍ ମାଧ୍ୟମରେ ଇତିଫିବୁଲ୍ଙ୍କ ସହ ତାଙ୍କର ବନ୍ଧୁତା ଜାରି ରହିଥିଲା।
ତେବେ ଏହାମଧ୍ୟରେ ଭାରତ ଫେରିବାକୁ ଚାହୁଁଥିବା ଇତିଫିବୁଲ୍ ପ୍ରଭାତଙ୍କୁ ହଠାତ୍ ମେସେଜ୍ କରିଥିଲେ। ଆଉ ପ୍ରେମ ନିବେଦନକୁ ସ୍ବୀକାର କରି ପ୍ରଭାତଙ୍କୁ ଜୀବନସାଥୀ ଭାବେ ଗ୍ରହଣ କରିବାକୁ ଇତିଫିବୁଲ୍ ମନସ୍ଥ କରିଥିଲେ। ପ୍ରଭାତ ବି ନିଜ ପରିବାରବର୍ଗଙ୍କୁ ଏଥିପାଇଁ ରାଜି କରାଇବାରେ ସଫଳ ହୋଇଛି। ଗତ ୪ ତାରିଖରେ ଦିଲ୍ଲୀର ଏକ ପଞ୍ଚତାରକା ହୋଟେଲ୍ରେ ଇତିଫିବୁଲ୍ ଓ ପ୍ରଭାତଙ୍କ ବାହାଘର ବୈଦିକ ରୀତିରେ ସଂପନ୍ନ ହୋଇଥିଲା। ଜଗନ୍ନାଥ ମନ୍ଦିରର ପୂଜକ ଉଭୟଙ୍କ ବାହାଘର କରାଇଥିଲେ। ଇତିଫିବୁଲ୍ଙ୍କ ଘର ବ୍ୟାଙ୍କକ୍ରେ। ବାପାଙ୍କ ଦେହାନ୍ତ ହୋଇଥିବା ମାଆ ବ୍ୟାଙ୍କ୍ ମ୍ୟାନେଜର୍ ଭାବେ ଚାକିରିରୁ ଅବସର ନେଇଛନ୍ତି। ଆସନ୍ତା ୨୫ ତାରିଖରେ ପ୍ରଭାତ ବିମାନ ଯୋଗେ ସାତଜଣ ସଂପର୍କୀୟଙ୍କ ସହ ବ୍ୟାଙ୍କକ୍ ଯିବାର କାର୍ଯ୍ୟକ୍ରମ ରହିଛି।