ଅନୁଗୁଳ: ଗୋଟିଏ ହାତରେ ନାଗ ସାପ । ଅନ୍ୟ ହାତରେ ସାପ କାମୁଡ଼ିଥିବା ଜାଗାରେ ବନ୍ଧା ହୋଇଛି ଗାମୁଛା । ଏଭଳି ଅବସ୍ଥାରେ ଆଜି ସନ୍ଧ୍ୟାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ ଜଣେ ଯୁବକ । ଯୁବକ ଜଣକ ନାଗକୁ ଧରି ଆସିଥିବା ବେଳେ କର୍ମଚାରୀମାନେ ଭୟଭୀତ ହୋଇପଡ଼ିଥିଲେ ।
ସୂଚନା ମୁତାବକ, ଛେଣ୍ଡିପଦା ନିଶା ଥାନା କାଳିଆକଟା ଅଞ୍ଚଳର ବଳଭଦ୍ର ଭୋଇଙ୍କ ପୁଅ ବୁବୁଲ ଭୋଇ(୨୫)ଙ୍କୁ ଆଜି ଅପରାହ୍ନରେ ଏକ ନାଗ ସାପ କମୁଡ଼ି ଦେଇଥିଲା । ୪ ଫୁଟ୍ ଲମ୍ବର ନାଗ ସାପଟି ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରେ ରହିଥିଲା । ସାପଟି ଧାନବସ୍ତା ତଳେ ରହି ଗର୍ଜନ କରୁଥିବା ଦେଖି ବବୁଲ୍ ତାକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ତେବେ ଅସାବଧାନତା ପାଇଁ ସାପ ବବୁଲଙ୍କ ଡାହାଣ ହାତକୁ ଚୋଟ ପକାଇଥିଲା । ବିଷଧର ନାଗ କାମୁଡ଼ିବା ପରେ ଚିକିତ୍ସା ଜରୁରୀ ହୋଇପଡ଼ିଥିବା ବେଳେ ସାପକୁ ଧରି ସେ ଭିଡିଓ କରିଥିଲେ ।
ପରେ ସ୍ଥାନୀୟ ଏକ ଡାକ୍ତରଖାନାରେ ସେ ପହଞ୍ଚିଥିଲେ । କିନ୍ତୁ ନାଗ କାମୁଡ଼ା ପାଇଁ ତାଙ୍କ ଜୀବନ ପ୍ରତି ବିପଦ ରହିଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହେବା ପାଇଁ କୁହାଯାଇଥିଲା । କାମୁଡ଼ିଥିବା ନାଗକୁ ନେଇ ବବୁଲ ସନ୍ଧ୍ୟାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ । ସାପକୁ ଦେଖି ଡାକ୍ତରଖାନା କର୍ମଚାରୀମାନେ ଆଶ୍ଚର୍ଯ୍ୟ ହେବା ସହିତ ଭୟଭୀତ ହୋଇଥିଲେ। ସେପଟେ ଖବରପାଇ ସର୍ପମିତ୍ର ଆଦିତ୍ୟ ବେହେରା ଡାକ୍ତରଖାନାରେ ପହଞ୍ଚି ସାପକୁ ଉଦ୍ଧାର କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆହତ ବବୁଲଙ୍କ ଚିକିତ୍ସା ଚାଲିଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/07/26/snake-2025-07-26-21-00-08.jpg)