ଗାଡ଼ି, ପିଏସ୍‌ଓଙ୍କୁ ଆକ୍ରମଣ ଘଟଣା: ବିଜେପି ଉପରେ ବର୍ଷିଲେ ନିରଞ୍ଜନ

କେନ୍ଦୁଝର: ଗାଡ଼ି ଏବଂ ପିଏସ୍‌ଓଙ୍କୁ ଆକ୍ରମଣ ଘଟଣାରେ ବିଜେପି ଉପରେ ପ୍ରବଳ ବର୍ଷିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ତଥ୍ୟ, ପ୍ରମାଣ ସହିତ ବିଜେପିକୁ ଟାର୍ଗେଟ କରିଛନ୍ତି। କେନ୍ଦୁଝର ସଦର ବିଧାୟକ ମୋହନଚରଣ ମାଝୀଙ୍କୁ ସିଧାସିଧା ଉତ୍ତର ରଖିଛନ୍ତି। କହିଛନ୍ତି, ଅଭିଯୁକ୍ତ ଜଣଙ୍କ ବିଜେପି କର୍ମକର୍ତ୍ତା। ବିଜେପି ନେତାଙ୍କ ସହିତ ତାଙ୍କର କିଛି ଫଟୋ ସାମ୍ବାଦିକମାନଙ୍କୁ ଦେଖାଇଛନ୍ତି।

ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ, ‌‘ତାଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ଗତକାଲି ସଦର ବିଧାୟକ ମୋହନ ଚରଣ ମାଝୀ ଡ୍ରାମା ବୋଲି କହିଥିଲେ। ସେଥିପାଇଁ ଆଜି ସାମ୍ବାଦିକଙ୍କ ଆଗରେ ତଥ୍ୟ ପ୍ରମାଣ ରଖୁଛି।’ ଏହାପରେ ଗିରଫ ଅଭିଯୁକ୍ତ ସଞ୍ଜୟ ମହାନ୍ତିଙ୍କ ସହ ବିଜେପି ନେତାଙ୍କ କିଭଳି ସମ୍ପର୍କ ରହିଛି, ତାହାର ସେ ପ୍ରମାଣ ଦେଇଥିଲେ। ଅଭିଯୁକ୍ତଙ୍କ ସହ ଏକାଧିକ ବିଜେପି ନେତା ଏବଂ କର୍ମକର୍ତ୍ତାଙ୍କ ଫଟୋ ଉପସ୍ଥାପିତ କରିଥିଲେ। ଫଟୋରେ ଅଭିଯୁକ୍ତ ସଞ୍ଜୟ, ସଦର ବିଧାୟକ ମୋହନଚରଣ ମାଝୀଙ୍କ ସମେତ ଏକାଧିକ ନେତାଙ୍କ ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ୍‌ ଅଛନ୍ତି। ଏମିତିକି ଗତ ନୂଆବର୍ଷ ଅବସରରେ ଜିଲ୍ଲା ବିଜେପି ଯୁବମୋର୍ଚ୍ଚାର ସାଧାରଣ ସଂପାଦକ ଭାବେ ସେ ଶୁଭେଚ୍ଛା ଜଣାଇ ହୋର୍ଡିଂ ମାରିଥିବାର ମଧ୍ୟ ପ୍ରମାଣ ଦେଇଥିଲେ ଶ୍ରୀ ପଟ୍ଟନାୟକ।

କେନ୍ଦୁଝର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭାପତି ବିପ୍ଲବ ମିଶ୍ର, ପୂର୍ବତନ ପିସିସି ସଂପାଦକ ସଂଗ୍ରାମ ଦାସ, ବିଧାୟକ ପ୍ରାର୍ଥୀ ବିଦ୍ୟାଧର ଦେହୁରୀ, ପୂର୍ବତନ ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ମୋହନଚରଣ ପରିଡ଼ା, ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପ୍ରମୁଖ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ ‌ଯେ, କେନ୍ଦୁଝର ସହରର କାଶୀପୁରଠାରେ ଦୁଇ ଦିନ ତଳେ ରାତି ସାଢ଼େ ଆଠଟା ସମୟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆସୁଥିବାବେଳେ ସଂଜୟ ମହାନ୍ତିଙ୍କ ସମେତ କିଛି ଯୁବକ ତାଙ୍କ ଗାଡିକୁ ଅଟକାଇ ଗାଳି ଗୁଲଜ ସହିତ ପିଏସ୍‌ଓ ରାଜେଶ ସିଂ ଙ୍କୁ ମାଡ଼ ମାରିଥିଲେ। ଏହାପରେ ପିଏସଓ ଶ୍ରୀ ସିଂହ କେନ୍ଦୁଝର ଟାଉନ ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତ ତଥା ବିଜେପି ଯୁବମୋର୍ଚ୍ଚାର ଜିଲ୍ଲା ସଂପାଦକ ସଂଜୟ ମହାନ୍ତି ଗିରଫ ହୋଇଛନ୍ତି।

ସମ୍ବନ୍ଧିତ ଖବର