ମନରେଗାରେ ଏବେ ମଧ୍ୟ ଆଧାର ଲିଙ୍କ୍ ବାଧକ, ୫ ବର୍ଷରେ ୧୦୩.୨ କୋଟିର ପ୍ରାପ୍ୟ ମିଳିନି

କାମ କରି ବି ମଜୁରିରୁ ବଞ୍ଚିତ ୨ ଲକ୍ଷ ଶ୍ରମିକ ପରିବାର

ଭୁବନେଶ୍ବର : ରାଜ୍ୟରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ‘ମନରେଗା’ରେ ୫ ବର୍ଷରେ ୧୦୩.୨ କୋଟି ଟଙ୍କାର ପ୍ରାପ୍ୟ ମିଳିନି। ଯାହାକି ମନରେଗା ଅନ୍ତର୍ଗତ ଦିଆଯାଉଥିବା ପ୍ରାପ୍ୟର ହାରାହାରି ୫.୨୬ ପ୍ରତିଶତ। ଏଥିଯୋଗୁଁ ପ୍ରାୟ ୨ ଲକ୍ଷ ଶ୍ରମିକଙ୍କ ପରିବାର ମଜୁରିରୁ ବଞ୍ଚିତ ହୋଇଛନ୍ତି। ସାମାଜିକ ସଙ୍ଗଠନ ଲିବରେସନ ଟେକନୋଲୋଜି (ଲିପ୍‌ଟେକ୍‌) ପକ୍ଷରୁ ପ୍ରକାଶ କରାଯାଇଥିବ‌ା ଏକ ସର୍ଭେ ରିପୋର୍ଟରେ ଏହା କୁହାଯାଇଛି।

ଲିପ୍‌ଟେକ୍ ତଥ୍ୟ ଅନୁସାରେ ଶ୍ରମିକମାନେ ପୋଖରୀ, ରାସ୍ତା ନିର୍ମାଣ ସମେତ ବିଭିନ୍ନ ପ୍ରକାର ମାଟି ଖୋଳା କାର୍ଯ୍ୟ ପାଇଁ ୮ରୁ ୯ ଘଣ୍ଟାର କଠିନ ପରିଶ୍ରମ କରିଥିଲେ ବି ନିଜ ପ୍ରାପ୍ୟରୁ ବଞ୍ଚିତ ହୋଇଛନ୍ତି। ୨୦୧୭ ମସିହାରେ ମନରେଗା ଅନ୍ତର୍ଗତ ଶ୍ରମିକମାନଙ୍କୁ ଦିଆଯାଇଥିବା ସମୁଦାୟ ପ୍ରାପ୍ୟର ୩.୧ ପ୍ରତିଶତ ଅର୍ଥାତ ୧୬.୨ କୋଟି, ୨୦୧୮ ମସିହାରେ ସମୁଦାୟ ପ୍ରାପ୍ୟର ୩.୪ ପ୍ରତିଶତ ଅର୍ଥାତ ୧୨.୮ କୋଟି, ୨୦୧୯ ମସିହାରେ ୧୮.୮ କୋଟି ଅର୍ଥାତ ୧୪.୫ ପ୍ରତିଶତ, ୨୦୨୦ ମସିହାରେ ୩୫.୨ କୋଟି ଅର୍ଥାତ ୪.୧ ପ୍ରତିଶତ, ୨୦୨୧ ମସିହାରେ ୨୦.୨ କୋଟି ଅର୍ଥାତ ୧.୨ ପ୍ରତିଶତ ପ୍ରାପ୍ୟ ଶ୍ରମିକଙ୍କୁ ପ୍ରଦାନ କରାଯାଇଥିଲେ ମଧ୍ୟ ଏହା ସେମାନଙ୍କ ଜମାଖାତାକୁ ପହଞ୍ଚି ପାରି ନାହିଁ। ଏଥିଯୋଗୁଁ ଅନେକ ପରିବାର ନିଜ ପ୍ରାଥମିକ ଆବଶ୍ୟକତା ପୂରଣ ପାଇଁ ନାକେଦମ ହୋଇଥିବେ। ଏହି ସଙ୍ଗଠନର ଗବେଷିକା ଅନୁଷ୍କା କହିଛନ୍ତି ଯେ ପ୍ରାପ୍ୟ ନମିଳିବାର ମୁଖ୍ୟ କାରଣ ହେଲା ଆଧାର କାର୍ଡ। ଏଥିରେ ହିତାଧିକାରୀଙ୍କ ଆଧାରକାର୍ଡ, ଜବକାର୍ଡ କିମ୍ବା ଆକାଉଣ୍ଟରେ କୌଣସି ସମସ୍ୟା ନଥାଏ। କିନ୍ତୁ ଏଥିପାଇଁ ଦାୟୀ ହୁଅନ୍ତି ବ୍ୟାଙ୍କ। ବ୍ୟାଙ୍କ ପକ୍ଷରୁ ନେସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ(ଏମପିସିଆଇ) ସହିତ ହିତାଧିକାରୀ ଆଧାର କାର୍ଡ ଲିଙ୍କେଜ କରାଯାଇ ନଥିବାରୁ ନେସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ ଡାଟା ବେସ୍‌ରେ ହିତାଧିକାରୀଙ୍କ ନାମ ଆସେ ନାହିଁ। ଏଥିଯୋଗୁଁ ପ୍ରାପ୍ୟ ତାଙ୍କ ଜମାଖାତାକୁ ଯାଇପାରେ ନାହିଁ। ବର୍ଷାଧିକ ସମୟ ଧରି ରାଜ୍ୟର ବିଭିନ୍ନ ସ୍ଥାନର ଶ୍ରମିକ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ମାତ୍ର ଏଥିପ୍ରତି ସରକାର ଗୁରୁତ୍ବ ଦେଉ ନାହାନ୍ତି। ପ୍ରାପ୍ୟରୁ ବଞ୍ଚିତ ହେବାର ଅନ୍ୟ କାରଣ ମଧ୍ୟରେ ଶ୍ରମିକଙ୍କ ଆକାଉଣ୍ଟ ନମ୍ବର ଭୁଲ ଦିଆଯିବା, ଅନେକ ଦିନ ଧରି ଏଥିରେ ଆକାଉଣ୍ଟରେ କାରବାର ହୋଇନଥିଲେ ବ୍ୟାଙ୍କ ଏହାକୁ ବନ୍ଦ କରିଦିଏ କିମ୍ବା ଜମା ସମୟରେ କୌଣସି ତ୍ରୁଟି ଦେଖାଇଲେ ପ୍ରାପ୍ୟ ଶ୍ରମିକଙ୍କ ପାଖକୁ ପହଞ୍ଚିପାରେ ନାହିଁ। ଏଥିପାଇଁ ଜିଲ୍ଲା ଏବଂ ବ୍ଲକ୍‌ ସ୍ତରରେ ସଚେତନତା ସୃଷ୍ଟି ପାଇଁ ବିଭାଗ ନିକଟରେ ଦାବି ହୋଇଛି।

ମନରେଗାକୁ ନେଇ ପଞ୍ଚାୟତିରାଜ ବିଭାଗକୁ ସଂଗଠନ ପକ୍ଷରୁ ଦିଆଯାଇଥିବା ପତ୍ରରେ କୁହାଯାଇଛି ଯେ ମନରେଗାରେ ସବୁ ଆବେଦନକାରୀଙ୍କୁ କାର୍ଯ୍ୟ ମିଳିବାର ବ୍ୟବସ୍ଥା ରହିଥିଲେ ମଧ୍ୟ ପ୍ରାୟ ସାଢେ ୪ ଲକ୍ଷ ଲୋକ ଆବେଦନ କରି ଏଯାଏ କାର୍ଯ୍ୟ ପାଇ ନାହାନ୍ତି। ୩୪.୯ ଲକ୍ଷ ଘର କାର୍ଯ୍ୟ ପାଇଁ ଆବେଦନ କରିଥିଲେ ମଧ୍ୟ ୨୯.୨ ଲକ୍ଷ ଲୋକଙ୍କୁ ହିଁ କାର୍ଯ୍ୟ ମିଳିଛି। କାର୍ଯ୍ୟ ପାଇବାରେ ଅନୁସୂଚିତ ଜାତି, ମହିଳା ଏବଂ ଭିନ୍ନକ୍ଷମମାନେ ପଛରେ ପଡ଼ି ଯାଇଛନ୍ତି। ମନରେଗାରେ ଜାତୀୟ ସ୍ତରରେ ୩୮.୫ ପ୍ରତିଶତ ଅନୁସୂଚିତ ଜାତି, ୫୪ ପ୍ରତିଶତ ମହିଳା ଏବଂ ୦.୪ ପ୍ରତିଶତ ଭିନ୍ନକ୍ଷମ କାମ ପାଇଛି। ରାଜ୍ୟରେ ଏହି ସଂଖ୍ୟା ହେଲା, ଅନୁସୂଚିତ ଜାତି ବର୍ଗ ୩୨.୨ ପ୍ରତିଶତ, ମହିଳା ୪୬ ପ୍ରତିଶତ ଏବଂ ଭିନ୍ନକ୍ଷମ ୦.୩ ପ୍ରତିଶତ। ରାଜ୍ୟରେ ସମୁଦାୟ ଜନସଂଖ୍ୟାର ୩ ପ୍ରତିଶତ ଭିନ୍ନକ୍ଷମ କିନ୍ତୁ ଆହୁରି କମ୍‌ ସଂଖ୍ୟକ ମନରେଗାରେ ପଞ୍ଜୀକୃତ ହୋଇଛନ୍ତି। ଅଧିକାଂଶ ଗାଁରେ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ଯୋଜନା ପ୍ରସ୍ତୁତ ହେଉ ନାହିଁ। ଏ ସଂକ୍ରାନ୍ତରେ ଦୃଷ୍ଟି ଦେବା ପାଇଁ ସାମାଜିକ କର୍ମକର୍ତ୍ତା ଅରୁଣ ଦିହୁଡ଼ି ଓ ସମୀତ ପଣ୍ଡା ପତ୍ର ଜରିଆରେ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର