ଭୁବନେଶ୍ବର: ଏଣିକି ଜନ୍ମ ହେବା ମାତ୍ରେ ଶିଶୁର ହେବ ଆଧାର ନମ୍ବର। ହସ୍ପିଟାଲରେ ଜନ୍ମ ନେଉଥିବା ଶିଶୁ ଘରେ ପହଞ୍ଚିବା ବେଳକୁ ଆଧାର ସଂଯୋଗ ହୋଇସାରିଥିବ। ଏଥିପାଇଁ ହସ୍ପିଟାଲ ଗୁଡ଼ିକରେ ଚାଇଲଡ୍‌ ଏନରୋଲମେଣ୍ଟ ଲାଇଟ୍‌ କ୍ଲାଏଣ୍ଟ (ସିଇଏଲ୍‌ସି)ର ବ୍ୟବସ୍ଥା କରାଯିବ। ରାଜ୍ୟ ସରକାର ଖୁବଶୀଘ୍ର ଏହି ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଥିବା ସୂଚନା ମିଳିଛି। ୟୁନିକ୍‌ ଆଇଣ୍ଡେଣ୍ଟିଫିକେସନ୍ ଅଥରିଟି ଅଫ ଇଣ୍ଡିଆ(ୟୁଏଡିଏଆଇ)ର ସୂଚନା ଅନୁସାରେ ୨୦୨୦ ମସିହାରେ ରାଜ୍ୟରେ ୦-୫ବର୍ଷର ୪୦ଲକ୍ଷ ୩୬ହଜାର ୯୮୯ ଶିଶୁ ଥିବା ବେଳେ ସେମାନଙ୍କ ମଧ୍ୟରୁ ୧୪ଲକ୍ଷ ୮୩ହଜାର ୫୯୮ଜଣଙ୍କ ଆଧାର ସଂଯୋଗ ହୋଇପାରିଛି। ଯାହାକି ମୋଟ ଶିଶୁଙ୍କ ମଧ୍ୟରୁ ୩୬.୭୫ ପ୍ରତିଶତ।

Advertisment

୫-୧୮ବର୍ଷର ୮୧ ପ୍ରତିଶତ ଓ ୧୮ବର୍ଷରୁ ଅଧିକ ୧୦୯ ପ୍ରତିଶତ ଲୋକଙ୍କ ଆଧାର ସଂଯୋଗ କରାଯାଇଛି। ରାଜ୍ୟର ୨୦୨୦ରେ ୪କୋଟି ୬୩ଲକ୍ଷ ୫୬ହଜାର ୩୩୪ ଜନସଂଖ୍ୟାର ୯୬.୧୭ ପ୍ରତିଶତ ବା ୪କୋଟି ୪୫ଲକ୍ଷ ୭୯ହଜାର ୮୫୩ଜଣ ଆଧାର ପଞ୍ଜୀକୃତ ହୋଇଛନ୍ତି। ୧୮ବର୍ଷରୁ ଅଧିକ ବର୍ଗର ଲୋକଙ୍କ ଆଧାର ସଂଯୋଗ ‌କ୍ଷେତ୍ରରେ ଓଡ଼ିଶାର ପ୍ରଦର୍ଶନ ଦେଶବ୍ୟାପୀ ବେଶ୍‌ ଭଲ ରହିଛି। ମାତ୍ର ୦-୫ବର୍ଷର ଶିଶୁଙ୍କ କ୍ଷେତ୍ରରେ ଏହା କମ୍ ରହିଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ତେଣୁ ଜନ୍ମ ସମୟରେ ଆଧାର ପଞ୍ଜୀକରଣ ବା ଏଏଲ୍‌ବିଆର୍‌ ଜରିଆରେ ୫ବର୍ଷରୁ କମ୍ ଶିଶୁଙ୍କ ପଞ୍ଜୀକରଣ ଉପରେ ଗୁରୁତ୍ବ ଦିଆଯାଇଛି।

ରାଜ୍ୟର ୫୪୯ଟି ସରକାରୀ ହସ୍ପିଟାଲରେ ସିଇଏଲ୍‌ସିର ବ୍ୟବସ୍ଥା କରାଯିବ। ଏଥିପାଇଁ ୧କୋଟିରୁ ଅଧିକ ଅର୍ଥ ଖର୍ଚ ହେବ। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପିଲାଙ୍କ ପଞ୍ଜୀକରଣ ଅଭାବରୁ ରାଜ୍ୟରେ ଆଧାର ପଞ୍ଜୀକରଣ ଶତ ପ୍ରତିଶତ ହୋଇପାରୁ ନାହିଁ। ତେଣୁ ଏଏଲବିଆର ଜରିଆରେ ୫ବର୍ଷରୁ କମ୍ ପିଲାଙ୍କ ପଞ୍ଜୀକରଣ କରାଯିବ। ଏଥିପାଇଁ ୫୪୯ଟି ହସ୍ପିଟାଲକୁ ଚିହ୍ନଟ କରାଯାଇଥିଲେ ହେଁ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୦୦ଟି ହସ୍ପିଟାଲକୁ ଏହାକୁ କାର୍ଯ୍ୟକାରୀ କରିବା ଲାଗି ଉଦ୍ୟମ କରାଯାଉଛି।