ନବଜାତକଙ୍କ ଆଧାର ପଞ୍ଜୀକରଣ ‘ବାଲ୍ ଆଧାର’ର ଶୁଭାରମ୍ଭ

୫ବର୍ଷ ପର୍ଯ୍ୟନ୍ତ ଶିଶୁର ବାୟୋମେଟ୍ରିକ୍ ଅନିବାର୍ଯ୍ୟ ନୁହେଁ

ଭୁବନେଶ୍ବର : ଗୁରୁବାରଠାରୁ ରାଜ୍ୟରେ ଶିଶୁ ଜନ୍ମ ପରେ ଆଧାର ସଂଯୋଗ ପ୍ରମାଣପତ୍ର ‘ବାଲ୍ ଆଧାର’ ଅଭିଯାନ ଆରମ୍ଭ ହୋଇଛି। କ୍ୟାପିଟାଲ ହସ୍ପିଟାଲରେ ଏହାର ଶୁଭାରମ୍ଭ ହୋଇଛି। ପ୍ରଥମ ଦିନରେ ୫ଜଣ ଶିଶୁଙ୍କ ଆଧାର ସଂଯୋଗ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୮୨ଟି ଡେଲିଭରି ପଏଣ୍ଟରେ ଏହା କାର୍ଯ୍ୟକାରୀ କରାଯାଇଛି।

ପ୍ରଥମ ଦିନରେ ୫ନବଜାତକଙ୍କ ଆଧାର ସଂଯୋଗ
ରାଜ୍ୟରେ ୦-୫ବର୍ଷର ୩୦ଲକ୍ଷରୁ ଅଧିକ ଶିଶୁ

ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଜନ୍ମ ପଞ୍ଜୀକରଣ ଓ ସାର୍ଟିଫିକେଟ୍‌ ଶିଶୁର ପ୍ରଥମ ଅଧିକାର। ଆଧାର କାର୍ଡ ଦ୍ବାରା ସରକାରୀ ସେବା ପାଇବା ସହଜ ହୋଇଥାଏ। ତେବେ ବାଲ୍‌ ଆଧାର ପଞ୍ଜୀକରଣ ପାଇଁ ମା’ କିମ୍ବା ବାପାଙ୍କ ମଧ୍ୟରୁ ଜଣଙ୍କର ମୋବାଇଲ ନମ୍ବର ରହିବା ଆବଶ୍ୟକ। ୫ବର୍ଷ ପର୍ଯ୍ୟନ୍ତ ଶିଶୁର ବା‌ୟୋମେଟ୍ରିକ୍ସ ଅନିବାର୍ଯ୍ୟ ନୁହେଁ। ତେବେ ଶିଶୁଙ୍କ ଆଧାର‌ରେ ମଧ୍ୟ ବୟସ୍କଙ୍କ ଭଳି ୧୨ ନମ୍ବର ବିଶିଷ୍ଟ ହେବ। ମାତ୍ର ମା’ କିମ୍ବା ବାପା କୌଣସି ଜଣଙ୍କ ପାଖରେ ଆଧାର ଥିବା ଜରୁରୀ। ପରବର୍ତୀ ସମୟରେ ଜଣେ ଶିଶୁର ଦୁଇଥର ଆଧାର ନବୀକରଣ କରାଯିବ। ଶିଶୁକୁ ୫ ଓ ୧୫ବର୍ଷ ହେବା ପରେ ଆଙ୍ଗୁଠି, ଆଖି ଓ ମୁହଁ ଇତ୍ୟାଦିର ବାୟୋମେଟ୍ରିକ୍ସ ନିଆଯିବ। ବାଲ୍ ଆଧାର ପାଇଁ କେନ୍ଦ୍ର ସରକାର ଚାଇଲ୍‌ଡ ଏନ୍‌ରୋଲମେଣ୍ଟ ଲାଇଟ୍‌ କ୍ଲାଏଣ୍ଟ(ସିଇଏଲ୍‌ସି) କିଟ୍‌ ଯୋଗାଇ ଦେଇଥିବା ବେଳେ ଏଥିପାଇଁ ୧.୯୮କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି।

ରାଜ୍ୟ ସ୍ବାସ୍ଥ୍ୟ ସତର୍କତା ଓ ସ୍ବାସ୍ଥ୍ୟ ପରିସଂଖ୍ୟାନ ନିର୍ଦେଶକ ଡା.ସଂଯୁକ୍ତା ସାହୁ କହିଛନ୍ତି, ଶିଶୁଙ୍କ ଆଧାର ସଂଯୋଗ ନେଇ ପରୀକ୍ଷାମୂଳକ ପରୀକ୍ଷଣ ଜାରି ରହିଥିଲା। ଆଜି ତାହା ସଫଳ ହୋଇଛି। ୦-୫ବର୍ଷର ରାଜ୍ୟରେ ୩୦ଲକ୍ଷରୁ ଅଧିକ ଶିଶୁ ରହିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟର ୮୨ଟି ଡେଲିଭରି ପଏଣ୍ଟ ବିଶେଷକରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ମେଡିକାଲ କଲେଜ ଓ ଉପଖଣ୍ଡ ଚିକିତ୍ସାଳୟରେ ଏହାକୁ କାର୍ଯ୍ୟକାରୀ କରାଯାଇଛି। ଆସନ୍ତା ୧ମାସ ଭିତରେ ରାଜ୍ୟର ୨୫୦ଟି କେନ୍ଦ୍ରରେ ଏହା କାର୍ଯ୍ୟକାରୀ ହେବ। ଶିଶୁଙ୍କ ଆଧାର ସଂଯୋଗ କରିବା ଲାଗି ସେମାନଙ୍କ ପିତାମାତାଙ୍କୁ ପ୍ରୋତ୍ସାହିତ କରାଯିବ। ଏଥିପାଇଁ ରାଜ୍ୟବ୍ୟାପୀ ସଚେତନତା କାର୍ଯ୍ୟକ୍ରମ କରାଯିବ। ଜନ୍ମ-ମୃତ୍ୟୁ ପଞ୍ଜୀକରଣ ପାଇଁ ରାଜ୍ୟ ସରକାରଙ୍କ ସହିତ ଓବିଡିଆରଏସ୍‌ ଆପ୍ ଜରିଆରେ ସେମାନେ ନିଜ ଶିଶୁର ଉଭୟ ଜନ୍ମ ଓ ଆଧାର ପଞ୍ଜୀକରଣ କରିପାରିବେ। ଜନସେବା କେନ୍ଦ୍ରରେ ମଧ୍ୟ ଜଣେ ଚାହିଁଲେ ନିଜ ଶିଶୁର ଆଧାର ସଂଯୋଗ କରିପାରିବେ ବୋଲି ଡା.ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର