ବ୍ୟାଙ୍କ, ମୋବାଇଲ୍‌ ପାଇଁ ଆଧାର ନିୟମ ବଦଳିଲା

ନୂଆଦିଲ୍ଲୀ : ମୋବାଇଲ ନମ୍ବର ଏବଂ ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର ବ୍ୟବହାରକୁ ଅନୁମତି ମିଳିବ। ସରକାର ଏଥିପାଇଁ ଆଇନରେ ସଂଶୋଧନ ଆଣିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁ‌ଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଇଏ) ଏହି ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଟେଲିଗ୍ରାଫ ଆଇନ ଓ ପ୍ରିଭେନସନ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମ୍‌ଏଲ୍ଏ)ରେ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରି ପ୍ରଦାନ କରିଛି। ଘରୋଇ କମ୍ପାନିଙ୍କ ପାଇଁ ସୁପ୍ରିମକୋର୍ଟ ଗତ ସେପ୍ଟେମ୍ବରରେ ଆଧାର ତଥ୍ୟ ବ୍ୟବହାର ଉପରେ କଟକଣା ଲଗାଇଥିଲେ। ଆଇନରେ ସଂଶୋଧନ ଆସିଲେ ସେମାନଙ୍କ ପାଇଁ ଆଧାର ତଥ୍ୟ ବ୍ୟବହାର ସହଜ ହେବ।

ମୋବାଇଲ ଫୋନ୍‌ର ନୂଆ ସିମ୍ ନେବା ସହିତ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ପାଇଁ ଗ୍ରାହକମାନେ ସ୍ବେଚ୍ଛାକୃତ ଭାବେ ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର ଦେବା ଲାଗି ଉପରୋକ୍ତ ଆଇନ ଦୁଇଟିରେ ସଂଶୋଧନ ଅଣାଯିବ। ଉଲ୍ଲେଖଯୋଗ୍ୟ ଯେ, ସୁପ୍ରିମକୋର୍ଟ ଆଧାର ଆଇନର ଧାରା ୫୭କୁ ଅକାମୀ କରି ଦେଇଥିଲେ। ଏହି ଆଇନ ଅନୁଯାୟୀ, ସିମ୍ ପାଇଁ ଏବଂ ବ୍ୟାଙ୍କ ଆକାଉଣ୍ଟ ପାଇଁ ଆଧାର ସିଡିଂକୁ ବାଧ୍ୟତାମୂଳକ କରାଯାଇଥିଲା। ଏ ନେଇ ଆଇନଗତ ବ୍ୟବସ୍ଥା ନାହିଁ ବୋଲି କହିବା ସହିତ ସୁପ୍ରିମକୋର୍ଟ ଉପରୋକ୍ତ ରାୟ ଦେଇଥିଲେ। ମୋବାଇଲ ସିମ୍ ପାଇଁ ଆଧାର ନମ୍ବର ସିଡିଂ ଜନିତ ଅସୁବିଧାକୁ ଦୂର କରିବା ପାଇଁ ଟେଲିଗ୍ରାଫ୍‌ ଆଇନରେ ସଂଶୋଧନ ଅଣାଯିବ। ସେହିଭଳି ବ୍ୟାଙ୍କ ଆକାଉଣ୍ଟ ଖୋଲିବା ସମୟରେ ଆପଣଙ୍କ ଗ୍ରାହକଙ୍କୁ ଜାଣନ୍ତୁ (କେୱାଇସି) ବିକଳ୍ପ ଭାବେ ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର ନମ୍ବରକୁ ସିଡିଂ ସୁବିଧା ଯୋଗାଇ ଦେବା ପାଇଁ ପିଏମ୍‌ଏଲ୍‌ଏରେ ସଂଶୋଧନ ଅଣାଯିବ।

ସମ୍ବନ୍ଧିତ ଖବର