ଦିବ୍ୟାଙ୍ଗ ବୋଲି ହେଇପାରୁନି ଆଧାରକାର୍ଡ, ସନ୍ତାନଙ୍କ ଭବିଷ୍ୟତ ଚିନ୍ତାରେ ବିଶ୍ବନାଥ

କାଲିମେଳା/ପଡ଼ିଆ: ବିଶ୍ବନାଥ ସ୍ବର୍ଣ୍ଣକାର। ଘର ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି–୫୬ ଗାଁରେ। ୧୬ବର୍ଷ ତଳେ ବିବାହ କରିଥିଲେ। ଝିଅ ରୂପରେ ଜନ୍ମ ନେଇଥିଲା ପ୍ରଥମ ସନ୍ତାନ। ଏଥିରେ ପୂରା ପରିବାରର ଖୁସିର ସୀମା ରହିନଥିଲା। ପୁଣି ଦ୍ବିତୀୟ ଗର୍ଭରେ କନ୍ୟାସନ୍ତାନ ଜନ୍ମ ହୋଇଥିଲା। ଦୁଇ ଝିଅଙ୍କୁ ପାଇଁ ଆଦୌ ଚିନ୍ତିତ କିମ୍ବା ଦୁଃଖୀ ନଥିଲେ ବିଶ୍ବାସ। ଦୁଇ ଝିଅ ହିଁ ବାର୍ଦ୍ଧକ୍ୟରେ ସାହାରା ସାଜିବେ ବୋଲି ପ୍ରବଳ ବିଶ୍ବାସ ରହିଥିଲା।

ତେବେ ଏହି ଆତ୍ମବିଶ୍ବାସ ବହୁଦିନ ରହିନଥିଲା। କାରଣ ଦ୍ବିତୀୟ ଝିଅ ଅପର୍ଣ୍ଣା ଥିଲା ଦିବ୍ୟାଙ୍ଗ। ହାତଗୋଡ଼ ଅଚଳ ହୋଇଥିବା ବେଳେ ବାପା, ମା’ଙ୍କ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ। ବର୍ତ୍ତମାନ ଅପର୍ଣ୍ଣାର ବୟସ ୧୦ବର୍ଷ ହେଲାଣି। ବିଛଣାରୁ ଉଠିପାରୁ ନଥିବା ବେଳେ ବାପା, ମା’ଙ୍କ ଚିନ୍ତା ବୟସ ସହ ବଢ଼ି ଚାଲିଛି। ଗାଧୋଇବା ଠାରୁ ଆରମ୍ଭ କରି ଅନ୍ୟ ସମସ୍ତ କାମ ବିଶ୍ବନାଥ ଓ ପତ୍ନୀ କରି ଆସୁଛନ୍ତି। ଏତିକିରେ ଏହି ପରିବାରର ଦୁଃଖ ଶେଷ ହୋଇ ନଥିଲା। ତୃତୀୟ ସନ୍ତାନ ରୂପେ ଶିଶୁପୁତ୍ର କୋଳକୁ ଆସିଥିଲା। ଦିବ୍ୟାଙ୍ଗ ଝିଅର ଦୁଃଖ ପୁଅ ଜନ୍ମ ହେବାରୁ କିଛିଟା ଲାଘବ ହୋଇଥିଲା। କିନ୍ତୁ ଏଥର ବି ଭାଗ୍ୟ ତାଙ୍କ ଉପରେ ସଦୟ ନହୋଇ ନିଷ୍ଠୁର ପାଲଟିଲା। ପୁଅ ମଧ୍ୟ ଦିବ୍ୟାଙ୍ଗ ବୋଲି ଜାଣିବା ପରେ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ବିଶ୍ବନାଥ। ସମୟକ୍ରମେ ଏହି ଦୁଃଖକୁ ଭୁଲିବାକୁ ଚେଷ୍ଟା କଲେ ମଧ୍ୟ ପାରୁନାହାନ୍ତି। ପୁଅ ବିଶ୍ବନାଥ ଏବଂ ଝିଅ ଅପର୍ଣ୍ଣାର ସଂପୂର୍ଣ୍ଣ ଦାୟିତ୍ବ ନେବାକୁ ପଡ଼ୁଛି। ପୁଅର ମସ୍ତିଷ୍କ ମଧ୍ୟ ସଠିକ୍ ଭାବେ କାର୍ଯ୍ୟକ୍ଷମ ହୋଇପାରୁ ନଥିବା ଜଣାପଡ଼ିଛି।

ବଡ଼ ଝିଅ ବୀଣା ସଂପୂର୍ଣ୍ଣ ସୁସ୍ଥ ଥିବା ବେଳେ ଏବେ ଭାଇଭଉଣୀଙ୍କ ଦାୟିତ୍ବ ନେଇଥିବା ଦେଖିବାକୁ ମିଳିଛି। ଏଥିପାଇଁ ତାକୁ ଅଧାରୁ ସ୍କୁଲ ଛାଡ଼ିବାକୁ ମଧ୍ୟ ପଡ଼ିଥିବା ଜଣାପଡ଼ିଛି। ବିଡ଼ମ୍ବନାର ବିଷୟ ହେଲା ଝିଅ ଅପର୍ଣ୍ଣାର ହାତଗୋଡ଼ି ଠିକ୍ ରୂପେ କାମ କରୁନଥିବାରୁ ଆଧାରକାର୍ଡ ଏପର୍ଯ୍ୟନ୍ତ ହୋଇପାରି ନାହିଁ। ଯାହାଫଳରେ ଟଙ୍କିକିଆ ଚାଉଳରୁ ବଞ୍ଚିତ ହୋଇଥିବା କ୍ଷୋଭର ସହ ବିଶ୍ବନାଥ କହିଛନ୍ତି। ଦୁଇ ଦିବ୍ୟାଙ୍କ ସନ୍ତାନଙ୍କ ଚିକିତ୍ସା ପାଇଁ ପ୍ରଥମେ କାଲିମେଳା ଓ ପରେ ମାଲକାନଗିରି ଡାକ୍ତରଖାନାକୁ ଯାଇ ଡାକ୍ତରଙ୍କୁ ଦେଖାଇଥିଲେ। କିଛି ଦିନର ଚିକିତ୍ସା ପରେ ବିନା ଅସ୍ତ୍ରୋପଚାରରେ ଦୁହେଁ ସଂପୂର୍ଣ୍ଣ ସୁସ୍ଥ ହେବା କଷ୍ଟକର ବୋଲି ଡାକ୍ତର କହିଥିଲେ। ତେଣୁ ସମ୍ବଳ ଅଭାବରୁ ଉଭୟଙ୍କୁ ନେଇ ଘରକୁ ଚାଲି ଆସିବାକୁ ବିଶ୍ବନାଥ ବାଧ୍ୟ ହୋଇଥିଲେ। ଲକ୍ଷାଧିକ ଟଙ୍କା ଆବଶ୍ୟକ ପଡ଼ୁଥିବାରୁ ଏତେ ଟଙ୍କା କେଉଁଠୁ ଆଣିବେ ବୋଲି ପ୍ରଶ୍ନ କରିଛନ୍ତି। ଟେଲରିଂ କରି ଯାହା ରୋଜଗାର କରୁଛନ୍ତି ସେଥିରେ ପରିବାର ଚଳାଇବାକୁ କଷ୍ଟକର ହେଉଛି। ଏମିତି ସ୍ଥିତିରେ ଦୁଇ ଦିବ୍ୟାଙ୍ଗ ଶିଶୁଙ୍କ ଭବିଷ୍ୟତ ତାଙ୍କୁ ଅଧିକ ଚିନ୍ତାରେ ପଡ଼ି ଭଗବାନଙ୍କ ଉପରେ ସବୁ ଛାଡ଼ି ଦେଇଛନ୍ତି। ଏ ସଂପର୍କରେ କାଲିମେଳା ଡାକ୍ତରଖାନାର ଡାକ୍ତର ହୁସେନ ଖାନଙ୍କୁ ପଚାରିବାରୁ ଦୁଇ ଶିଶୁ ଜନ୍ମରୁ ଦିବ୍ୟାଙ୍ଗ ହୋଇଥିବା ଅନୁମାନ କରାଯାଉଛି। ଉଭୟଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ ଯାହା କିଛି କହିପାରିବେ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର