ମାଗଣାରେ ମେଡିକାଲ କୋଚିଂ: ପିଲା ଚିହ୍ନଟ କରିବ ଆକାଶ ଇନ୍‌ଷ୍ଟିଚ୍ୟୁଟ୍‌

ଭୁବନେଶ୍ବର : ରାଜ୍ୟର ଆର୍ଥିକ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମାଗଣାରେ ଆବାସିକ ମେଡିକାଲ କୋଚିଂ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗ୍ରହ ପ୍ରକାଶ କରିଛନ୍ତି। ଆଇଆଇଟି ଓ ଏନ୍‌ଆଇଟି କୋଚିଂ ପାଇଁ ଓଡ଼ିଶା ଖଣି ନିଗମ(ଓଏମ୍‌ସି)ର ‘ଓଏମ୍‌ସି ସୁପର’ ସଫଳତା ପରେ ସେହି ଢ଼ାଞ୍ଚାରେ ଅନ୍ୟ ସରକାରୀ ଉଦ୍ୟୋଗଗୁଡ଼ିକ ସହାୟତାରେ ମାଗଣା ମେଡିକାଲ କୋଚିଂ ପ୍ରଦାନ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଶକ୍ତି କ୍ଷେତ୍ରରେ କାମ କରୁଥିବା ସରକାରୀ ସଂସ୍ଥାଗୁଡ଼ିକର ମିଳିତ କର୍ପୋରେଟ୍‌ ସାମାଜିକ ଦାୟିତ୍ବବୋଧ(ସିଏସ୍‌ଆର) କାର୍ଯ୍ୟ ଭାବେ ‘ଏମ୍‌ ପାୱାର-ପାୱାରିଂ ଏଜୁକେସନ’ ନାମକ ଅଭିଯାନ ଆରମ୍ଭ କରାଯାଇଛି। ଏହା ଅଧୀନରେ ମାଗଣା ଆବାସିକ ମେଡିକାଲ କୋଚିଂ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ୨୦୧୭-୧୮ ଶିକ୍ଷାବର୍ଷରେ ୩୯ ଛାତ୍ରଛାତ୍ରୀଙ୍କୁ ଏହି ଅଭିଯାନର ଅଂଶ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୬ ଜଣ ସରକାରୀ ମେଡିକାଲ କଲେଜରେ ନାମ ଲେଖାଇବାକୁ ସଫଳତା ପାଇଛନ୍ତି।

ଏହି ଅଭିଯାନକୁ ଅଧିକ ପ୍ରଭାବଶାଳୀ କରିବା ଓ ଆହୁରି ଭଲ ଫଳାଫଳ ହାସଲ ପାଇଁ ‘ଆକାଶ’ ଇନ୍‌ଷ୍ଟିଚ୍ୟୁଟ୍‌କୁ ସହଯୋଗୀ ଅନୁଷ୍ଠାନ ଭାବେ ଚୟନ କରାଯାଇଛି। ଚଳିତ ଶିକ୍ଷାବର୍ଷରୁ ଏହା ସହଯୋଗୀ ଭାବେ କାର୍ଯ୍ୟ କରିବ। ଏହାର ଭୁବନେଶ୍ବରଠାରେ ଥିବା କେନ୍ଦ୍ରରେ ଏବେ ୫୦ ଜଣ ଛାତ୍ରଛାତ୍ରୀ ମାଗଣା ଆବାସିକ କୋଚିଂ ସୁବିଧା ଗ୍ରହଣ କରୁଛନ୍ତି। ଏହି ଅଭିଯାନରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରାଯାଉଛି। ୨୦୧୯-୨୦ ଶିକ୍ଷାବର୍ଷ ପାଇଁ ଛାତ୍ରଛାତ୍ରୀ ଚୟନ ବେଳେ ଜିଲ୍ଲା ପ୍ରଶାସନର ସହାୟତା ନିଆଯିବ। ଏହାବ୍ୟତୀତ ସ୍କୁଲ ଓ କଲେଜଗୁଡ଼ିକରେ ମଧ୍ୟ ଏନେଇ ସଚେତନତା ସୃଷ୍ଟି କରାଯିବ। ଯେଉଁ ଛାତ୍ରଛାତ୍ରୀଙ୍କ ପରିବାରର ବାର୍ଷିକ ଆୟ ୬ ଲକ୍ଷ ଟଙ୍କାରୁ କମ୍‌ ସେମାନେ ଚୟନ ପରୀକ୍ଷାରେ ଅଂଶଗ୍ରହଣ କରିପାରିବେ। ‘ଆକାଶ’ ଇନ୍‌ଷ୍ଟିଚ୍ୟୁଟ୍‌ ପକ୍ଷରୁ ବିଭିନ୍ନ ଜିଲ୍ଲାରେ ଏହି ପରୀକ୍ଷାର ଆୟୋଜନ କରାଯିବ। ଗରିବ ମେଧାବୀ ପିଲାଙ୍କୁ ଚିହ୍ନଟ କରିବା ପାଇଁ ସବୁ ଜିଲ୍ଲାକୁ ପ୍ରତିନିଧି ପଠାଇବା ନିମନ୍ତେ ଆକାଶ ଇନ୍‌ଷ୍ଟିଚ୍ୟୁଟ୍‌କୁ ସରକାର କହିଛନ୍ତି। ମାଗଣା ମେଡ଼ିକାଲ କୋଚିଂ ଅଭିଯାନ ସହିତ ଓଏମ୍‌ସିର କୌଣସି ସମ୍ପର୍କ ନାହିଁ।

ସମ୍ବନ୍ଧିତ ଖବର