ଦିଲ୍ଲୀରେ ଆମ୍‌ ଆଦ୍‌ମୀ ପାର୍ଟିର ବିଜୟ ପରେ ସଞ୍ଜୟ ସିଂହଙ୍କୁ ନେଇ ଓଡ଼ିଶାରେ ବି ଚର୍ଚ୍ଚା

କେନ୍ଦୁଝର ମାଇନିଂ ଇଞ୍ଜିନିୟରିଂର ଛାତ୍ର ଥିଲେ
ଅନ୍ୟମାନଙ୍କୁ ସହଯୋଗ କରୁଥିଲେ
ଶୃଙ୍ଖଳିତ ଥିଲେ, ନେତୃତ୍ବ ନେବାର ଦକ୍ଷତା ଥିଲା

କେନ୍ଦୁଝର : ଦିଲ୍ଲୀରେ ଆମ୍‌ ଆଦ୍‌ମୀ ପାର୍ଟିର ବିଜୟ ପରେ ବିଭିନ୍ନ ମହଲରୁ ଦଳକୁ ଶୁଭେଚ୍ଛାର ସୁଅ ଛୁଟୁଛି। କେବଳ ଦିଲ୍ଲୀ ନୁହେଁ, ଦେଶର ବିଭିନ୍ନ ସ୍ଥାନରେ ଲୋକେ ବିଜୟ ଉତ୍ସବ ପାଳନ କରିଛନ୍ତି। ଆପ୍‌ର ଏହି ସଫଳତା ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ ଦଳର ଚାଣକ୍ୟ ତଥା ରାଜ୍ୟସଭା ସାଂସଦ ସଂଜୟ ସିଂହ। ସଂଜୟ କେନ୍ଦୁଝରସ୍ଥିତ ଓଡ଼ିଶା ସ୍କୁଲ ମାଇନିଂ ଇଞ୍ଜିନିୟରିଂର ଛାତ୍ର ଥିଲେ। ତାଙ୍କ ଦଳ ଦିଲ୍ଲୀରେ ନିର୍ବାଚନ ଜିତିବା ପରେ ସଂଜୟଙ୍କ ସହ ପାଠ ପଢ଼ୁଥିବା ତାଙ୍କ ସାଙ୍ଗସାଥୀ ଓ ଅଧ୍ୟାପକଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି।

ରାଜ୍ୟସଭା ସାଂସଦ ସଂଜୟ ସିଂହଙ୍କ ଘର ଉତ୍ତର ପ୍ରଦେଶର ସୁଲତାନପୁରରେ। ତାଙ୍କ ବାପା ଓଡ଼ିଶାରେ ମହାନଦୀ କୋଲଫିଲଡ୍‌ସ ଲିମିଟେଡରେ ଚାକିରି କରୁଥିବା କାରଣରୁ ସଂଜୟ କେନ୍ଦୁଝରସ୍ଥିତ ଓଡ଼ିଶା ସ୍କୁଲ ଅଫ୍‌ ମାଇନିଂ ଇଞ୍ଜିନିୟରିଂ (ଓଏସ୍‌ଏମ୍‌ଇ)ରେ ୧୯୮୮ ମସିହାରେ ମାଇନିଂ ବିଭାଗରେ ନାମ ଲେଖାଇଥିଲେ। ଏଠାରେ ସେ ୧୯୯୧ ମସିହା ପର୍ଯ୍ୟନ୍ତ ପାଠ ପଢ଼ିଥିଲେ। ଏଠାକାର ରାଣୀମହଲ, ରାଜମହଲ ଓ ଜୁବୁଲି ହଷ୍ଟେଲରେ ରହୁଥିଲେ। ହଷ୍ଟେଲରେ ସେତେବେଳେ ସଂଜୟଙ୍କ ରୁମ୍‌ମେଟ୍‌ ଥିଲେ ରଜତ ସାହୁ। ସେ ବର୍ତ୍ତମାନ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟରେ କାର୍ଯ୍ୟରତ। ସବୁଠୁ ବଡ଼ କଥା ‌ହେଉଛି, ସେତେବେଳେ ମାଇନିଂ ବିଭାଗର ଅଧ୍ୟାପକ ଥିବା ରାଧାକୃଷ୍ଣ ପରମାଣିକ ଏବେ ଓଏସ୍‌ଏମ୍‌ଇର ଅଧ୍ୟକ୍ଷ।
ଆମ୍ ଆଦ୍‌ମୀ ପାର୍ଟି ଦିଲ୍ଲୀ ନିର୍ବାଚନରେ ବିଜୟୀ ହେବା ପରେ ଓଏସ୍‌ଏମ୍‌ଇରେ ସଂଜୟ ସିଂହଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ମାର୍ଚ୍ଚ ୭ ତାରିଖରେ ପୁରୁଣା ଛାତ୍ରଛାତ୍ରୀଙ୍କୁ ଏକ ସମ୍ମିଳନୀ ଆୟୋଜନ କରାଯାଉଥିବା ବେଳେ ଏଥିରେ ମୁଖ୍ୟ ଆକର୍ଷଣ ସାଜିବେ ରାଜ୍ୟସଭା ସାଂସଦ ସଂଜୟ ସିଂହ। ତାଙ୍କ ସହ ପାଠପଢ଼ା ସମୟର କଥାକୁ ମନେ ପକାଇ ପୁରୁଣା ବନ୍ଧୁ ରଜତ କହିଛନ୍ତି, ‘ ଆମେ ଦୁହେଁ ହଷ୍ଟେଲରେ ଗୋଟିଏ ରୁମ୍‌ରେ ରହୁଥିଲୁ। ସଂଜୟ ସବୁବେଳେ ଅନ୍ୟମାନଙ୍କୁ ସହଯୋଗ କରୁଥିଲେ। ଘରୁ ଯେଉଁ ମନିଅର୍ଡର ଆସେ ତାହା ସେ ସାଙ୍ଗମାନଙ୍କ ପାଇଁ ଖର୍ଚ୍ଚ କରିଦେଉଥିଲେ। ମାସ ଶେଷକୁ ଟଙ୍କା ନିଅଣ୍ଟ ପଡ଼ିଲେ ମୋ ପାଖରୁ ଧାର ନେଉଥିଲେ। ସଂଜୟଙ୍କ ସବୁଠୁ ଭଲ ଗୁଣ ହେଉଛି, ସେ କାହା ବି‌ରୋଧରେ କେବେ କିଛି ଖରାପ କଥା କହୁ ନଥିଲେ। ପାଠପଢ଼ା ପରେ ସେ ଚାକିରି ପଛରେ ନ ଗୋଡ଼ାଇ ଗୁଜୁରାଟର ଭୂମିକମ୍ପ, ସୁନାମି ଓ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ସମୁଖୀନ ହୋଇଥିବା ଲୋକଙ୍କୁ ସହଯୋଗ କରିବାକୁ ବିଭିନ୍ନ ସ୍ଥାନ ଭ୍ରମଣ କରୁଥିଲେ,’ ବୋଲି ରଜତ କହିଛନ୍ତି। ସେହିପରି ସେତେ‌ବେଳର ଅଧ୍ୟାପକ ତଥା ବର୍ତ୍ତମାନର ଅଧ୍ୟକ୍ଷ ରାଧାକୃଷ୍ଣ ପରମାଣିକ କହିଛନ୍ତି, ସଂଜୟ ମାଇନିଂ ବିଭାଗରେ ଛାତ୍ର ଥିଲେ। ସେ ବହୁତ ଶୃଙ୍ଖଳିତ ଥିଲେ। ତାଙ୍କ ଭିତରେ ନେତୃତ୍ବ ନେବାର ଦକ୍ଷତା ଥିଲା ବୋଲି ଶ୍ରୀ ପରମାଣିକ କହିଛନ୍ତି।

ସମ୍ବନ୍ଧିତ ଖବର