ଭୁବନେଶ୍ୱର: ପବିତ୍ର ମକର ସଂକ୍ରାନ୍ତି ତଥା ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଜନ୍ମତିଥିରେ ଆଜି ‘ଆମ ଓଡ଼ିଶା’ ପକ୍ଷରୁ ପ୍ରକାଶିତ ‘ଆମ ଫକୀରମୋହନ’ ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଏହାକୁ ଉନ୍ମୋଚନ କରିଥିଲେ ଖଣ୍ଡପଡ଼ା ବିଧାୟକ ତଥା ‘ଆମ ଓଡ଼ିଶା’ ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପୁସ୍ତକର ଲେଖକ ରବୀନ୍ଦ୍ର କୁମାର ପ୍ରହରାଜ, ପୂର୍ବତନ ପ୍ରଶାସକ ତଥା କବି ରବିନାରାୟଣ ସେନାପତି, ଉତ୍କଳ ସାହିତ୍ୟ ସମାଜର ସଭାପତି ଗୋବିନ୍ଦ ଚନ୍ଦ୍ର ଚାନ୍ଦ ଓ ବୈଷୟିକ ବିଶେଷଜ୍ଞ ଅଭିଜିତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ‘ଆମ ଓଡ଼ିଶା’ ସଂପାଦକ ସ୍ବରାଜ ମିଶ୍ର ସଂଯୋଜନା କରିଥିବା ବେଳେ ପ୍ରକାଶନ ସଂପାଦକ ଅସିତ ମହାନ୍ତି ପୁସ୍ତକ ସଂପର୍କରେ ସୂଚନା ଦେଇଥିଲେ।

Advertisment

ପୁସ୍ତକ ଉନ୍ମୋଚନ କରିବା ଅବସରରେ ଶ୍ରୀ ପଟ୍ଟନାୟକ କହିଲେ, ଫକୀର ମୋହନଙ୍କ ପରି ଓଡ଼ିଶାର ତଥା ଓଡ଼ିଆ ଭାଷାର ପ୍ରଣମ୍ୟ ପୁରୁଷଙ୍କୁ ଏହି ପୁସ୍ତକ ନୂଆ ପିଢ଼ି ନିକଟରେ ପରିଚିତ କରାଇ ପାରିବ। ଯେଉଁମାନଙ୍କ ପାଖରେ ଗ୍ରନ୍ଥାବଳୀ ବା ତାଙ୍କର ସମଗ୍ର ରଚନା ପାଠ କରିବା ପାଇଁ ସମୟ ବା ସମ୍ବଳ ନାହିଁ, ସେମାନେ ଏହାଦ୍ବାରା ଉପକୃତ ହୋଇ ପାରିବେ। ଲେଖକ ଶ୍ରୀ ପ୍ରହରାଜ କହିଥିଲେ, ଏପରି ଏକ ପୁସ୍ତକ ପ୍ରସ୍ତୁତ କରିବାର ସୁଯୋଗ ଦେଇଥିବାରୁ ‘ଆମ ଓଡ଼ିଶା’ ନିକଟରେ ଆମେ କୃତଜ୍ଞ ଓ ଆନନ୍ଦିତ। ଏଥିରେ ଫକୀର ମୋହନଙ୍କ ଜୀବନୀ ସହିତ ସମସ୍ତ ପ୍ରମୁଖ କୃତିର ନିର୍ବାଚିତ ଅଂଶ ସଂକଳିତ ହୋଇଛି। ସେଥିପାଇଁ ଏହା ସବୁ ସ୍ତରରପାଠକଙ୍କ ପାଇଁ ଉପାଦେୟ ହେବ।

ଅନ୍ୟତମ ଅତିଥି ଶ୍ରୀ ସେନାପତି କହିଥିଲେ, ‘ଆମ ଓଡ଼ିଶା’ ପୂର୍ବରୁ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ସଂପର୍କରେ ଏକାଧିକ ପୁସ୍ତକ ପ୍ରକାଶ କରିଛି। ଏବେ ଫକୀର ମୋହନଙ୍କ ଉପରେ ଏହି ପୁସ୍ତକ ପ୍ରକାଶ କରି ନିଜର ସାମାଜିକ ଦାୟିତ୍ୱ ନିର୍ବାହ କରିଛି। ଅତିଥି ଶ୍ରୀ ଚାନ୍ଦ ଆଧୁନିକ ଓଡ଼ିଆ ସାହିତ୍ୟର ଜନକ ଫକୀର ମୋହନଙ୍କ ପ୍ରତି ଏହା ଯଥାର୍ଥ ଶ୍ରଦ୍ଧାଞ୍ଜଳି ବୋଲି କହିଥିଲେ। ପ୍ରକାଶନ ସଂପାଦକ ଶ୍ରୀ ମହାନ୍ତି ସୂଚନା ଦେଇଥିଲେ ଯେ ପୂର୍ବରୁ ‘ଆମ ଓଡ଼ିଶା’ ସୁଭାଷ ବୋଷ, ବୀର ସୁରେନ୍ଦ୍ର ସାଏ, ପାରଳା ଗଜପତି, ବାଳକ ସହିଦ ବାଜି ରାଉତ ଓ ସ୍ବଭାବକବି ଗଙ୍ଗାଧର ମେହେରଙ୍କ ସଂପର୍କରେ ଏପରି ପୁସ୍ତକ ପ୍ରକାଶ କରିଛି। ଆଗାମୀ ଦିନରେ କବିବର ରାଧାନାଥ ରାୟଙ୍କ ଉପରେ ଏପରି ଏକ ପୁସ୍ତକ ପ୍ରକାଶ ପାଇବ। ଶେଷରେ ସ୍ବରାଜ ମିଶ୍ର ଧନ୍ୟବାଦ ଦେଇଥିଲେ।