ରକ୍ତଦାନରେ ପୁଣି ରେକର୍ଡ କଲା ‘ଆମ ଓଡ଼ିଶା’

୨୦୨୧ରେ ସବୁ ବ୍ଲକ୍‌ରେ ଆୟୋଜିତ ହେଲା ଶିବିର, ୯୫୮ ଶିବିରରୁ ୪୩,୪୩୧ ୟୁନିଟ୍‌ ରକ୍ତ ସଂଗ୍ରହ

ଭୁବନେଶ୍ବର : ସାରା ବିଶ୍ବରେ କରୋନା ତାଣ୍ଡବ ରଚୁଥିବାବେଳେ ଲୋକେ ଘରୁ ବାହାରିବାକୁ ଭୟ କରୁଥିଲେ। କିନ୍ତୁ ରକ୍ତଦାତାମାନେ ଅନ୍ୟ ଜୀବନକୁ ବଞ୍ଚାଇବା ଲାଗି ନିଜ ଜୀବନକୁ ବାଜି ଲଗାଇଦେଇଥିଲେ। କରୋନାର ଭୟ, ଟାଣ ଖରା, ବର୍ଷା, ବାତ୍ୟାକୁ ଖାତିର ନ କରି ସ୍ବେଚ୍ଛା‌କୃତ ଭାବେ ରକ୍ତଦାନ କରିଥିଲେ। ହଜାର ହଜାର ରକ୍ତଦାତାଙ୍କ ସହଯୋଗରେ ‘ଆମ ଓଡ଼ିଶା’ ୨୦୨୧ରେ ୪୩ହଜାରରୁ ଅଧିକ ୟୁନିଟ୍‌ ରକ୍ତ ସଂଗ୍ରହ କରିଛି। ସବୁଠାରୁ ବଡ଼ କଥା ହେଲା ଓଡ଼ିଶାର ୩୧୪ଟି ଯାକ ବ୍ଲକର ଅଗମ୍ୟ ଅଞ୍ଚଳଗୁଡ଼ିକରେ ମଧ୍ୟ ରକ୍ତଦାନ ଶିବିର ଆୟୋଜନ କରି ରୋଗୀଙ୍କ ଜରୁରୀ ଆବଶ୍ୟକତାକୁ ମେଣ୍ଟାଇପାରିଛି।

ଘଟଣାବହୁଳ ୨୦୨୧ରେ ରାଜ୍ୟରେ ୯୫୮ଟି ଶିବିରରୁ ୪୩୪୩୧ୟୁନିଟ ରକ୍ତ ସଂଗ୍ରହ ହୋଇଛି। ୨୦୦୬ ମସିହାରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଗତ ୧୬ ବର୍ଷରେ ୧୩,୯୪୩ଟି ଶିବିର ଆୟୋଜିତ ହୋଇଛି। ଏଥିରୁ ୬ଲକ୍ଷ ୯୩ହଜାର ୦୧୮ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଛି। ଗୋଟିଏ ସଂଗଠନ ମାଧ୍ୟମରେ ଏତେ ଅଧିକ ପରିମାଣର ରକ୍ତ ସଂଗ୍ରହ ଏକ ବିରଳ ଉପଲବ୍‌ଧି। ରାଜ୍ୟର ୩୦ଟି ଜିଲ୍ଲାକୁ ୯ଟି ଜୋନ୍‌ରେ ବିଭକ୍ତ କରି ଏହି ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବାଲେଶ୍ବର ଜୋନ୍‌ରେ ସର୍ବାଧିକ ୧୨୨୯୫ ୟୁନିଟ୍‌ ସ˚ଗୃହୀତ ହୋଇଥିବା ବେଳେ ସମ୍ବଲପୁର ଜୋନ୍‌ରେ ୭୬୪୮, କଟକ ଜୋନ୍‌ରେ ୬୦୨୦, ବ୍ରହ୍ମପୁର ଜୋନ୍‌ରେ ୪୭୨୯, ଅନୁଗୁଳ ଜୋନ୍‌ରେ ୩୬୫୫, ଜୟପୁର ଜୋନ୍‌ରେ ୨୭୯୮, ଭୁବନେଶ୍ବର ଜୋନ୍‌ରେ ୨୭୮୨, ଯାଜପୁର ଜୋନ୍‌ରେ ୨୫୧୨ ଏବଂ ରାଉରକେଲା ଜୋନ୍‌ରେ ୯୯୨ ୟୁନିଟ୍‌ ରକ୍ତ ସ˚ଗ୍ରହ ହୋଇଥିଲା। ବାଲେଶ୍ବର ଜିଲ୍ଲା ୬୩୩୩ ୟୁନିଟ ରକ୍ତ ସଂଗ୍ରହ କରି ଜିଲ୍ଲାମାନଙ୍କ ମଧ୍ୟରେ ସର୍ବାଗ୍ରେ ରହିଛି। ଓଡ଼ିଶାରେ ସର୍ବାଧିକ ଏକଦିବସୀୟ ରକ୍ତସ˚ଗ୍ରହ କ୍ଷେତ୍ରରେ ‘ଆମ ଓଡ଼ିଶା’କୁ ଆଉ ଏକ ବଡ଼ ସଫଳତା ମିଳିଛି। ୨୦୨୧, ଜାନୁଆରି ୨୩ ତାରିଖରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ ୧୫୩୩ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ସେହିପରି କରୋନା ସଂକ୍ରମଣ ଥିବା ସତ୍ତ୍ବେ ଅଗଷ୍ଟ ୧୮ରେ ଯୁବ ସ୍ବାଭିମାନ ଦିବସ ପାଳନ ଅବସରରେ ମୋଟ ୬୩ଟି ରକ୍ତଦାନ ଶିବିରରୁ ୩୨୯୭ ୟୁନିଟ୍‌ ସ˚ଗ୍ରହ ହୋଇଥିଲା। ଚଳିତବର୍ଷ ଡିସେମ୍ବର ୧୯ତାରିଖରେ ବାଲେଶ୍ବର ଜିଲ୍ଲାର ଜଳେଶ୍ବର ବୁଖାରିବାବା ଅର୍ଡର ସପ୍ଲାୟର୍ସ ସହାୟତାରେ ଆୟୋଜିତ ଶିବିରରୁ ସର୍ବାଧିକ ୪୦୨ ୟୁନିଟ୍‌ ସଂଗୃହୀତ ହୋଇଥିବା ବେଳେ ମାର୍ଚ ୨୪ ତାରିଖରେ ଗଞ୍ଜାମ ଜିଲ୍ଲାର ବୁଗୁଡ଼ାଠାରେ ‘ଆମ ପୁଲିସ ସମିତି’ ସହାୟତାରେ ଆୟୋଜିତ ଶିବିରରୁ ୪୦୧ ୟୁନିଟ୍‌ ସଂଗୃହୀତ ହୋଇଥିଲା।

ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ୨୦୦୬ ମସିହାରେ ‘ଆମ ଓଡ଼ିଶା’ ପକ୍ଷରୁ ପ୍ରଥମ ଥର ପାଇଁ ଏକ ସପ୍ତାହବ୍ୟାପୀ ସ୍ବେଚ୍ଛାକୃତ ରକ୍ତଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସେହି ବର୍ଷ ଅକ୍ଟୋବର ୨୫ରୁ ୩୧ ତାରିଖ ମଧୢରେ ୧୮୧ ଟି ଶିବିରରୁ ମୋଟ୍‌ ୯୨୫୦ ୟୁନିଟ୍‌ ରକ୍ତ ସ˚ଗୃହୀତ ହୋଇଥିଲା। ‘ରକ୍ତ ଅଭାବରୁ ଆମ ରାଜ୍ୟରେ କାହାରିକୁ ମରିବାକୁ ଦେବା ନାହିଁ’ ଲକ୍ଷ୍ୟ ନେଇ ଏହାକୁ ଏକ ନିୟମିତ କାର୍ଯ୍ୟକ୍ରମରେ ପରିଣତ କରାଗଲା। ଏଥିରେ ୨୦୦୭ରେ ୩୧୧ଟି ଶିବିରରୁ ୧୫୫୫୭ ୟୁନିଟ୍‌, ୨୦୦୮ରେ ୩୬୫ଟି ଶିବିରରୁ ୧୭୫୭୦, ୨୦୦୯ରେ ୪୭୪ଟି ଶିବିରରୁ ୨୫୨୭୩ ୟୁନିଟ୍‌ ରକ୍ତ ସ˚ଗୃହୀତ ହୋଇଥିଲା। ୨୦୧୦ରେ ପ୍ରଥମଥର ପାଇଁ ୫୦୦ରୁ ଅଧିକ ଶିବିର ଆୟୋଜନ ହୋଇଥିଲା। ଏହି ବର୍ଷ ୫୦୯ଟି ଶିବିରରୁ ୨୭୩୦୦ ୟୁନିଟ୍‌ ରକ୍ତ ସ˚ଗୃହୀତ ହୋଇଥିଲା। ସେହିପରି ୨୦୧୧ରେ ୮୦୨ଟି ଶିବିରରୁ ୪୮୦୬୧ ୟୁନିଟ୍‌, ୨୦୧୨ରେ ୮୨୮ଟି ଶିବିରରୁ ୪୫୦୨୬ ୟୁନିଟ୍‌ ରକ୍ତ ସ˚ଗୃହୀତ ହୋଇଥିଲା। ୨୦୧୩ ମସିହାରେ ‘ଆମ ଓଡ଼ିଶା’ ୧୦୦୦ରୁ ଅଧିକ ଶିବିର ଆୟୋଜନ କରି ୫୦,୦୦୦ୟୁନିଟ୍‌ରୁ ଅଧିକ ରକ୍ତ ସ˚ଗ୍ରହ କରି ଦୁଇଟି ନୂଆ ରେକର୍ଡ ସ୍ଥାପନ କରିଥିଲା। ୨୦୧୩ ମସିହାରେ ୧୦୦୪ ଶିବିରରୁ ୫୨୭୯୫ ୟୁନିଟ୍‌ ସ˚ଗୃହୀତ ହୋଇଥିବାବେଳେ ୨୦୧୪ରେ ୧୦୨୬ଟି ଶିବିରରୁ ୫୨,୬୪୫ ୟୁନିଟ୍‌ ଓ ୨୦୧୬ ରେ ୧୨୨୨ଟି ଶିବିରରୁ ୫୭,୩୩୭ ୟୁନିଟ୍‌ ରକ୍ତ ସ˚ଗ୍ରହ ହୋଇଥିଲା। ୨୦୧୭ରେ ୧୪୪୪ଟି ଶିବିରରୁ ୬୫୪୪୯ୟୁନିଟ୍‌, ୨୦୧୮ରେ ୧୩୪୦ଟି ଶିବିରରୁ ୬୮୩୭୨ ୟୁନିଟ୍‌, ୨୦୧୯ରେ ୧୩୨୮ଟି ଶିବିରରୁ ୬୮,୬୫୮ ୟୁନିଟ୍‌ ଓ ୨୦୨୦ରେ ୧୨୬୦ଟି ଶିବିରରୁ ୫୩,୮୫୪ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଥିଲା।

ମୟୂରଭଞ୍ଜରୁ ମାଲକାନଗିରି, କେନ୍ଦ୍ରାପଡ଼ାରୁ ନୂଆପଡ଼ା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ୩୧୪ଟି ବ୍ଲକ୍‌, ପୌରାଞ୍ଚଳ ଓ ସହରାଞ୍ଚଳରେ ଶିବିର ଆୟୋଜନ କରି ‘ଆମ ଓଡ଼ିଶା’ ଏହି କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ପହଞ୍ଚାଇଛି। ସାରା ଓଡ଼ିଶାର ସହରାଞ୍ଚଳ ଓ ପୁରପଲ୍ଲୀରେ ‘ଆମ ଓଡ଼ିଶା’ର ଏହି ଜନକଲ୍ୟାଣ କାର୍ଯ୍ୟକ୍ରମକୁ ଅକୁଣ୍ଠ ଶ୍ରଦ୍ଧା ଓ ସମର୍ଥନ ମିଳିଛି, ତଥା ରାଜ୍ୟର କୋଣ ଅନୁକୋଣରୁ ଅଗଣିତ ରକ୍ତଦାତା ଓ ସହଯୋଗୀ ଅନୁଷ୍ଠାନ ଏହି କାର୍ଯ୍ୟକ୍ରମକୁ ସଫଳ କରାଇବା ପାଇଁ ଆଗେଇ ଆସିଛନ୍ତି। ଏହି ଅବସରରେ ‘ଆମ ଓଡ଼ିଶା’ର ଅଧୢକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ‘ଆମ ଓଡ଼ିଶା’ର ସମସ୍ତ ସଦସ୍ୟା ସଦସ୍ୟ, ସ୍ବେଚ୍ଛାସେବୀ, ସହଯୋଗୀ ଅନୁଷ୍ଠାନ, ପୃଷ୍ଠପୋଷକ, ଶୁଭେଚ୍ଛୁ ତଥା ରାଜ୍ୟର ଅଗଣିତ ରକ୍ତଦାତାଙ୍କୁ ଇଂରାଜୀ ନବବର୍ଷ ୨୦୨୨ର ଅଭିନନ୍ଦନ ଜଣାଇବା ସ˚ଗେ ସ˚ଗେ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧିତ ଖବର