ଭୁବନେଶ୍ବର: ରାଜ୍ୟରେ ପ୍ରଥମଥର ପାଇଁ ପଞ୍ଚାୟତ ନିର୍ବାଚନ ମୈଦାନରେ ସାମିଲ ହୋଇଛି ଆମ ଆଦମୀ ପାର୍ଟି। ଜିଲ୍ଲା ପରିଷଦ ପାଇଁ ଦଳ ୧୪୧ ପ୍ରାର୍ଥୀ ଦେଇଛି। ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଆପ୍ ନିର୍ବାଚନୀ ଇସ୍ତାହାର ଜାରି କରିଛି। ତୃଣମୂଳ ସ୍ତରରେ ଶିକ୍ଷା,ସ୍ବାସ୍ଥ୍ୟ,ପାଣି,ବିଜୁଳି ଓ ରୋଜଗାରକୁ ଗୁରୁତ୍ବ ଦେବାକୁ ଯୋଜନା କରିଛି ଆପ୍।
ସ୍କୁଲ ଓ ହସ୍ପିଟାଲ ପରିଚାଳନାରେ ପଞ୍ଚାୟତକୁ ଅଧିକ ଗୁରୁତ୍ୱ ଦେବା ସହ ଧାନମଣ୍ଡିରେ ପ୍ରସ୍ତୁତ କରିବେ ସେଡ୍। ମନରେଗାରେ କିଏ କେତେ ଟଙ୍କା ପାଇଲା, ଗାଁ କାନ୍ଥରେ ଲେଖିବ। ଦିଲ୍ଲୀ ମହଲା ସଭା ମଡେଲରେ ଓଡ଼ିଶା ଗ୍ରାମାଞ୍ଚଳରେ ଉନ୍ନୟନ କାର୍ଯ୍ୟ କରିବେ। ପିସି କାରବାରକୁ ବନ୍ଦ କରିବେ। ଜଙ୍ଗଲଜାତ ଦ୍ରବ୍ୟ ବିକିବାରେ ପଞ୍ଚାୟତର ଭୂମିକା ରହିବ ଏବଂ ବୁଣାକାରମାନଙ୍କ କଥାକୁ ଗୁରୁତ୍ୱ ଦିଆଯିବ ବୋଲି ଆପ୍ କହିଛି। ପଞ୍ଚାୟତ ଦଖଲ କଲେ ଢିଙ୍କିଆରେ ଗ୍ରାମସଭା କରିବା ସହ ସାଧାରଣ ଲୋକଙ୍କ ହିତ କଥା ଚିନ୍ତା କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ।
ଏହି ସମ୍ମିଳନୀରେ ପାର୍ଟି ତରଫରୁ ପଞ୍ଚାୟତ ନିର୍ବାଚନ ପାଇଁ ଏକ ଇସ୍ତାହାର ଜାରି ହୋଇଛି। ଏହି ଅବସରରେ ପାର୍ଟିର ରାଜ୍ୟ ମୂଖ୍ୟ ପ୍ରବକ୍ତା ରଙ୍ଗାଚରଣ ପ୍ରଧାନ କହିଲେ ଯେ ଆପ୍ ଜିତିଲେ ପଞ୍ଚାୟତ ସ୍ତରରେ ଗ୍ରାମ୍ୟ ଗଣତନ୍ତ୍ର ସୁଦୃଢ ଓ ପାରଦର୍ଶି କରିବା ପାଇଁ ନିୟମିତ ପଞ୍ଚାୟତ ଓ ଗ୍ରାମସଭା ବୈଠକ ବସାଇବେ। ଗାଁ ହସ୍ପିଟାଲ ଓ ସ୍କୁଲ ପରିଚାଳନାରେ ପଞ୍ଚାୟତର ଭାଗିଦାରୀ ବଢାଇବେ। ପଞ୍ଚାୟତ ପାଣ୍ଠିରୁ ଯୋଗ୍ୟ ହିତାଧିକାରୀଙ୍କୁ ୨୫୦୦ ଟଙ୍କା ଲେଖାଏଁ ବାର୍ଦ୍ଧକ୍ୟ ଭତ୍ତା ଓ ବିଧବା ଭତ୍ତା ଦିଆଯିବ। ଆବାସ ଯୋଜନାରେ ହିତାଧିକାରୀ ଚୟନ ପ୍ରକିୟା ଗ୍ରାମସଭାରେ ହୋଇ ଏହାକୁ ପାରଦର୍ଶି କରାଯିବ। କୃଷକଙ୍କ ପାଇଁ ମଣ୍ଡି ବ୍ୟତୀତ ସେଡ୍ ମଧ୍ୟ ତିଆରି କରାଯିବ। ବୁଣାକାର ଓ ମତ୍ସ୍ୟଜୀବୀଙ୍କ ପାଇଁ ପଞ୍ଚାୟତ ସ୍ତରରେ ଆବଶ୍ୟକ ଯୋଜନା ପ୍ରସ୍ତୁତ ହେବ ଏବଂ ବିଭିନ୍ନ ସରକାରୀ ଯୋଜନାର ସଫଳ କାର୍ଯ୍ୟକାରିତା ସୁନିଶ୍ଚିତ କରାଯିବ। ଜମି ଅଧିଗ୍ରହଣ ପୂର୍ବରୁ ପାରଦର୍ଶିତାର ସହ ଗ୍ରାମସଭା ବୈଠକର ମଞ୍ଜୁରୀ ନିଆଯିବ। ବିଭିନ୍ନ ପ୍ରକଳ୍ପ ନିର୍ମାଣରେ ଠିକାଦାରକୁ ପ୍ରାପ୍ୟ ଦେବା ପୁର୍ବରୁ ନିର୍ମାଣର ଗୁଣବତ୍ତା ପାଇଁ ଗ୍ରାମସଭାର ଅନୁମୋଦନ ନିଆଯିବ ଏବଂ ଏହା ଦ୍ବାରା କୁଖ୍ୟାତ ପିସି ବ୍ୟବସ୍ଥାର ଦୂରୀକରଣ କରାଯିବ।
ଆମ୍ ଆଦମୀ ପାର୍ଟିର ବିଜୁଳି, ଶିକ୍ଷା, ରୋଜଗାର, ସ୍ବାସ୍ଥ୍ୟ ଓ ପିଇବା ପାଣିର ରାଜନୀତି ସାରା ଦେଶରେ ଆଦୃତ ହେଉଥିବା ବେଳେ ଓଡ଼ିଶାରେ ମଧ୍ୟ ଏହି ରାଜନୀତିକୁ ବଳ ଦେବା ପାଇଁ ପାର୍ଟି ତରଫରୁ ଭୋଟରମାନଙ୍କୁ ନିବେଦନ କରାଯାଇଛି। ଏହି ସମ୍ମିଳନୀରେ ପାର୍ଟିର ଅନ୍ୟତମ ପ୍ରବକ୍ତା ଜୟସୂର୍ଯ୍ୟ କାନୁନଗୋ, ସୁବାଶିଷ ସ୍ବାଇଁ ଓ କଟକ ଜିଲ୍ଲା ପାର୍ଟି ଆବାହକ ଦୁର୍ଗା ପ୍ରସାଦ ପରିଡ଼ା ଯୋଗ ଦେଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/093fa5ec-f017-4d65-b33f-471d17d965ee.jpg)