ରାଉରକେଲା : ଫେସ୍ବୁକ୍ରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଦେବା ଆମ୍ ଆଦ୍ମୀ ପାର୍ଟି (ଆପ୍)ର ଯୁବନେତା ଧର୍ମେନ୍ଦ୍ର ମହାପାତ୍ରଙ୍କୁ ମହଙ୍ଗା ପଡ଼ିଛି। ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ଉଦିତନଗର ପୁଲିସ ତାଙ୍କୁ ଭୁବନେଶ୍ବର ନୟାପାଲିରୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।
ସୂଚନା ଅନୁସାରେ, ଗତ ଦୁଇଦିନ ତଳେ ଧର୍ମେନ୍ଦ୍ର ଫେସ୍ବୁକ୍ରେ ଏହି ପୋଷ୍ଟ୍ କରିଥିଲେ। ଯାହାକୁ ନେଇ ବିଜେଡି ନେତା ଓ କର୍ମୀଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ବିଜେଡି ରାଜ୍ୟ ଯୁବ ସାଧାରଣ ସମ୍ପାଦକ ସୁବାସ ସ୍ବାଇଁ ଉଦିତନଗର ଥାନା ଓ ଯୁବନେତା ତାପସ ରାଉତରାୟ ଛେଣ୍ଡ ଥାନାରେ ଧର୍ମେନ୍ଦ୍ରଙ୍କ ନାଁରେ ଦୁଇଟି ପୃଥକ୍ ପୃଥକ୍ ଅଭିଯୋଗ କରିଥିଲେ। ରାଉରକେଲା ଏସ୍ପି ମୁକେଶ ଭାମୋଙ୍କୁ ସାକ୍ଷାତ କରି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ଉଦିତନଗର ପୁଲିସ ଭୁବନେଶ୍ବର ନୟାପାଲିରୁ ଆପ୍ ନେତା ଧର୍ମେନ୍ଦ୍ରଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ପ୍ରାଥମିକ ତଦନ୍ତରୁ ଧର୍ମେନ୍ଦ୍ରଙ୍କ ମାନସିକ ସ୍ଥିତି ଠିକ୍ ନଥିବା ଜଣାପଡ଼ିଛି।
ଗତ ୨୦୧୯ରେ ସାଧାରଣ ନିର୍ବାଚନରେ ଧର୍ମେନ୍ଦ୍ର ରାଉରକେଲା ବିଧାନସଭା ପାଇଁ ସ୍ବାଧୀନ ପ୍ରାର୍ଥୀ ଭବେ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ଗତ ସପ୍ତାହକ ତଳେ ଭୁବନେଶ୍ବର ଯାଇ ସେ ଆମ୍ ଆଦ୍ମୀ ପାର୍ଟିରେ ସାମିଲ ହୋଇଥିଲେ। କାହିଁକି ଓ କେଉଁ ପରିସ୍ଥିତିରେ ସେ ବିଧାୟକ ଶ୍ରୀ ନାୟକଙ୍କୁ ଫେସ୍ବୁକ୍ରେ ଗାଳି ଦେଲେ, ପୁଲିସ ତାର ତଦନ୍ତ କରୁଛି। ବିଧାୟକ ଶ୍ରୀ ନାୟକ ନୁହନ୍ତି, ସେ ବିଜେଡିର ଯୁବ ନେତା ତାପସ ରାଉତରାୟ, ବିଜେଡିର ପୂର୍ବତନ କାଉନସିଲର ଜର୍ଜ ଆନନ୍ଦଙ୍କ ସମେତ ରାଉରକେଲା ପାନପୋଷ ସ୍ବୟଂଶାସିତ କଲେଜର ପୂର୍ବତନ ଅଧ୍ୟକ୍ଷ ଦେବେନ୍ଦ୍ର ବେହେରାଙ୍କୁ ମଧ୍ୟ ଅନୁରୂପ ଭାବେ ଅଭଦ୍ର ଭାଷାରେ ଗାଳିଗୁଲଜ କରି ଫେସ୍ବୁକ୍ରେ ପୋଷ୍ଟ୍ କରିଥିଲେ ବୋଲି ଅଭିଯୋଗରୁ ଜଣାପଡ଼ିଛି।