ଆପ୍‌ ନେତା ଅଜୟଙ୍କ ସହ ୨୦୦ରୁ ଅଧିକ କର୍ମୀଙ୍କ ବିଜେଡିରେ ଯୋଗଦାନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟ ପ୍ରତି ଆକୃଷ୍ଟ ହୋଇ ଆଜି ଆମ୍‍ ଆଦମୀ ପାର୍ଟି ରାଜ୍ୟ ସାଧାରଣ ସଂପାଦକ ନନ୍ଦଲାଲ ସିଂହ, ମୁଖପାତ୍ର ଭରଦ୍ୱାଜ ମିଶ୍ର, ରାଜ୍ୟ ଯୁବ ସଭାପତି ସୁବ୍ରତ ଛାଟୋଇ, ରାଜ୍ୟ ଛାତ୍ର ସଭାପତି ଜ୍ୟୋତି ରଞ୍ଜନ ମହାନ୍ତି, ବଲାଙ୍ଗୀର ଜିଲ୍ଲା ସଂଯୋଜକ ଅଜୟ ଦାସଙ୍କ ସହ ୨୦୦ରୁ ଅଧିକ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସମସ୍ତେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି।

ଏହି ଅବସରରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆପ୍‌ର ସମସ୍ତ ନେତା ଓ କର୍ମୀଙ୍କୁ ସ୍ବାଗତ କରି କହିଥିଲେ, ଆଜି ଆମ୍‍ ଆଦମୀ ପାର୍ଟିର ନେତା ଓ କର୍ମୀମାନେ ଆମ ଦଳରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି। ଏହା ବିଜୁ ଜନତା ଦଳର ଶକ୍ତି ବୃଦ୍ଧିରେ ସହାୟକ ହେବ।

ଏହି ଅବସରରେ ଶ୍ରୀ ମିଶ୍ର କହିଥିଲେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ଆଜି ବହୁତ ଆଗକୁ ଯାଇପାରିଛି। ଭୁବନେଶ୍ୱର ଆଜି ୧ନମ୍ବର ସ୍ମାର୍ଟସିଟି ହୋଇଥିବା ବେଳେ ସ୍ପୋର୍ଟ୍ସ କ୍ୟାପିଟାଲରେ ପରିଣତ ହୋଇଛି। ଜିଡିପି ଅଭିବୃଦ୍ଧି କ୍ଷେତ୍ରରେ ମଧ୍ୟ ଓଡ଼ିଶା ଯଥେଷ୍ଟ ଆଗରେ ରହିଛି। ୨୦୧୯ ନିର୍ବାଚନରେ ବିଜେଡି ଯେପରି ପୁଣି ବିଜୟ ହେବ ସେ ନେଇ ଆମ୍‍ ଆଦମୀ ପାର୍ଟିର ପ୍ରାୟ ୭୦ ହଜାର କର୍ମୀ ତୃଣମୂଳ ସ୍ତରରେ ସାହାଯ୍ୟ କରିବେ। ଏଥିସହିତ ଦଳ ଯେଉଁ ଦାୟିତ୍ୱ ନ୍ୟସ୍ତ କରିବ, ସେ ଦାୟିତ୍ୱ ତୁଲାଇବାକୁ ଆମେ ପ୍ରତିଶ୍ରୁତିବଦ୍ଧ। ଆଜିର ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ହେମର୍‌ ଥ୍ରୋ’ରେ ପୂର୍ବରୁ ବହୁବାର ରାଜ୍ୟ ଚାମ୍ପିଅନ ହୋଇଥିବା ଅଜୟ ଦାସ ପ୍ରଥମେ ୨୦୦୦ ମସିହାରେ ସ୍ବାଧୀନ ଭାବେ ବଲାଙ୍ଗୀର ବିିଧାନସଭା ଆସନରେ ଲଢ଼ି ଆଖିଦୃଶିଆ ଭୋଟ (୧୧,୦୮୪) ପାଇଥିଲେ। ପରେ ସେ ବିଜେପିରେ ଯୋଗଦେଇ କଣ୍ଟାବାଞ୍ଜି ବିଧାନସଭା ଆସନରୁ ୨୦୦୯ରେ ଦଳୀୟ ପ୍ରାର୍ଥୀଭାବେ ଲଢ଼ି ସନ୍ତୋଷ ସିଂହ ସାଲୁଜା ଓ ଆୟୁବ୍‌ ଖାନ୍‌ଙ୍କ ପଛକୁ ୧୬ ହଜାର ୧୧୭ ଭୋଟ୍‌ ପାଇ ତୃତୀୟ ସ୍ଥାନରେ ଥିଲେ। ତେବେ ୨୦୧୪ ନିର୍ବାଚନରେ ଦଳୀୟ ପ୍ରାର୍ଥିତ୍ବରୁ ବଂଚିତ ହୋଇ ଆପ୍‌ରୁ ଲଢ଼ି ସେ ୨୦,୦୩୩ ଭୋଟ୍‌ ପାଇଥିଲେ। ଗତଥର ତାଙ୍କୁ ବିଜେପି ଟିକଟ୍ ଦେଇଥିଲେ କଣ୍ଟାବାଞ୍ଜିର ଫଳାଫଳ ଉପରେ ନିଶ୍ଚିତ ପ୍ରଭାବ ପଡ଼ିଥାନ୍ତା ବୋଲି ସମୀକ୍ଷକମାନେ ମତ ଦିଅନ୍ତି। ସୂଚନାଯୋଗ୍ୟ, ସେଥର ବିଜେପି ଲକ୍ଷ୍ମଣ ବାଗଙ୍କୁ ଟିକଟ ଦେଇ ୩୦ ହଜାର ଭୋଟ୍‌ ସହ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ରହିବାକୁ ବାଧ୍ୟ ହୋଇଥିଲା।

ସମ୍ବନ୍ଧିତ ଖବର