ବିଦ୍ୟାଳୟ ବନ୍ଦକୁ ବିରୋଧ କରି ଆପ୍‌ର ବିକ୍ଷୋଭ

ଭୁବନେଶ୍ୱର : ରାଜ୍ୟରେ ୨୦ରୁ କମ୍ ସଂଖ୍ୟକ ପିଲା ଥିବା ବିଦ୍ୟାଳୟ ବନ୍ଦ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଫଳରେ ରାଜ୍ୟରେ ୧୪ ହଜାରରୁ ଅଧିକ ବିଦ୍ୟାଳୟ ବନ୍ଦ ହେବାକୁ ଯାଉଛି। ଏହାକୁ ବିରୋଧ କରି ବୁଧବାର ଆମ୍‌ ଆଦମି ପାର୍ଟି(ଆପ୍) ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ୍ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଶିକ୍ଷା ପରି ଏକ ଗୁରୁତ୍ବପୂର୍ଣ୍ଣ ବିଷୟରେ ରାଜ୍ୟ ସରକାର ଅଭିଭାବକ କିମ୍ବା ସ୍ଥାନୀୟ ନେତୃତ୍ବଙ୍କ ସହ ଆଲୋଚନା ନ କରି ଏକତରଫା ନିଷ୍ପତ୍ତି ନେଉଛନ୍ତି। ଶିକ୍ଷାର ମାନ ଊର୍ଦ୍ଧ୍ବଗାମୀ କରିବା ପରିବର୍ତ୍ତେ ଶିକ୍ଷାର ବ୍ୟବସାୟୀକରଣକୁ ପ୍ରୋତ୍ସାହିତ କରିବା ପାଇଁ ପଦକ୍ଷେପ ନେଉଥିବା ଆପ୍ କହିଛି। ଏହା ସହିତ ଆପ୍ ଦିଲ୍ଲୀର ଶିକ୍ଷା ମଡେଲ୍, ବଜେଟ୍ ଓ ଭିତ୍ତିଭୂମିକୁ ଉଦାହରଣ ରୂପେ ଦର୍ଶାଇଛି। ୨୧୪ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରି ରାଜ୍ୟ ସରକାର କେବଳ ପ୍ରଚାର ପ୍ରସାର କରୁଥିବା ବେଳେ ବିଦ୍ୟାଳୟରେ ଗବେଷଣାଗାର, ସରଞ୍ଜାମ ଓ ଗୁଣାତ୍ମକ ଶିକ୍ଷାର ଅଭାବ ପରିଲକ୍ଷିତ ହେଉଥିବା କହିଛି। ତେବେ ଆପ୍ ପକ୍ଷରୁ ଆଜି ଭୁବନେଶ୍ବର ମାଷ୍ଟର୍‌କ୍ୟାଣ୍ଟିନ୍ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିକ୍ଷୋଭ କରାଯାଇଛି। ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ମାଧ୍ୟମରେ ଓଡ଼ିଶା ସରକାରଙ୍କୁ ୬ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। ଆଗାମୀ ଦିନରେ ଖୋର୍ଦ୍ଧା ଜିଲ୍ଲାପା​​ଳଙ୍କୁ ଏ ନେଇ ଦାବିପତ୍ର ଦିଆଯିବ ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର