ତେଜିଲା ବାଇ-ଲ’ ବିବାଦ : ରାଜ୍ୟ ସରକାରଙ୍କୁ ସାଂସଦ ଅପରାଜିତାଙ୍କ ୫ଟି ପ୍ରଶ୍ନ

ଭୁବନେଶ୍ବର : ଭୁବନେଶ୍ବରର ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ବର ମନ୍ଦିର ନେଇ ଜାରି ବାଇ-ଲ’ ବିଜ୍ଞପ୍ତି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡ଼ା ଜବାବ ଦେଇଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ସେ ଓଡ଼ିଶା ସରକାରଙ୍କୁ ୫ଟି ପ୍ରଶ୍ନ ପଚାରିଛନ୍ତି ।

ଏ ପର୍ଯ୍ୟନ୍ତ ପୁରାତନ କୀର୍ତ୍ତିରାଜି ଏବଂ ଐତିହ୍ୟରେ ଭରପୂର ହୋଇଥିବା ଅଞ୍ଚଳରେ ହୋଇଥିବା ସମସ୍ତ ଉଚ୍ଛେଦ ପ୍ରକ୍ରିୟାରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସଆଇ) କୁ କାହିଁକି ସାମିଲ କରାଯାଇନାହିଁ ? ଏ ସଂପର୍କରେ ଏଏସଆଇ ପକ୍ଷରୁ ୭ ଥର ରାଜ୍ୟ ସରକାରଙ୍କୁ ପତ୍ର ଲେଖାଯାଇଛି ଓ ଦୁଇଥର କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲେ ମଧ୍ୟ ତାହାର ଉତ୍ତର ରାଜ୍ୟ ସରକାର କାହିଁକି ଦେଇନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

ପ୍ରତ୍ନତ୍ତତ୍ୱ ବିଭାଗର ମହାନିର୍ଦେଶକ ଗତ ୨୨ ଡ଼ିସେମ୍ବର ୨୦୧୯ରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାର ମାନଙ୍କୁ ଭେଟି ସବିଶେଷ ପ୍ରକଳ୍ପ ରିପୋର୍ଟ (ଡିପିଆର) ବିଷୟରେ ଅବଗତ କରିବା ପାଇଁ ଅନୁରୋଧ କରିଥିଲେ, ଯାହାଦ୍ୱାରା ଏନଏମଏରୁ ଏନଓସି ପ୍ରଦାନ ପାଇଁ ବିଚାର କରାଯାଇ ପାରିଥାନ୍ତା । କିନ୍ତୁ ରାଜ୍ୟ ସରକାର ଏଏସଆଇକୁ ଏହି ଡିପିଆର ପ୍ରଦାନ କରିନାହାନ୍ତି । ଏହା ପଛରେ କଣ ଉଦ୍ଦେଶ୍ୟ ରହିଛି ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି ? ଏହି ପ୍ରକ୍ରିୟାରେ ସ୍ଥାନୀୟ ସାଂସଦ ତଥା ଲୋକ ପ୍ରତିନିଧିଙ୍କୁ ମଧ୍ୟ ବିଶ୍ୱାସରେ ନିଆଯାଇ ନାହିଁ ବୋଲି ସେ କହିଛନ୍ତି ।

ରାଜ୍ୟ ସରକାର ବା-ଇଲ’ରେ କୌଣସି ପ୍ରସ୍ତାବ କିମ୍ବା ଆପତ୍ତି ପରିବର୍ତ୍ତେ ଏହି ବାଇ-ଲର ପ୍ରତ୍ୟାହାର ବା ଉଚ୍ଛେଦ ପାଇଁ ଦାବି ଉପସ୍ଥାପନା କରିବା ଅପରିପକ୍ଵତା ଏବଂ ରାଜନୈତିକ ଉଦେଶ୍ୟ ପ୍ରଣୋଦିତ ବୋଲି କୁହାଯାଇପାରେ l  କୀର୍ତ୍ତିରାଜିର ସୁରକ୍ଷା ପାଇଁ ବାଇ-ଲ’ ରେ ୧୦୦ ମିଟର ନିଷିଦ୍ଧ ଅଞ୍ଚଳ ଏବଂ ଅତିରିକ୍ତ ୨୦୦ ମିଟର ନିୟନ୍ତ୍ରିତ ଅଞ୍ଚଳ ବୋଲି ସ୍ପଷ୍ଟ କରିବା ପରିବର୍ତ୍ତେ ଏହି ବାଇ-ଲ’ ବିକାଶ କାର୍ଯ୍ୟକ୍ରମରେ ପ୍ରତିବନ୍ଧକ ସୃଷ୍ଟି କରୁଛି ବୋଲି କହି ଜନ ମାନସରେ ବିଭାନ୍ତିକର ତଥ୍ୟ ଉପସ୍ଥାପନା ଆଦୌ ଗ୍ରହଣୀୟ ନୁହେଁ l ଏହା ପଛରେ କୀର୍ତ୍ତିରାଜି ସମ୍ପନ୍ନ ଅଞ୍ଚଳରେ  ବେନିୟମରେ କରିଥିବା ବ୍ୟାପକ ଉଚ୍ଛେଦକୁ ଲୁଚାଇବା ପାଇଁ ଅପପ୍ରୟାସ କରାଯାଇଛି l

ସେ ଆହୁରି ମଧ୍ୟ ପ୍ରଶ୍ନ କରିଛନ୍ତି ଯେ ପୁରୀ ଜଗନ୍ନାଥ ମନ୍ଦିର ଓ ଲିଙ୍ଗରାଜ ମନ୍ଦିର ବିକାଶର ରୂପରେଖ ପ୍ରସ୍ତୁତ କରିବା ଲାଗି କେଉଁ ସ୍ଥାପତ୍ୟ ସଂସ୍ଥାକୁ କାର୍ଯ୍ୟାଦେଶ ଦିଆଯାଇଛି ? ଏହି କାମ ପାଇଁ ଉକ୍ତ ସଂସ୍ଥାର ଆବଶ୍ୟକ ଯୋଗ୍ୟତା ଓ ଅଭିଜ୍ଞତା ଅଛିକି ?ଏହି କାର୍ଯ୍ୟରେ ନୋଏଡାର ଆର୍କୋମ ଆର୍କିଟେକ୍ଟ ଓ ବାଙ୍ଗଲୁରୁର ଭୂମିପୁତ୍ର ଆର୍କିଟେକ୍ଟ ସଂସ୍ଥାର କଣ ଭୂମିକା ଅଛି  ଓ ଏହି ସଂସ୍ଥାଗୁଡ଼ିକୁ କେଉଁଠାରୁ ଅର୍ଥ ଯୋଗାଣ ହେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଅନ୍ୟପକ୍ଷରେ ଉତ୍ତର ପାର୍ଶ୍ୱ ମଠ, ଦକ୍ଷିଣ ପାର୍ଶ୍ଵ ମଠ, ଏମାର ମଠ, ରଘୁନାଥ ଲାଇବ୍ରେରୀ ପରି କୀର୍ତ୍ତିରାଜିକୁ ସମୂଳେ ଉତ୍ପାଟନ କରିବା ପୂର୍ବରୁ କଣ ରାଜ୍ୟ ସରକାର ସବିଶେଷ ସର୍ଭେ କରିଥିଲେ? ଏହି  କୀର୍ତ୍ତିରାଜି ଉତ୍ପାଟନ କରିବା ପୂର୍ବରୁ ଉଚ୍ଛେଦ ପ୍ରକ୍ରିୟା ଅନ୍ତର୍ଗତ ସମସ୍ତ ନୀତି ନିୟମ ସରକାର ଅନୁସରଣ କରିଛନ୍ତି କି ବୋଲି ସାଂସଦ ପ୍ରଶ୍ନ କରିଛନ୍ତି  ।

ସମ୍ବନ୍ଧିତ ଖବର