୮ ଖଣ୍ଡ ଭୋଟ ପାଇ ଅସ୍ତରଙ୍ଗର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାବେ ନିର୍ବାଚିତ ହେଲେ ଆରତୀ ନାୟକ

ଅସ୍ତରଙ୍ଗ: ଶେଷ ହେଲା ଅସ୍ତରଙ୍ଗରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପାଇଁ ଚାଲିଥିବା ନିର୍ବାଚନ। ୧୫ଟି ପଞ୍ଚାୟତର ସମିତି ସଭ୍ୟ/ସଭ୍ୟା ପରୋକ୍ଷ ନିର୍ବାଚନରେ ସାମିଲ୍ ହୋଇ ମତଦାନ କରିଥିବା ବେଳେ ମିଳିତମେଣ୍ଟରୁ ଲଢ଼ୁଥିବା ଆରତୀ ନାୟକ ୮ ଖଣ୍ଡ ଭୋଟ ପାଇ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିବା ଜଣାପଡ଼ିଛି। ଏହା ସହ ପ୍ରତିଦ୍ବନ୍ଦୀ ମନ୍ଦାକିନୀ ଛାଟୋଇ ୭ ଖଣ୍ଡ ଭୋଟ ପାଇ ପରାଜିତ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ୧୫ଟି ପଞ୍ଚାୟତର ସମିତି ସଭ୍ୟ/ସଭ୍ୟା ପରୋକ୍ଷ ନିର୍ବାଚନରେ ସାମିଲ୍ ହୋଇ ମତଦାନ କରିବାକୁ ବ୍ଲକ ପରିସର ବୁଥ୍ କେନ୍ଦ୍ରରେ ସକାଳ ୧୧ଟାରେ କଡା ସୁରକ୍ଷା ବଳରେ ପହଞ୍ଚିଥିଲେ। ମିଳିତ ମେଣ୍ଟର ୮ ଜଣ ସମିତି ସଭ୍ୟ ସକାଳ ୧୦ଟା ସୁଧା ବ୍ଲକ ପରିସରରେ ପହଞ୍ଚି ଥିଲା ବେଳେ ଶାସକ ଦଳର ସମର୍ଥକ ସମିତି ସଭ୍ୟ ଦିନ ୧୧ଟାରେ ପହଞ୍ଚିଥିଲେ। ଶାସକ ଦଳ ପକ୍ଷରୁ ମନ୍ଦାକିନୀ ଛାଟୋଇ ଓ ମିଳିତ ମେଣ୍ଟ ପକ୍ଷରୁ ଆରତୀ ନାୟକ ଅଧ୍ୟକ୍ଷା ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ଦେଖିବାକୁ ମିଳିଥିଲା। ୧୨ଟା ସୁଧା ପ୍ରାର୍ଥୀପତ୍ର ଯାଞ୍ଚ ହୋଇ ଏବେ ମତଦାନ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେବେ ଦିନ ୧ଟା ସୁଧା ସମିତି ସଭ୍ୟମାନେ ମତଦାନ କରିବା ଆରମ୍ଭ କରିଥିଲେ। ନିର୍ବାଚନ ପ୍ରକ୍ରିୟାରେ ଅସ୍ତରଙ୍ଗ ତହସିଲଦାର ରାଜଲକ୍ଷ୍ମୀ ନାୟକ, ଜିପିଓ ସିଦ୍ଧାର୍ଥ ସ୍ବାଇଁ, ଜିଲ୍ଲାପ୍ରଶାସନ ତରଫରୁ ଦୁଇଜଣ ଓ ଅନ୍ୟମାନେ ଉପସ୍ଥିତ ରହିବା ସମେତ ବ୍ଲକ ପରିସରରେ ଓ ବାହାରେ ମାଳ ମାଳ ପୁଲିସ୍ ଓ ବରିଷ୍ଠ ଅଧିକାରୀମାନେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଉପସ୍ଥିତ ରହିଥିଲେ।

ସମ୍ବନ୍ଧିତ ଖବର