ଗଜରାଜଙ୍କ ପାଇଁ ଅସୁରକ୍ଷିତ ଆଠଗଡ଼ ବନଖଣ୍ଡ: ଆହୁରି ବାହାରିବ ହାତୀ କଙ୍କା‌ଳ!

୭ମାସରେ ନିଲମ୍ବିତ ହେଲେଣି ୪ ରେଞ୍ଜର୍, ବନ୍ଧା ହେଲେଣି ୫ବନକର୍ମଚାରୀ, ଏବେ ବି ୨ ଫ‌ରେଷ୍ଟର୍‌ ଫେରାର୍‌

କଟକ : ଆଠଗଡ଼ ବନଖଣ୍ଡ ଉପରେ ଝୁଲୁଛି ଡେମୋ‌କ୍ଳିସ୍‌ ଖଣ୍ଡା। ହାତୀ ମୃତ୍ୟୁର ଉପତ୍ୟକା ପାଲଟିଥିବା ଉକ୍ତ ବନଖଣ୍ଡରେ ୪ମାସରେ ମାଟିତଳୁ ୪ ହାତୀ କଙ୍କାଳ ଉଦ୍ଧାର ହୋଇଥିବାବେଳେ ୫ଟି ହାତୀଙ୍କ ମୃତ୍ୟୁ ବି ହେଲାଣି। ଏବେ ସ୍ଥିତି ଏମିତି ଯେ, କେତେବେଳେ କେଉଁ ବନକର୍ମଚାରୀ ଓ ଅଧିକାରୀଙ୍କ ଚାକିରି ଯିବ ସେ ନେଇ ଆଶଙ୍କାରେ ସମସ୍ତେ। ଏପରିକି କେବଳ ବଡ଼ମ୍ବା ଗୋପପୁର ସେକ୍ସନ୍‌ରେ ଆହୁରି ୭ଟି ହାତୀ କଙ୍କାଳ ମାଟିତଳେ ପୋତାଯାଇଥିବା ନେଇ ଚର୍ଚ୍ଚା ଲାଗିରହିଛି। ଅପରପକ୍ଷରେ, ଯେଉଁମାନେ ଗିରଫ ହୋଇଛନ୍ତି ସେମାନେ ଏବେ ସତ ଓଗାଳୁଥିଲେ ସୁଦ୍ଧା ତାଙ୍କ କଥା ଶୁଣିବାକୁ କେହିନାହାନ୍ତି।

ଯେଉଁ ହାତୀ ମୃତ୍ୟୁକୁ ଲୁଚାଇବା ଓ ନିଜ ଚାକିରି ବଂଚାଇବା ପାଇଁ ନିଜେ ବନବିଭାଗ ଖାତ ଖୋଳି ମାଟି ତଳେ ହାତୀକୁ ପୋତି ଦେଇଥିଲା, ସେହି ହରଡ଼ଘଣାରେ ଏବେ ନିଜେ ବନକର୍ମଚାରୀ ପଡିଛନ୍ତି। ଏବେ ଏମିତି ସ୍ଥିତି ଯେ, ଆଠଗଡ଼ ବନଖଣ୍ଡର ୫ଟି ରେଞ୍ଜ୍‌ରୁ ତିନିଟିରେ ନାହାନ୍ତି ରେଞ୍ଜର୍‌। ଅନ୍ୟପଟେ ଗୁଳିବିଦ୍ଧ ଦନ୍ତାହାତୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁପରେ ଏବେ ନରସିଂହପୁର ପଶ୍ଚିମାଞ୍ଚଳ ରେଞ୍ଜର୍‌ଙ୍କ ସ୍ଥିତି ବି ସଙ୍କଟରେ। ଯଦି ରେକର୍ଡ ଦେଖାଯାଏ ୭ମାସରେ ୪ଜଣ ରେଞ୍ଜର ନିଲମ୍ବିତ ହୋଇଥିବାବେଳେ ବନ୍ଧା ହେଲେଣି ୫ଜଣ ବନକର୍ମଚାରୀ। ଆହୁରି ୨ଜଣ ଫରେଷ୍ଟର୍‌ ଫେରାର ଥିବାରୁ ନିଜ ବିଭାଗର କର୍ମଚାରୀଙ୍କୁ ନିଜେ ଖୋଜୁଛି ବନବିଭାଗ।

ଆଠଗଡ଼ ବନଖଣ୍ଡରେ ରହିଛି ଖୁଣ୍ଟୁଣୀ, ଆଠଗଡ଼, ବଡମ୍ବା ଓ ନରସିଂହପୁର(ଇଷ୍ଟ) ଓ ନରସିଂହପୁର(ୱେଷ୍ଟ) ରେଞ୍ଜ। ସେହି ୫ଟି ରେଞ୍ଜରୁ ୩ଟିରେ ରେଞ୍ଜର୍‌ ପଦ ଖାଲି। ହାତୀ କଙ୍କାଳ ମିଳିବା ଘଟଣାରେ ବଡ଼ମ୍ବା ରେଞ୍ଜର୍‌ ସୁରେଶ ଷଡ଼ଙ୍ଗୀ ନିଲମ୍ବିତ ହୋଇଥିବାବେଳେ, ଗତ ଜାନୁଆରିରେ ନରସିଂହପୁର ପଶ୍ଚିମାଞ୍ଚଳ ରେଞ୍ଜର୍‌ ଥିବା ଅଶୋକ ବେହେରା ମଧ୍ୟ ଏସ୍‌ଟିଏଫ୍‌ ଦ୍ବାରା ହାତୀ କଙ୍କାଳ ଜବତ୍ ହେବା ଘଟଣାରେ ନିଲମ୍ବିତ ହୋଇଥିଲେ। ସେହିପରି ନଭେମ୍ବରରେ ଆଠଗଡ଼ ରେଞ୍ଜର୍‌ ଥିବା ଆୟେଶା ଅକ୍‌ତରୀ ନିଶା ମଧ୍ୟ ହାତୀ ମୃତ୍ୟୁ ଓ ଦାନ୍ତ ନିଜ ପାଖରେ ରଖିବା ଅଭିଯୋଗରେ ନିଲମ୍ବିତ ହୋଇଥିଲେ। ସେପଟେ, ଫାୟାର ଲାଇନ୍‌ ନିର୍ମାଣରେ ଅନିୟମିତତା ଅଭିଯୋଗରେ ଆଠଗଡ଼ ରେଞ୍ଜ ଦାୟିତ୍ବରେ ଥିବା ଖୁଣ୍ଟୁଣୀ ରେଞ୍ଜର୍‌ ଗଜେନ୍ଦ୍ର ପାଲ ସିଂହ ମାଥୁର୍‌ଙ୍କୁ ମଧ୍ୟ ଅନିୟମିତତା ଅଭିଯୋଗରେ ଗତ ୧୦ ତାରିଖରେ ନିଲମ୍ବିତ କରାଯାଇଛି। ଫଳରେ ଏବେ ବଡ଼ମ୍ବା ରେଞ୍ଜ ଦାୟିତ୍ବରେ ଆଠଗଡ଼ ରେଞ୍ଜର୍‌, ଖୁଣ୍ଟୁଣୀ ରେଞ୍ଜ ଦାୟିତ୍ବରେ ଡ଼େପୁଟି ରେଞ୍ଜର ରହିଥିବାବେଳେ ନରସିଂହପୁର ୱେଷ୍ଟ ରେଞ୍ଜର୍‌ ଦାୟିତ୍ବରେ ବି ଡେପୁଟି ରେଞ୍ଜର୍‌ ରହିଛନ୍ତି।

ଅନ୍ୟପଟେ ବଡମ୍ବାରେ ଏସ୍‌ଟିଏଫ୍‌ ପକ୍ଷରୁ ଚନ୍ଦ୍ରଗିରି ସଂରକ୍ଷିତ ଜଙ୍ଗଳ ପାର୍ଶ୍ବବର୍ତ୍ତୀ ଅଂଚଳରୁ ୨ଟି ହାତୀର ଗଳିତ ମୃତଦେହ (ଗୋଟିଏ ଦନ୍ତା ଓ ଗୋଟିଏ ମାଈ) ଜବତ୍‌ ହେବା ଘଟଣାରେ ବନବିଭାଗ ନିଜଆଡୁ ମାମଲା ରୁଜୁ କରିବା‌ ସହ ଜଣେ ଫରେଷ୍ଟର୍‌, ଜଣେ ଗାର୍ଡ ଓ ୩ଜଣ ଏଲିଫ୍ୟାଣ୍ଟ ଟ୍ରାକର୍‌ (ହାତୀ ଜଗୁଆଳୀ) ଓ ୨ଜଣ ଗ୍ରାମବାସୀଙ୍କୁ ଗିରଫ କରିଥିଲା। ହେଲେ ସେହି ‌ସମୟରେ ବଡମ୍ବା ରେଞ୍ଜ ଦାୟିତ୍ବରେ ଥିବା ଫରେଷ୍ଟର୍‌ ପ୍ରଦୀପ ପରିଡା ଓ ଅନ୍ୟଜଣେ ଫରେଷ୍ଟର୍‌ ମନୋଜ କୁମାର ଦାସ ଫେରାର୍‌ ଥିବାରୁ ସେମାନଙ୍କୁ ମାମଲା ରୁଜୁ ହେବାର ୬ଦିନ ପରେ ବି ବନବିଭାଗ ଖୋଜି ପାଉନି। ଅନ୍ୟପଟେ ଏହି ଘଟଣାରେ ଆହୁରି ୧୦ଜଣ ଫେରାର୍‌ ରହିଥିବା ଜଣାପଡିଛି।

ତେବେ, ଗିରଫ ହୋଇଥିବା କର୍ମଚାରୀଙ୍କ ବୟାନକୁ ଭିତ୍ତି କରି ବନବିଭାଗ ଗତକାଲି ପୁଣି ଚନ୍ଦ୍ରଗିରି ସଂରକ୍ଷିତ ଜଙ୍ଗଲର ହାଡୁଆ ପ୍ରକଳ୍ପ ପାଖରୁ ମାଟି ତଳୁ ଏକ କଙ୍କାଳ ପାଇଥିଲା। ଅନ୍ୟପଟେ, ନରସିଂହପୁର ପଶ୍ଚିମାଞ୍ଚଳ ରେଞ୍ଜରେ ଗୁଳିବିଦ୍ଧ ଦନ୍ତାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ପରେ କେନ୍ଦ୍ର ପରିବେଶ ମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରିବା ପରେ ଆଜି ରାଜ୍ୟ ସରକାର ହାତୀ ମୃତ୍ୟୁ ଘଟଣାର ତଦନ୍ତ ସ୍ବତନ୍ତ୍ର ଟିମ୍‌ ଦ୍ବାରା କରାଯିବ ବୋଲି ସୂଚନା ଦେଇଛନ୍ତି। ଅନ୍ୟପଟେ ଆଠଗଡ଼ ବନଖଣ୍ଡରେ ୬୬ଜଣ ଫରେଷ୍ଟ ଗାର୍ଡଙ୍କ ସ୍ଥାନରେ ଅଛନ୍ତି ୪୧ ଓ ୩୭ ଫରେଷ୍ଟର୍‌ଙ୍କ ସ୍ଥାନରେ ୩୩ ଜଣ ଅଛନ୍ତି।

ସମ୍ବନ୍ଧିତ ଖବର