ଆସନ୍ତାକାଲି ଠାରୁ ଶ୍ରୀମନ୍ଦିରରେ ମିଳିବ ବରାଦି ଅବଢ଼ା !

ପୁରୀ : ଗତ ଚାରିଦିନ ହେଲା ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିରେ ଲାଗି ରହିଥିବା ଅଚଳାବସ୍ଥା ଯୋଗୁଁ ହଜାର ହଜାର ଭକ୍ତ ମହାପ୍ରସାଦ ନ ପାଇ ନିରାଶ ହୋଇ ଫେରୁଛନ୍ତି। ଅବଢ଼ା ପାଇଁ ଭକ୍ତଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଶ୍ରୀମନ୍ଦିରରେ ଲାଗି ରହିଥିବା ନୀତି ବିଭ୍ରାଟକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ଦେଖାଦେବା ସହ ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ଗଭୀର ଆଘାତ ଦେଇଛି। ଚାରି ଦିନ ହେଲାଣି ମହାପ୍ରସାଦ ବି ପ୍ରସ୍ତୁତ ହୋଇପାରୁନି। ଏଭଳି ପରିସ୍ଥିିତିରେ ଆଜି ହାଇକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

ଗତ ଚାରି ଦିନ ଧରି ପୁରୀ ଶ୍ରୀମନ୍ଦିରରେ ସୃଷ୍ଟି ହୋଇଥିବା ଅଚଳାବସ୍ଥା ସୃଷ୍ଟିର କାରଣ କଣ, ତାହା ଏବେ ସାମନାକୁ ଆସିଛି। ଶ୍ରୀମନ୍ଦିର ଗର୍ଭଗୃହର ପ୍ରବେଶକୁ ନେଇ ଯେଉଁ ବିବାଦ ସୃଷ୍ଟି ହୋଇଥିଲା ତାହାର କାରଣ କ’ଣ ଜଣାପଡିଛି। ଆଜି ହାଇକୋର୍ଟ କହିଛନ୍ତି, ଗର୍ଭଗୃହକୁ ପ୍ରବେଶ କଟକଣା ନେଇ କିଛି ନିର୍ଦ୍ଦେଶ ନଥିଲା। କୋର୍ଟଙ୍କ ନିର୍ଦ୍ଦେଶକୁ ତ୍ରୁଟିପୂର୍ଣ୍ଣ ଭାବେ ଉପସ୍ଥାପିତ କରାଯାଇଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଉଚ୍ଚ ନ୍ୟାୟାଳୟ।

କେବଳ ଜଗମୋହନ ମରାମତି ଓ ଖୋଲାଯିବା ସଂକ୍ରାନ୍ତରେ ରାୟ ଦେଇଥିଲେ ହାଇକୋର୍ଟ। ତେବେ ଜଷ୍ଟିସ ବିପି ଦାସ କମିଶନଙ୍କ ସୁପାରିଶ ପାଳନ କରିବାକୁ ପ୍ରଶାସନ ଚାହିଁଥିଲା। ପାଳିଆ ସେବକଙ୍କ ବ୍ୟତୀତ ସେମାନଙ୍କ ପରିବାରର ଅନ୍ୟମାନଙ୍କୁ ଗର୍ଭଗୃହକୁ ଛାଡିବା ଉପରେ କଟକଣା ଲଗାଇଥିଲା। ମାତ୍ର ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଏପରି ହେଉଥିବା ନେଇ ଚର୍ଚ୍ଚା ହୋଇଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ହାଇକୋର୍ଟ । ଏହି ବିବାଦ ପରେ ବିଶୃଙ୍ଖଳିତ ହୋଇପଡିଥିଲା ଶ୍ରୀମନ୍ଦିରର ନୀତିକାନ୍ତି। ଚାରିଦିନ ଧରି ଖାଁ ଖାଁ ହୋଇପଡିଛି ଆନନ୍ଦବଜାର। ଆଜି ମଧ୍ୟ ଭକ୍ତଙ୍କୁ ମିଳିପାରିନି ମହାପ୍ରସାଦ। କେବଳ କୋଠଭୋଗ ହେଉଛି, ମାତ୍ର ବରାଦି ଅବା ପ୍ରସ୍ତୁତ ହେଉନି। ଶ୍ରୀମନ୍ଦିର ପ୍ରଶାସନ ଓ ସୁଆର ନିଯୋଗ ସେବାୟତ ନିଜ ନିଜ ଜିଦରେ ଅଟଳ ରହିଥିବାରୁ ଭକ୍ତମାନେ ନିରାଶ ହୋଇ ଫେରୁଛନ୍ତି ।

ନୀତି ବିଳମ୍ବ ଯୋଗୁଁ ନଷ୍ଟ ହୋଇଥିବା ଅମୁଣିଆ ମହାପ୍ରସାଦର କ୍ଷତିପୂରଣ ଦାବି କରୁଛନ୍ତି ସୁଆର ମହାସୁଆର ନିଯୋଗ। ନୀତି ଶୃଙ୍ଖଳିତ କରିବା ପାଇଁ ହାଇକୋର୍ଟ ରାୟ ଦେବା ପରେ ଆସନ୍ତାକାଲି ମହାପ୍ରସାଦ ପ୍ରସ୍ତୁତ ହେବ ବୋଲି କହିଛନ୍ତି ସୂପକାର ସେବାୟତ। କାଲିଠୁ ଭକ୍ତଙ୍କ ପାଇଁ ବାହାରିବ ବରାଦି ଅବଢା। ହାଇକୋର୍ଟଙ୍କ ନିଷ୍ପତିକୁ ସ୍ୱାଗତ କରିଛନ୍ତି ସୁଆର ମହାସୁଆର ନିଯୋଗ। ହାଇକୋର୍ଟ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବା ପରେ ଏବେ ପ୍ରଶାସନ ଓ ସେବାୟତ, ଭକ୍ତଙ୍କ ଭାବାବେଗକୁ ଆଖି ଆଗରେ ରଖି ସ୍ଥିତି ସ୍ୱାଭାବିକ କରିବେ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର