କୃଷ୍ଣପ୍ରସାଦ ଦାସ
କଟକ: ଯେଉଁ ଘରେ ଦିନେ ସ୍ବତନ୍ତ୍ର ଉତ୍କଳର ଭବିଷ୍ୟତକୁ ନେଇ ମାନସମନ୍ଥନ ହେଉଥିଲା, ଯେଉଁ ଘରେ ଓଡ଼ିଆ ଭାଷା, ଓଡ଼ିଆ ଅସ୍ମିତାର ସୁରକ୍ଷାକୁ ନେଇ ସଂଗ୍ରାମର ରଣକୌଶଳ ପ୍ରସ୍ତୁତ ହେଉଥିଲା, ଓଡ଼ିଶା ମାଟିର ସେହି ମହାର୍ଘ୍ୟ ତୀର୍ଥସ୍ଥଳ ଏବେ ପରିତ୍ୟକ୍ତ। ‘ମଧୁ କୋଠି’ର ଉଚ୍ଚାରଣରେ ଓଡ଼ିଆପ୍ରେମୀଙ୍କ ଶରୀରରେ ଶିହରଣ ଆସୁଥିବା ବେଳେ ସେହି କୋଠିର ଚାରିପଟେ ଅନାବନା ଗଛଲତା ମାଡ଼ି ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି। ସେ ପବିତ୍ର ମାଟିକୁ ଛୁଇଁବା ପାଇଁ ଯିବାକୁ ହେଲେ ବି ମନରେ ସରୀସୃପଙ୍କ ଭୟ ସଞ୍ଚାର ହେଉଛି। ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବ ଆଉ ଗୌରବର ପ୍ରତୀକ ହୋଇ ରହିଥିବା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ବିଲାତରୁ ଫେରି ଗାଁକୁ ଆସିବା ପରେ ପ୍ରଥମ ଆବାସସ୍ଥଳ ମଧୁ କୋଠିର ଏଭଳି ଦୁଃସ୍ଥିତି ବର୍ତ୍ତମାନ ସମୟରେ ପ୍ରଶ୍ନ କରୁଛି।
ଆମେ ଆମର ଐତିହ୍ୟ, ସଂସ୍କୃତିର ସୁରକ୍ଷା ପାଇଁ କେତେ ସତର୍କ, କେତେ ସଚେତନ?
କଟକ ଜିଲ୍ଲାର ସତ୍ୟଭାମାପୁର ହେଉଛି ମଧୁ ବାବୁଙ୍କ ଜନ୍ମମାଟି। ବିଲାତରୁ ଫେରିବା ପରେ ଧର୍ମ ପରିବର୍ତ୍ତନ ଯୋଗୁଁ ତାଙ୍କୁ ଆଉ ତାଙ୍କ ମୂଳ ଜନ୍ମସ୍ଥାନରେ ରହିବାର ସୁଯୋଗ ମିଳି ନଥିଲା। ଗାଁ ଠାରୁ କିଛି ଦୂରରେ ନିଜର ଅନ୍ତୁଡ଼ିଶାଳ ଠାରୁ ପାଖାପାଖି ୫ଶହ ମିଟର ଦୂରରେ ମଧୁ ବାବୁ ତିଆରି କରିଥିଲେ ଦୁଇ ବଖରା କୋଠାଘର। ଘରର ସାମନା ପଟେ ବୈଠକଖାନା। ଘରକୁ ଲାଗି ରହିଥିଲା ଶୌଚାଳୟ। ଆଉ ଘରଠୁ ଟିକିଏ ଛାଡ଼ି ବାବର୍ଚ୍ଚି ଖାନା ବା ରୋଷେଇଘର। ସେହି ବାବର୍ଚ୍ଚିଖାନାର ସଂପୂର୍ଣ୍ଣ ଦାୟିତ୍ବ ଥିଲା ଜଣେ ମୁସଲମାନ ରୋଷେୟାଙ୍କ ହାତରେ। ଅନେକ କିମ୍ବଦନ୍ତୀ ଯୋଡ଼ି ହୋଇ ରହିଥିବା ସେହି ଘର ପରବର୍ତ୍ତୀ ସମୟରେ ମଧୁ କୋଠି ନାମରେ ପ୍ରସିଦ୍ଧ ହେଲା। ମଧୁ ବାବୁ ସେହି ଘର ଛାଡ଼ି ପରବର୍ତ୍ତୀ ସମୟରେ କଟକ ସହରକୁ ଆସିଥିଲେ ବି ତାହାର ପ୍ରସିଦ୍ଧି ରହି ଆସିଥିଲା।
ମଧୁ ବାବୁଙ୍କ ପରଲୋକ ପରେ ମଧୁ ବାବୁ୍ଙ୍କ ଜନ୍ମସ୍ଥାନ ଓ ମଧୁ କୋଠିର ଦାୟିତ୍ବ ରହି ଆସିଛି କସ୍ତୁରବା ଗାନ୍ଧୀ ରାଷ୍ଟ୍ରୀୟ ସ୍ମାରକ ଟ୍ରଷ୍ଟ ଉତ୍କଳ ଶାଖା ହାତରେ। ଏହି ଟ୍ରଷ୍ଟ ୧୯୪୫ରୁ ମଧୁ ବାବୁଙ୍କ ଜନ୍ମସ୍ଥାନ ଓ ମଧୁ କୋଠିର ରକ୍ଷଣାବେକ୍ଷଣ ଓ ପରିଚାଳନା ଦାୟିତ୍ବରେ ରହି ଆସିଛି। ବିଭିନ୍ନ ସମୟରେ ସରକାର ପୀଠର ବିକାଶ ପାଇଁ ସହଯୋଗର ହାତ ବଢ଼ାଇଛନ୍ତି ସତ କିନ୍ତୁ ପୀଠର ବିକାଶ ପାଇଁ ଦୃଢ଼ ଇଚ୍ଛାଶକ୍ତିର ଅଭାବ ଆଉ ଉଦାସୀନତା ଧୀରେ ଧୀରେ ମଧୁ କୋଠିକୁ ଏକ ପରିତ୍ୟକ୍ତ ସ୍ଥାନରେ ପରିଣତ କରିଛି। ମଧୁ କୋଠି ଭିତରେ ଭଙ୍ଗା ଖଟ, ଗୋଟିଏ ଦୁଇଟି ଅସଜଡ଼ା ସାଇନ ବୋର୍ଡ, ଅଳନ୍ଦୁ ଏବଂ ଘର ଚାରିପଟେ ବଢ଼ିଥିବା ବଣ ଏହାର ପ୍ରମାଣ ଦେଉଛି। ମଧୁ ବାବୁଙ୍କ ପ୍ରସିଦ୍ଧ ବାବର୍ଚ୍ଚିଖାନା ଭିତରେ ଛଣ, ନଡ଼ା ଗଦା ହୋଇଛି। ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏକ ଦର୍ଶନୀୟ ସ୍ଥାନ ଓ ମ୍ୟୁଜିୟମ ହେବାର ସବୁ ଯୋଗ୍ୟତା ଥାଇ ବି ଏହାର ଏଭଳି ସ୍ଥିତି ଯେ କୌଣସି ସଚେତନ ଓଡ଼ିଆଙ୍କୁ ବ୍ୟଥିତ କରିବ।
ତଥ୍ୟ ଅନୁଯାୟୀ, ପରିଚାଳନା ଦାୟିତ୍ବରେ ଥିବା ଟ୍ରଷ୍ଟ ଏବେ ଅର୍ଥାଭାବର ଶିକାର। ବର୍ଷକୁ ଯେଉଁ ଦୁଇ ତିନି ଲକ୍ଷ ଟଙ୍କାର ଅନୁଦାନ ଆସୁଛି, ସେଥିରେ ସବୁ କିଛି ସଜାଡ଼ି ରଖିବା ସମ୍ଭବ ନୁହେଁ। ମଧୁ କୋଠି ଚାରି ପଟକୁ ସଫାସୁତରା ରଖିବା କି ଝାଡ଼ୁ ମାରିବା ବି ସମ୍ଭବ ହେଉ ନାହିଁ। ଟ୍ରଷ୍ଟ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ତାଲିମ କେନ୍ଦ୍ର ଜରିଆରେ ଆୟ ବୃଦ୍ଧି ପାଇଁ ଉଦ୍ୟମ କରିଥିଲା। କିନ୍ତୁ ସେ ବାଟ ବି କିଛି ବର୍ଷ ହେବ ବନ୍ଦ ହୋଇଗଲାଣି। ଏଭଳି ସ୍ଥିତିରେ ସରକାରଙ୍କ ସହଯୋଗକୁ ଅପେକ୍ଷା କରାଯାଉଥିବା ବେଳେ ଏଥିପାଇଁ ପୂର୍ବର କୌଣସି ସରକାର ସ୍ବତନ୍ତ୍ର ଯୋଜନା କାର୍ଯ୍ୟକାରୀ କରିପାରି ନାହାନ୍ତି। କୁହାଯାଉଛି ଗଲା ସାଧାରଣ ନିର୍ବାଚନର କିଛି ମାସ ପୂର୍ବରୁ ରାଜ୍ୟ ସରକାରଙ୍କ ପ୍ରତିନିଧି ମଧୁ କୋଠି ଅଞ୍ଚଳ ପରିଦର୍ଶନ କରି ୨୩ କୋଟି ଟଙ୍କା ବ୍ୟୟ ଅଟକଳରେ ଏହାକୁ ଏକ ପର୍ଯ୍ୟଟନସ୍ଥଳର ରୂପ ଦେବାର ଯୋଜନା କରିଥିଲେ। ସରକାର ବଦଳି ଯିବାରୁ ତାହା ଶୀତଳଭଣ୍ଡାରକୁ ଚାଲିଗଲା। କିନ୍ତୁ ବିଧିବଦ୍ଧ ରେକର୍ଡରେ ଏହାର କୌଣସି ଘୋଷଣା ଅଥବା ପ୍ରମାଣ ନାହିଁ। ପାଖାପାଖି ୧୪୪ ବର୍ଷର ପୁରୁଣା ମଧୁ କୋଠି ଓଡ଼ିଆ ଗୌରବ ଓ ଅସ୍ମିତାର ମୂକସାକ୍ଷୀ ଭାବେ ଏବେ ବି ମୁଣ୍ଡ ଟେକି ରହିଛି ସତ କିନ୍ତୁ ତା’ର ଦୁଃସ୍ଥିତି ଓଡ଼ିଆ ଅସ୍ମିତାର ବାସ୍ତବ ସ୍ଥିତିକୁ ବଖାଣି ଚାଲିଛି।