ରାଉରକେଲା : ବନ୍ଦ ପଡିଥିବା ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ପୁରୁଣାପାଣି ଚୁନପଥର ଖଣିର ପରିତ୍ୟକ୍ତ ଆର୍ଏସ୍ପି କ୍ବାର୍ଟର୍ସ ଏବେ ଆନ୍ତଃରାଜ୍ୟ ଅପରାଧୀଙ୍କ ଆଡ୍ଡାସ୍ଥଳୀ। ଜଗିବାକୁ କେହି ନଥିବାରୁ କ୍ବାର୍ଟର୍ସଗୁଡ଼ିକୁ ସୁରକ୍ଷିତ ମଣୁଛନ୍ତି ଉଭୟ ଝାଡଖଣ୍ଡୀ ଓ ବିହାରୀ ଅପରାଧୀ। କେବଳ ଆନ୍ତଃରାଜ୍ୟ ଅପରାଧୀ ନୁହଁନ୍ତି ବରଂ ପିଏଲ୍ଏଫ୍ଆଇଙ୍କ ପାଇଁ ଏହା ମଧ୍ୟ ସୁରକ୍ଷିତ ସ୍ଥାନ। ପୁଲିସକୁ ଚକ୍ମା ଦେଇ ନୂଆଗାଁ ବ୍ଲକ ସୀମାନ୍ତ ଗଳାବାଟ ଦେଇ ପ୍ରତିଦିନ ଅପରାଧୀମାନେ ଜିଲ୍ଲାକୁ ଅବାଧରେ ପ୍ରବେଶ କରୁଛନ୍ତି। ହାତୀବାରି ଥାନା ଅଧୀନ ପୁରୁଣାପାଣି ରାସ୍ତା ଦେଇ ଝାଡ଼ଖଣ୍ଡକୁ ଅନେକ ଗାଁ ରହିଛି। ସେହି ଗଳାବାଟ ଦେଇ ଆସୁଛନ୍ତି। ଜରାଜୀର୍ଣ୍ଣ କ୍ବାର୍ଟର୍ସରେ ଆତ୍ମଗୋପନ କରୁଛନ୍ତି। ଏଠାରେ ପ୍ରସ୍ତୁତି ହେଉଛି ଲୁଟ୍, ଡକାୟତିର ବ୍ଲୁ ପ୍ରିଣ୍ଟ। ଟାର୍ଗେଟରେ ରହୁଛନ୍ତି ଠିକାଦାର, କ୍ରସର, ଇଟାଭାଟି ମାଲିକ, ସ୍ପଞ୍ଜ ଆଇରନ୍, ଇଣ୍ଡକ୍ସନ ଫ୍ୟାକ୍ଟ୍ରି ମାଲିକ ଓ ବଡ ବଡ ବ୍ୟବସାୟୀ ।
/sambad/media/post_attachments/wp-content/uploads/2021/03/crusher.jpg)
ଏମାନଙ୍କୁ ଫୋନ୍ ମାଧ୍ୟମରେ ମୋଟା ଅଙ୍କର ଲେଭି (ବଟି) ଦେବାକୁ ଧମକ ଚମକ ଦେଉଛନ୍ତି। ଯେଉଁମାନେ ଦାବି ମୁତବାକ ଟଙ୍କା ଦେଇ ପାରୁନାହାନ୍ତି, ସେମାନଙ୍କୁ ଟାର୍ଗେଟ କରୁଛନ୍ତି। ଏମାନଙ୍କ ଗ୍ରୁପ୍ରେ ସାମିଲ ଅଛନ୍ତି ସ୍ଥାନୀୟ ଅଞ୍ଚଳ କିଛି ଅପରାଧୀ। ଯେଉଁମାନେ ଆନ୍ତଃରାଜ୍ୟ ଅପରାଧୀ ଓ ପିଏଲ୍ଏଫ୍ଆଇଙ୍କୁ ଶିଳ୍ପପତି, ବ୍ୟବସାୟୀ, ଠିକାଦାରଙ୍କ ଗତିବିଧି ସଂକ୍ରାନ୍ତରେ ବିସ୍ତୃତ ତଥ୍ୟ ଦେଉଛନ୍ତି। ଅନୁରୂପ ଭାବେ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ନକ୍ସଲ ଉପଦ୍ରୁତ ଅଞ୍ଚଳରେ ପ୍ରତ୍ୟେକ ବିକାଶ ମୂଳକ କାମରେ ଠିକାଦାରଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ବଟି ଆଦାୟ କରୁଛନ୍ତି। ଯେଉଁମାନେ ଦାବି ମୁତାବକ ବଟି ଦେଉ ନାହାନ୍ତି, ସେମାନଙ୍କୁ କାମ କରିବାକୁ ଦେଉ ନାହାନ୍ତି। ନିକଟରେ କ୍ରସର ମାଲିକ ପ୍ରଦୀପ କୁଣ୍ଡୁ ଏହାର ସଦ୍ୟତମ ଉଦାହରଣ। କ୍ରସର ୟୁନିଟ୍ରୁ ଫେରୁଥିବାବେଳେ ଆନ୍ତଃରାଜ୍ୟ ଅପରାଧୀମାନେ ଗାଡିରୁ ଉଠାଇ ନେଇଥିଲେ। ମୁଣ୍ଡ ଜାମିନ ରଖି ମୋଟା ରକମର ଦାଦା ବଟି ମାଗିଥିଲେ। କିଛି ଦିନ ପରେ ରହସ୍ୟଜନକ ଭାବେ ପ୍ରଦୀପ ରାସ୍ତାରୁ ଉଦ୍ଧାର ହୋଇଥିଲେ।
ପ୍ରଦୀପ କୁଣ୍ଡୁ ନୁହଁନ୍ତି ଗତ ତିନି ଦିନ ତଳେ ଖୁଣ୍ଟଗାଁର ଜଣାଶୁଣା ବ୍ୟବସାୟୀ ମନୋଜ ସାହୁଙ୍କ ଘରୁ ଡକାୟତି ହୋଇଥିଲା। ୮ ଅପରାଧୀ ବନ୍ଧୁକ ଓ ଭୂଜାଲି ଧରି ମନୋଜକୁ ଘରକୁ ଜୋରଜବରଦସ୍ତ ପଶିଥିଲେ। ପରିବାର ସମସ୍ତଙ୍କୁ ଗୋଟିଏ ଘରେ ପୁରାଇ ବନ୍ଦ କରି ଦେଇଥିଲେ। ତିନିଟି ଆଲମିରା ଭାଙ୍ଗି ୫ ଲକ୍ଷ ଟଙ୍କା, ୧୦ ଭରି ସୁନା ଗହଣା ସମେତ ଅନ୍ୟାନ୍ୟ ସାମଗ୍ରୀ ଲୁଟ୍ କରି ଚମ୍ପଟ ମାରିଥିଲେ। ପୁଲିସ ଅଦ୍ୟାବଧି ଏମାନଙ୍କ ଟେର୍ ପାଇନି। ଗତ ପ୍ରାୟ ୪ ବର୍ଷ ତଳେ କୁଆରମୁଣ୍ଡାର ତତ୍କାଳନୀ ଫାଣ୍ଠି ଅଧିକାରୀ ପରିତ୍ୟକ୍ତ କ୍ବାର୍ଟର୍ସରେ ଚଢ଼ଉ କରି ୪ ପିଏଲ୍ଏଫ୍ଆଇ ସଦସ୍ୟଙ୍କୁ ଗିରଫ କରିଥିଲା। ଏମାନଙ୍କୁ ନିକଟରୁ ବିପୁଳ ପରିମାଣରେ ମାରଣାସ୍ତ୍ର ଜବତ ହୋଇଥିଲା। ପିଏଲ୍ଏଫଆଇ ଏରିଆ କମାଣ୍ଡର ମଦନ ମାଝିଙ୍କ ପାଇଁ ପରିତ୍ୟକ୍ତ କ୍ବାର୍ଟର୍ସ ମଧ୍ୟ ଥିଲା ସୁରକ୍ଷିତ ସ୍ଥାନ। ସହଯୋଗୀଙ୍କୁ ନେଇ ସୀମାନ୍ତ ଅଞ୍ଚଳରେ ଚଳାଇଥିଲା ଅପରାଧିକ କାର୍ଯ୍ୟକଳାପ। ଗତ ବର୍ଷକ ତଳେ ଓଡ଼ିଶା ସୀମାନ୍ତ ହୃର୍ଦ୍ଦାରେ ତାଙ୍କୁ ପିଏଲ୍ଏଫଆଇର ଅନ୍ୟ ଏକ ଗୋଷ୍ଠୀ ନିର୍ମମ ଭାବେ ହତ୍ୟା ଜଙ୍ଗଲରେ ଫିଙ୍ଗି ଦେଇଥିଲେ। ବିଗତ ଦିନରେ ଏମିତି ଅନେକ ଲୁଟ୍, ଡକାୟତିର ଯୋଜନା ଏହି ପରିତ୍ୟକ୍ତ କ୍ବାର୍ଟର୍ସରୁ ହିଁ ହୋଇଥିଲା। ଆଜି ପର୍ଯ୍ୟନ୍ତ ଆର୍ଏସ୍ପି କର୍ତ୍ତୃପକ୍ଷ ପରିତ୍ୟକ୍ତ କ୍ବାର୍ଟର୍ସଗୁଡ଼ିକୁ ଜଗିବାକୁ ସେମିତି କୌଣସି ପଦକ୍ଷେପ ନେଇ ନାହିଁ। ଯାହାର ଭରପୁର ଫାଇଦା ଉଠାଉଛନ୍ତି ଆନ୍ତଃରାଜ୍ୟ ଅପରାଧୀ ଓ ପିଏଲ୍ଏଫଆଇ ସଙ୍ଗଠନ।
/sambad/media/post_attachments/wp-content/uploads/2021/07/SAIL.jpg)
ଉଲ୍ଲେଖଯୋଗ୍ୟ, ଗତ ୧୯୫୯ରେ ନୂଆଗାଁ ବ୍ଲକ ପୁରୁଣାପାଣିରେ ଚୂନପଥର ଖଣିରୁ ଚୂନ ପଥର ଓ ଡୋଲାମାଇଟ୍ ଉତ୍ତୋଳନ ଆରମ୍ଭ ହୋଇଥିଲା। ଏଥି ପାଇଁ ରାଜ୍ୟ ସରକାର ସେଲ୍ କଞ୍ଚାମାଲ ଡିଭିଜନକୁ ପ୍ରାୟ ୨୩୧ ହେକ୍ଟର ଜମି ଲିଜ୍ ଆକାରରେ ଦେଇଥିଲେ। ଏଠାରୁ ଉତ୍ତୋଳନ ହେଉଥିବା ଉତ୍ତମ ମାନର ଚୂନପଥର ରାଉରକେଲା ଇସ୍ପାତ କାରଖାନା (ଆର୍ଏସ୍ପି)ର ସହ ରାଜ୍ୟ ବାହାର ଅନ୍ୟ କାରଖାନାରେ ବ୍ୟବହାର ହେଉଥିଲା। ତେବେ ୨୦୦୧ରେ ନିମ୍ନମାନର ଚୂନପଥର ବାହାରୁଥିବା ଦର୍ଶାଇ ସେଲ୍ ପକ୍ଷରୁ ଏହାକୁ ଆଂଶିକ ବନ୍ଦ କରି ଦିଆଯାଇଥିଲା। ପୁଣି ୨୦୦୩ରେ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଗଲା। ସେବେଠୁ ଶହ ଶହ କ୍ବାର୍ଟର୍ସ ସେମିତି ପରିତ୍ୟକ୍ତ ଭାବେ ପଡିରହିଛି।