ଟାଟା ଷ୍ଟିଲ୍‌ ଭୁବନେଶ୍ବର ସାହିତ୍ୟ ଉତ୍ସବ: ଅବାନ୍ତର ଶବ୍ଦ ତାତ୍ପର୍ଯ୍ୟପୂର୍ଣ୍ଣ ସାହିତ୍ୟର ଉଚ୍ଚତମ ସୋପାନ

ଭୁବନେଶ୍ୱର: ଅବାନ୍ତର ଶବ୍ଦ ତାତ୍ପର୍ଯ୍ୟପୂର୍ଣ୍ଣ ସାହିତ୍ୟର ଉଚ୍ଚତମ ସୋପାନ। ସନ୍ଥ କବୀରଙ୍କଠାରୁ ଆରମ୍ଭ କରି ଅଚ୍ୟୁତାନନ୍ଦ, ଭୀମଭୋଇ, ରବୀନ୍ଦ୍ରନାଥ ଠାକୁର, ମନୋଜ ଦାସଙ୍କ ପର୍ଯ୍ୟନ୍ତ, ଉଭୟ ଭାରତୀୟ ଏବଂ ଓଡ଼ିଆ ସାହିତ୍ୟ‌‌ରେ ଏହାର ଝଲକ୍‌ ଦେଖିବାକୁ ମିଳେ। ଓଡ଼ିଆରେ ନାନାବାୟା ଗୀତ ଭଳି ଅନେକ ଅର୍ଥହୀନ ଶବ୍ଦକୁ ନେଇ ପ୍ରସ୍ତୁତ ଏହି ସାହିତ୍ୟ କେବଳ ବ୍ୟଙ୍ଗ ନୁହେଁ, ତା’ଠାରୁ କିଛି ଅଧିକ। ଅନେକ କ୍ଷେତ୍ରରେ ଏହାକୁ ସାହିତ୍ୟିକ ବିନା ଅର୍ଥରେ ପ୍ରସ୍ତୁତ କରି ଥାଆନ୍ତି। ପାଠକମାନେ ବି ସେହିଭଳି ଗ୍ରହଣ କରନ୍ତୁ ବୋଲି ଆଶା କରନ୍ତି।

‘ଅବାନ୍ତରର ମ୍ୟାଜିକ୍‌’ ଶୀର୍ଷକ ଆଲୋଚନାରେ ଏହି ମତପ୍ରକାଶ ପାଇଥିଲା। ଏଥିରେ ଶିଶୁ ସାହିତ୍ୟିକା ଅନୁଷ୍କା ରବିଶଙ୍କର କହିଥିଲେ, ପରିହାସ ଏବଂ ଅବାନ୍ତର ପରସ୍ପର ଭିନ୍ନ। ଅନେକ ପରିହାସପୂର୍ଣ୍ଣ ଲେଖାରେ ଖୁବ୍‌ କମ୍‌ ଅବାନ୍ତର କଥା ଥାଏ, ଯାହାର ପ୍ରକୃତ ସଂଜ୍ଞା ଗୋଟିଏ ବଡ଼ ଅର୍ଥକୁ ବୁଝାଏ। କିନ୍ତୁ ଅବାନ୍ତର ସାହିତ୍ୟର ଅନୁବାଦ ଆହ୍ବାନପୂର୍ଣ୍ଣ ଥାଏ। ଏହାର ଶବ୍ଦ ଏବଂ ତା’ ଅର୍ଥ ସହ ଖେଳିବା, ସ୍ବରକୁ ଶୁଣିବାରେ ଅଲଗା ପ୍ରକାର ମଜା ଥାଏ। କିଛି ଅବାନ୍ତର ଶବ୍ଦକୁ ଅନୁଭବ କରିବା ମଧ୍ୟ ଏକ ଭିନ୍ନ ଅନୁଭବ।

ସୁମନ୍ୟୁ ଶତପଥୀ କହିଥିଲେ, ମରାଠି, ତେଲୁଗୁ, ତାମିଲ ଏବଂ ବଙ୍ଗଳାରେ ଅବାନ୍ତର ଶବ୍ଦର ସମୃଦ୍ଧ ପରମ୍ପରା ରହିଛି। ସତ୍ୟଜିତ ରାୟଙ୍କ ଅନୁସାରେ ଅବାନ୍ତର ସାହିତ୍ୟ ମଧ୍ୟ ଏକ ଦଶ ରସ ମଧ୍ୟରୁ ଅନ୍ୟତମ, ଯାହାର ନାଟ୍ୟଶାସ୍ତ୍ରରେ ଉଲ୍ଲେଖ ନାହିଁ। ସାହିତ୍ୟରେ ଅବାନ୍ତର ଶବ୍ଦ ବ୍ୟବହାର ମଝିରେ ଅନେକ ଉଚ୍ଚକୋଟୀର ଅର୍ଥପୂର୍ଣ୍ଣ ଶବ୍ଦ ପ୍ରୟୋଗ ଏହାର ଅର୍ଥ ନାଟକକୁ ଭିନ୍ନ ସୋପାନକୁ ନେଇଯାଏ। ଅବାନ୍ତର ସାହିତ୍ୟ ଲଘୁ କଥା ମନେ ହେଉଥିଲେ ମଧ୍ୟ ଏହା ସବୁଠାରୁ ଗମ୍ଭୀର କାମ। ପ୍ରକାଶକମାନେ ଯେପରି ଏହି ସାହିତ୍ୟର ଗମ୍ଭୀରତାକୁ ବୁଝିବେ, ତାହା ସାହିତ୍ୟିକଙ୍କ ପାଇଁ ମୁଖ୍ୟ ଆହ୍ବାନ। ଏହି ଅଧିବେଶନକୁ ଉତ୍ସବର ନିର୍ଦ୍ଦେଶିକା ମାଳବିକା ବାନାର୍ଜୀ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର