ସୁବର୍ଣ୍ଣପୁର ଆବାସ ଦୁର୍ନୀତି: ୪ ପୂର୍ବତନ ଅଧିକାରୀଙ୍କୁ ସ୍ପ‌ଷ୍ଟୀକରଣ ମାଗିଲେ ଲୋକାୟୁକ୍ତ

ସମ୍ବଲପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍‌ରେ ହୋଇଥିବା ଆବାସ ଦୁର୍ନୀତି ଘଟଣାରେ ଲୋକାୟୁକ୍ତ ୪ ଜଣ ପୂର୍ବତନ ସରକାରୀ ଅଧିକାରୀ, ଜଣେ ଜନ ପ୍ରତିନିଧିଙ୍କୁ ନୋଟିସ୍ ଜାରି କରି ସ୍ପଷ୍ଟୀକରଣ ମାଗିଛନ୍ତି। ଏହାଛଡ଼ା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବଙ୍କୁ ମଧ୍ୟ ନୋଟିସ୍ କରି ତାଙ୍କ ମତାମତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ମେ’ ୩୦ ତାରିଖ ଦିନ ଲୋକାୟୁକ୍ତଙ୍କ ତଦନ୍ତ ନିର୍ଦ୍ଦେଶକ ବିନିକା ବ୍ଲକ୍ ଚରଦା ପଞ୍ଚାୟତ ଫୁଲମୁଠି ଗାଁ ପରିଦର୍ଶନ କରି ଘଟଣାର ସରଜମିନ ତଦନ୍ତ କରିଥିଲେ। ଏହାପରେ ସେ ଦାଖଲ କରିଥିବା ପ୍ରାରମ୍ଭିକ ତଦନ୍ତ ରିପୋର୍ଟ ଆଧାରରେ ଲୋକାୟୁକ୍ତ ନିଜ ଆଦେଶରେ ୫ ଜଣଙ୍କୁ ନୋଟିସ୍ ଜାରି କରି ୬ ସପ୍ତାହ ମଧ୍ୟରେ ସେମାନଙ୍କ ପକ୍ଷ ରଖିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ନୋଟିସ୍ ଜାରି ହୋଇଥିବା ସରକାରୀ ଅଧିକାରୀମାନେ ହେଲେ ବିନିକାର ପୂର୍ବତନ ବିଡିଓ ତଥା ବର୍ତ୍ତମାନ ଦେବଗଡ଼ ଜିଲ୍ଲା ପରିଷଦରେ କାର୍ଯ୍ୟରତ ବିଶ୍ବରଂଜନ ମଲ୍ଲିକ, ବିନିକାର ପୂର୍ବତନ ବିଡିଓ ତଥା ବର୍ତ୍ତମାନ ତରଭାରେ ଏବିଡିଓ ଥିବା ନିରଂଜନ ନାଏକ, ଚରଦା ପଞ୍ଚାୟତର ପୂର୍ବତନ ପିଇଓ (ଅବସରପ୍ରାପ୍ତ) ଦ୍ବିତିକୃଷ୍ଣ ପଣ୍ଡା, ଏବଂ ଚରଦା ଗ୍ରାମ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ମିତାଞ୍ଜଳି ରଥ। ସେହିପରି ଚରଦା ଗ୍ରାମ ପଞ୍ଚାୟତର ସରପଞ୍ଚ (ପୂର୍ବତନ) ସଦାନନ୍ଦଙ୍କୁ ମଧ୍ୟ ନୋଟିସ୍ ହୋଇଛି। ଆବାସ ଦୁର୍ନୀତି ଓ ଅନିୟମିତତା ଘଟଣାରେ ୬ ସପ୍ତାହ ମଧ୍ୟରେ ସମ‌େସ୍ତ ନିଜନିଜ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆ ଯାଇଛି। ସେହିପରି ଅଗଷ୍ଟ ୧୧ ତାରିଖରେ ଧାର୍ଯ୍ୟ ହୋଇଥିବା ଶୁଣାଣି ଦିନ ବା ତା’ ପୂର୍ବରୁ ନିଜ ମତ ରଖିବାକୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବଙ୍କୁ କହାଯାଇଛି।

ବିନିକା ବ୍ଲକ୍‌ର ଏହି ଆବାସ ଦୁର୍ନୀତି ଗତ ଦୁଇ ବର୍ଷ ଧରି ରାଜ୍ୟର ଏକ ଚର୍ଚ୍ଚିତ ପ୍ରସଂଗ ହୋଇ ରହିଛି। ଏହି ଦୁର୍ନୀତି ବିଭିନ୍ନ ସମୟରେ ଭିନ୍ନଭିନ୍ନ ମୋଡ଼ ନେଇଥିବାବେଳେ ଏହାକୁ ଚାପି ଦେବା ପାଇଁ ବିଭିନ୍ନ ସ୍ତରରେ ଉଦ୍ୟମ ହୋଇଛି। ତେବେ ଏହାକୁ ଉଜାଗର କରିବା ପାଇଁ ବି ବିଭିନ୍ନ କର୍ତ୍ତୃପକ୍ଷଙ୍କ ହସ୍ତକ୍ଷେପ ତଥା ଅଭିଯୋଗକାରୀଙ୍କ ଅବିରତ ଲଢ଼େଇ ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ଜୀବିତ ରଖିଛି। ପଞ୍ଚାୟତସ୍ତରର ଅଧିକାରୀଙ୍କଠାରୁ ଆରମ୍ଭ କରି ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଓ ଲୋକାୟୁକ୍ତଙ୍କ ପର୍ଯ୍ୟନ୍ତ ଏହି ଘଟଣାର ତଦନ୍ତ କରିଛନ୍ତି। ତେବେ ଆରମ୍ଭରୁ ଏହାର ଉପଯୁକ୍ତ ଓ ନିରପେକ୍ଷ ତଦନ୍ତ ହୋଇଥିଲେ ‌ଦୁର୍ନୀତି ବହୁ ପୂର୍ବରୁ ଉଜାଗର ହୋଇ ସାରିଥାଆନ୍ତା ବୋଲି ଅଭିଯୋଗକାରୀଙ୍କ ମତ। କିନ୍ତୁ ଏହା ସତ୍ତ୍ବେ ପକ୍ଷପାତପୂର୍ଣ୍ଣ ରିପୋର୍ଟ ଦେଇଥିବା ଓ ସେମାନଙ୍କୁ ଘଣ୍ଟ ଘୋଡ଼ାଉଥିବା ଅଧିକାରୀମାନଙ୍କ ଉପରେ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇପାରି ନାହିଁ ବୋଲି ସେ କହିଛନ୍ତି। ୨୦୨୦ରେ ସେହି ବିନିକା ବ୍ଲକ୍‌ରେ ହୋଇଥିବା ଆବାସ ଆବଣ୍ଟନର ଅନ୍ୟ ଏକ ଦୁର୍ନୀତି ଧରା ପଡ଼ିବା ପରେ ପଞ୍ଚାୟତିରାଜ ବିଭାଗର ପରାମର୍ଶ କ୍ରମେ, ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ତତ୍କାଳୀନ ବିଡିଓ ସଂପୃକ୍ତ ସମସ୍ତ ଅଧିକାରୀ ଓ ଅଯୋଗ୍ୟ ହିତାଧିକାରୀଙ୍କ ବିରୋଧରେ ଥାନ‌ାରେ ଏତଲା ଦେଇଥିଲେ। ହେଲେ ଏଥର ‌ବିଡିଓ ବା କୌଣସି ଅଧିକାରୀଙ୍କ ତରଫରୁ ଥାନାରେ କୌଣସି ଏତଲା ଦିଆଯାଇ ନାହିଁ।

ଉପରୋକ୍ତ ଆବାସ ଦୁର୍ନୀତି ସଂପର୍କରେ ଅଭିଯୋଗ ହେବା ପରେ ପ୍ରଥମେ ବିନିକା ଏବିଡିଓ ପ୍ରଜ୍ଞା ପାଣିଗ୍ରାହୀ, ବିନିକା ପିଏ ଦ୍ବିତୀକୃଷ୍ଣ ପଣ୍ଡା ଏବଂ ଚରଦା ପଞ୍ଚାୟତର ତତ୍କାଳୀନ ନିର୍ବାହୀ ଅଧିକାରୀ ମିତାଞ୍ଜଳି ରଥ ଏହାର ତଦନ୍ତ କରି ହିତାଧିକାରୀମାନେ ଆବାସ ପାଇବାକୁ ଯୋଗ୍ୟ ଓ ଅଭିଯୋଗ ମିଥ୍ୟା ବୋଲି ରିପୋର୍ଟ ଦେଇଥିଲେ। ଦ୍ବିତୀୟରେ ସୁବର୍ଣ୍ଣପୁର ଏସ୍‌ଡିପିଓ ମାମଲାର ତଦନ୍ତ କରି ସଂପୃକ୍ତ ହିତାଧିକାରୀମାନଙ୍କୁ ଭୂମିହୀନ ଦର୍ଶାଇ ଆବାସ ପାଇବାକୁ ଯୋଗ୍ୟ ବୋଲି ରିପୋର୍ଟ ଦେଇଥିଲେ ଯଦିଓ ଏଭଳି ରିପୋର୍ଟ ଦେବା ପୁଲିସ୍ ବିଭାଗର ଅଧିକାର ପରିସରଭୁକ୍ତ ନୁହେଁ। ହେଲେ ଏହି ମାମଲାରେ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ହସ୍ତକ୍ଷେପ ପରେ ସୋନପୁର ବିଡିଓ, ଜିଲ୍ଲା ପରିଷଦ ଏପିଡି ଏବଂ ବିନିକା ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳ ଅଭିଯୋଗର ତଦନ୍ତ କରାଇଥିଲେ। ଏହି ତଦନ୍ତ ପରେ ହି‌ତାଧିକାରୀମାନେ ଅଯୋଗ୍ୟ ଓ ସେମାନଙ୍କୁ ଆବାସ ଦେବାରେ ଅନିୟମିତତା ହୋଇଥିବା ରିପୋର୍ଟରେ ଉଲ୍ଲେଖ କରା ଯାଇଥିଲା। ପୁନଃନିଶ୍ଚିତ ହେବା ପାଇଁ ଜିଲ୍ଲାପାଳ ସୁବର୍ଣ୍ଣପୁର ଜିଲ୍ଲା ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କ ଦ୍ବାରା ତଦନ୍ତ କରାଇଥିଲେ ସମାନ ରିପୋର୍ଟ ପାଇଥିଲେ।

ଏହାପରେ ତତ୍କାଳୀନ ଜିଲ୍ଲାପାଳ ଭୁଲ ରିପୋର୍ଟ ଦେଇଥିବା ୩ ଅଧିକାରୀଙ୍କ ବିରୋଧରେ ଡ୍ରାଫ୍‌ଟ ଚାର୍ଜ କରିବା ସହ ଅଯୋଗ୍ୟ ହିତାଧିକାରୀଙ୍କଠାରୁ ଅାବାସ ବାବଦ ଅର୍ଥ ଆଦାୟ ପାଇଁ ନିର୍ଦ୍ଦେଶ ଦେଇଥିଲେ ବି କାହା ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ। ପରେ ସଂପୃକ୍ତ ଅଯୋଗ୍ୟ ହିତାଧିକାରୀମାନେ ନିଜକୁ ଯୋଗ୍ୟ ଦର୍ଶାଇ ଆର୍‌ଡିସିଙ୍କ ଦ୍ବାରସ୍ଥ ହୋଇଥିଲେ। ଆର୍‌ଡିସି ନିଜସ୍ତରରରେ ଘଟଣାର ପୁନଃତଦନ୍ତ କରାଇ ଆବାସ ପ୍ରଦାନରେ ଦୁର୍ନୀତି ହୋଇଥିବା ନିଶ୍ଚିତ ହେବା ପରେ ସଂପୃକ୍ତ ଅଯୋଗ୍ୟ ହିତାଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଗତ ଏପ୍ରିଲ ୧୮ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ। ଇତି ମଧ୍ୟରେ ୨ ମାସରୁ ଅଧିକ ବିତିଗଲାଣି। କିନ୍ତୁ ଏବେ ବି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ। ଏ ସଂପର୍କରେ ସୁବର୍ଣ୍ଣପୁରର ନୂଆ ଜିଲ୍ଲାପାଳ ବିମଳେନ୍ଦୁ ରାୟଙ୍କୁ ପଚାରିବାରୁ ସେ ନିକଟରେ ଦାୟିତ୍ବ ଗ୍ରହଣ କରିଥିବାରୁ ଏ ସଂପର୍କରେ ଅବଗତ ନଥିବା କହିଛନ୍ତି। କଣ ହୋଇଛି ବୁଝିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର