ଶେରଗଡ଼:  ପ୍ରଧାନମନ୍ତ୍ରୀ ଆବାସର ଚୂଡ଼ାନ୍ତ ତାଲିକା ପ୍ରକାଶ ପରେ ଏହାକୁ ନେଇ ଗାଁ ଗାଁରେ ଅସନ୍ତୋଷ ଦେଖିବାକୁ ମିଳିଛି। ଫଳରେ ତାଲିକାରେ ଥିବା ଅଯୋଗ୍ୟ ହିତାଧିକାରୀଙ୍କ ନାମକୁ ବାଦ୍ ଦେବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟରେ ଗୁପ୍ତ ଅଭିଯୋଗପତ୍ର ମଗାଯାଇଥିଲା। ଆଉ ଏବେ ଉକ୍ତ ଅଭିଯୋଗକୁ ପଞ୍ଚାୟତସ୍ତରରେ ଯାଞ୍ଚ କରାଯାଇ ଅଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ୍ ଦିଆଯାଉଛି।

Advertisment

ଏହିକ୍ରମରେ ଶେରଗଡ଼ ବ୍ଲକରୁ ଚୂଡ଼ାନ୍ତ ତାଲିକାରେ ନାମ ଥିବା ୧୧୫ ଜଣ ଅଯୋଗ୍ୟ ବିବେଚିତ ହୋଇଥିବା ଜଣାପଡ଼ିଛି। ବ୍ଲକ୍ ଅଧୀନ ଖିରିଡ଼ା ପଞ୍ଚାୟତରୁ ସର୍ବାଧିକ ୯୫ ଜଣଙ୍କ ମଧ୍ୟରୁ ୫୦ ଜଣଙ୍କୁ ଅଯୋଗ୍ୟ ଘୋଷିତ କରାଯାଇ ତାଲିକାରୁ ବାଦ୍ ଦିଆଯାଇଛି। ସୂଚନା ପ୍ରକାରେ, ବ୍ଲକ୍ ଅଧୀନ ମୋଟ ୨୨ଟି ପଞ୍ଚାୟତର ୧୬୯୦ ପରିବାରକୁ ଆବାସ ଯୋଜନାରେ ସାମିଲ କରାଯାଇଥିଲା। ମାତ୍ର ଏଥିରେ ଅନେକ ଅଯୋଗ୍ୟ ରହିଥିବା ଦର୍ଶାଇ ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟ ଓ ଅନଲାଇନ୍ ମାଧ୍ୟମରେ ୧୭୯ ଜଣଙ୍କ ନାମରେ ଅଭିଯୋଗ ଆସିଥିଲା। ଯାହାର ଯାଞ୍ଚ କରି ୧୧୫ ଜଣଙ୍କୁ ଅଯୋଗ୍ୟ ବିବେଚନା କରାଯିବା ସହ ତାଲିକାରୁ ସେମାନଙ୍କ ନାମକୁ କାଟି ଦିଆଯାଇଛି।

ଖିରିଡ଼ା ପଞ୍ଚାୟତରୁ ସର୍ବାଧିକ ୫୦ ଜଣ ଅଯୋଗ୍ୟ ଚିହ୍ନଟ ହୋଇଥିବା ବେଳେ ବନ୍ଧାଗୁଡ଼ାରୁ ୨, ବରମୁଣ୍ଡଳିରୁ ୫, ବ୍ରାହ୍ମଣଛାଇରୁ ୧୧, ଡେଙ୍ଗାପଦରରୁ ୨, ଧବଳପୁରରୁ ୨, କୁଲାଗଡ଼ରୁ ୪, କୁମାରପାଣିରୁ ୧୦ , ମହୁପଦରରୁ ୧୧, ଶେରଗଡ଼ରୁ ୧୪ ଏବଂ ତାକରଡ଼ା ପଞ୍ଚାୟତରୁ ୪ ଜଣ ଅଯୋଗ୍ୟ ଚିହ୍ନଟ ହୋଇଛନ୍ତି।