ପାଲ ତଳେ କଟୁଛି ଜୀବନ, କେବେ ମିଳିବ ଆବାସ?

ଝାଟିମାଟି ଘରେ ମୁଣ୍ଡ ଗୁଞ୍ଜିଛନ୍ତି ୧୦ ପ୍ରାଣୀ କୁଟୁମ୍ବ

ବ୍ରହ୍ମପୁର: ବଡ଼ ମେଡିକାଲ ପାଚେରୀ ପାଲଟିଛି ଘର କାନ୍ଥ। ବଡ଼ ମେଡିକାଲ ପାଚେରୀ ସମ୍ମୁଖରେ ବାଉଁଶ ପୋତି ଦଉଡ଼ି ବାନ୍ଧିଛନ୍ତି। ଟିଣ କି ଛପର ମଧ୍ୟ ନାହିଁ। ଉପରେ ବିଛାଇଛନ୍ତି ଜରି ପାଲ। ପାଲ ଉଡ଼ିଯିବା ଭୟରେ ପୁରୁଣା ଟାୟାରକୁ ତାହା ଉପରେ ପକାଇଛନ୍ତି। ଦି‌ନେ କି ଦୁଇ ଦିନ ନୁହେଁ ବର୍ଷ ବର୍ଷ ବିତିଗଲାଣି। ଛିଣ୍ଡା ଦଦରା ପଲିଥିନ୍ ତଳେ କଟୁଛି ଟୁନିଙ୍କ ଜୀବନ। ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କ୍ୟାନସର ଓ୍ବାର୍ଡ଼ ପଛପଟ ପାଚେରୀକୁ ଲାଗି ରହିଥିବା ସ୍ଥାନରେ ଏଭଳି ଦୟନୀଶ ସ୍ଥିତିରେ ବଞ୍ଚିବାକୁ ସଂଘର୍ଷ କରୁଛନ୍ତି ଟୁନି। ଆବାସ ପାଇଁ ବାରମ୍ବାର ଗୁହାରି କରିଥିଲେ ମଧ୍ୟ ପ୍ରଶାସନ ଆଡ଼ ଆଖିରେ ଚାହୁଁ ନାହାନ୍ତି। ଫଳରେ କର୍ମକୁ ଆଦରି କରି ଖୋଲା ଆକାଶ ତଳେ ପାଲ ତଳେ ମୁଣ୍ଡ ଗୁଞ୍ଜିଛନ୍ତି ଟୁନି।

ଫାଇଲିନ୍‌ ବାତ୍ୟା ବେଳେ ଟିଣ ଉଡ଼ିଗଲା। ଘର ଭିତରେ ପାଣି ପଶି ସବୁ ନଷ୍ଟ ହୋଇଗଲା। ସେତେବେଳର ସେ ଭୟଙ୍କର ଚିତ୍ର ଯେତିକି କଷ୍ଟ ଦେଇ ନଥିଲା ତା’ଠୁ ବଳି ଯାଇଛି ବାତ୍ୟା ପରର ଯନ୍ତ୍ରଣା। ଘର ବୋଲି କିଛି ନଥିବାରୁ ଏମିତି ପାଚେରି କାନ୍ଥ ସାହାରା ପାଲଟିଛି। ଏହି ବଖରାଟିଏ ଘରେ ୧୦ ଜଣ ରହୁଛୁ। ସେହି ଘର କଡ଼ରେ ରୋଷେଇ କରୁଛୁ ଓ ସେଠାରେ ହଁ ଦିନରାତି କଟିଯାଉଛି। ପବନ ହେଲେ ପାଲ ଉଡ଼ିଯାଉଛି ତ ବର୍ଷା ହେଲେ ପାଣି ଗଳୁଛି। ଲଗାଣ ବର୍ଷାରେ ଘରେ ବି ପାଣି ପଶିଯାଉଛି। ବର୍ଷାର ଦୁଃଖ ମନରୁ ନ ଲିଭୁଣୁ ପୁଣି ମାଡ଼ି ଆସିଲାଣି ଶୀତର ଭୟ। ଏଥିସହ କିଛି ଦିନ ହେଲା ପଡ଼ିଛି କାଠୁଆ ଶୀତ। ତଳେ ମାଟି ଚଟାଣ ସାଙ୍ଗକୁ ମୁଣ୍ଡ ଉପରେ ଖଣ୍ଡିଏ ପଲିଥିନ୍। ଏମିତିରେ ଅସହ୍ୟ ଶୀତ ଅନୁଭୂତ ହେଉଛି। ଚାରିପଟେ କାନ୍ଥ ନଥିବାରୁ ପୁରୁଣା ଲୁଗାକୁ ବାନ୍ଧି ଦେଇଛୁ। କିନ୍ତୁ ଶୀତ ଦିନରେ ପତଳା ଲୁଗା କିଛି କାମକୁ ନାହିଁ। ସେହି ଜାଡ଼ ରାତି ସେମିତ ହିଁ କାଟିବାକୁ ପଡ଼ୁଛି। ନିକଟରେ ଅଳିଆଗଦା ଥିବାରୁ ଦୁର୍ଗନ୍ଧରେ ନାକ ଫାଟି ପଡ଼ୁଛି। ରାତିରେ ଅନ୍ଧକାରେ ବାହାରକୁ ଯିବାକୁ ମଧ୍ୟ ଭୟ ଲାଗୁଛି। ସରୀସୃପ ଓ ଜନ୍ତୁକୁ ଡ଼ର ମାଡ଼ୁଛି।


ସରକାରୀ ଯୋଜନା କହିଲେ ମାସିକ ଚାଉଳ କିଛି ମିଳିଯାଉଛି। ସେତିକିରେ କ’ଣ ପରିବାର ଚଳୁଛି। ସ୍ବାମୀଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ପୁଅ, ବୋହୂ, ଝିଅ, ଜ୍ବାଇଁ, ନାତି, ନାତୁଣୀ ଓ ଭଉଣୀକୁ ନେଇ ରହୁଛି। ରୋଜଗାର ବୋଲି ସେମିତି କିଛି ନାହିଁ। ପୁଅ ପଇଡ଼ ବିକ୍ରି କରୁଥିବା ବେଳେ ଜ୍ବାଇଁ ଦିନ ମଜୁରିଆ ଭାବ‌େ କାମ କରୁଛନ୍ତି। କେଉଁ ଦିନ କାମ ମିଳୁଛି ତ କେଉଁ ଦିନ ମିଳୁ ନାହିଁ। କରୋନା କଟକଣାରେ ପୁଅର ପଇଡ଼ ବେପାର ମଧ୍ୟ ବନ୍ଦ ପଡ଼ିଯାଇଥିଲା। ଏଭଳି ସ୍ଥିତିରେ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଛି। ଦୁଇଓଳା ଖାଇବା ଓ ଘର ଖର୍ଚ୍ଚ ଯୋଗାଡ଼ କରିବା କଷ୍ଟସାଧ୍ୟ ବ୍ୟାପାର ହୋଇପଡ଼ିଥିବା ବେଳେ ଘରଟିଏ କିପରି ତିଆରି କରିବି କିଛି ବୁଝାପଡ଼ୁ ନାହିଁ ବୋଲି କୋହଭରା କଣ୍ଠରେ କହିଛନ୍ତି ଟୁନି। ଏହି ଯନ୍ତ୍ରଣା ଆଉ କେତେ ଦିନ ରହିବ? ଆବାସ ଯୋଜନାରେ ପକ୍କା ଘରଟିଏ କେବେ ମିଳିବ ତାକୁ ଚାହିଁ ରହିଛନ୍ତି ଅସହାୟ ଟୁନି।

ସମ୍ବନ୍ଧିତ ଖବର