ଏସ୍‌ଟିଏସ୍‌ସି ବିଭାଗରେ ଟ୍ରେନରଙ୍କ ଦକ୍ଷତା ବୃଦ୍ଧି କର୍ମଶାଳା : ଆବାସିକ ବିଦ୍ୟାଳୟର ମାନବୃଦ୍ଧି କରାଯିବ

ଭୁବନେଶ୍ବର : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ଆବାସିକ ବିଦ୍ୟାଳୟର ସର୍ବନିମ୍ନ ମାନବୃଦ୍ଧି ସହ ଆଇଏସ୍‌ଓ କରିବା ପାଇଁ କ୍ୱାଲିଟି କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ(କ୍ୟୁସିଆଇ) ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ରାଜିନାମା ସ୍ୱାକ୍ଷରିତ ହୋଇଥିଲା। ସେହି ଅନୁଯାୟୀ କ୍ୟୁସିଆଇ ଦ୍ୱାରା ଆବାସିକ ବିଦ୍ୟାଳୟରେ ଏକ ବ୍ୟାପକ ଆକଳନ ତଥା ପର୍ଯ୍ୟା‌ଲୋଚନା କରାଯାଇ ଆବାସିକ ବିଦ୍ୟାଳୟଗୁଡ଼ିକୁ ଆଇଏସ୍‌ଓ ପ୍ରମାଣପତ୍ର ପରିସରଭୁକ୍ତ କରିବା ପାଇଁ ଯୋଗ୍ୟ ବିବେଚିତ କରାଯିବ। ପ୍ରଥମ ପର୍ଯ୍ୟାୟ‌ରେ କେନ୍ଦୁଝରର ୧୮୦ଟି ହଷ୍ଟେଲ୍‌କୁ ଏହି ମିସନରେ ଅନ୍ତର୍ଭୁକ୍ତ କରାଯାଇଛି। ଏହାକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ଡିସେମ୍ବର ୧୦ ଓ ୧୧ରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଗବେଷଣା ଓ ତାଲିମ ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ବିଭାଗ ପକ୍ଷରୁ ଟ୍ରେନରମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଏକ ଦୁଇଦିନିଆ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

ଏହି କର୍ମଶାଳାରେ ଅଂଶଗ୍ରହଣକାରୀଙ୍କ ସହ ହଷ୍ଟେଲ୍‌ ସମ୍ପର୍କିତ ସମସ୍ତ ମାନଦଣ୍ଡ ସମ୍ପର୍କରେ ଆଲୋଚନା କରାଯାଇଥିଲା। ତାଲିମ ଗ୍ରହଣକାରୀମାନେ ସ୍ୱମୂଲ୍ୟାୟନ କରିବେ। କେଉଁଠାରେ ଦୂରତା ରହୁଛି ସେ ବିଷୟରେ ସେମାନଙ୍କୁ ମାର୍ଗଦର୍ଶନ କରାଯିବ। ମାଷ୍ଟର ଟ୍ରେନରମାନେ ହଷ୍ଟେଲ୍‌ ସହିତ ସଂଯୁକ୍ତ ରହିବେ। ହଷ୍ଟେଲ୍‌ର ମାନଦଣ୍ଡକୁ କିପରି ଭାବେ ନିରୂପଣ କରାଯିବ ତା’ଉପରେ ଏକ ଅଣୁ ଯୋଜନା ପ୍ରସ୍ତୁତ କରାଯାଇଛି। କର୍ମଶାଳାରେ ଯୋଗଦେଇ ବିଭାଗୀୟ ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା ଯୋଗଦେଇ ବିଭାଗରେ ଚାଲୁଥିବା କାର୍ଯ୍ୟକ୍ରମ ଏବଂ ସେଗୁଡ଼ିକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ କହିଥିଲେ। ଉଭୟ ଜିଲ୍ଲା ଓ ବିଦ୍ୟାଳୟସ୍ତରରେ ଏହି କାର୍ଯ୍ୟକ୍ରମକୁ ମାଷ୍ଟର ଟ୍ରେନରମାନେ ପରବର୍ତ୍ତୀ ପର୍ଯ୍ୟାୟରେ ତାଲିମ ପ୍ରଦାନ କରିବେ। କେଉଁଠାରେ ବ୍ୟବଧାନ ରହୁଛି, ମାଷ୍ଟର ଟ୍ରେନରମାନେ ତାହାକୁ ଚିହ୍ନଟ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ବିଭାଗୀୟ ନିର୍ଦ୍ଦେଶକ(ଏସ୍‌ଟି) ସଚିନ୍‌ ଆର୍‌. ଯାଦବ ଯୋଗଦେଇ କହିଲେ ଏହାକୁ ନୀତି, ନିୟମ, ସରକାରୀ ନିର୍ଦ୍ଦେଶନାମା ଅନୁସାରେ ଅନୁପାଳନ କରିବା ଜରୁରୀ। କ୍ୟୁସିଆଇର ସିଇଓ ମନିଷ କୁମାର କହିଲେ ଏହି କାର୍ଯ୍ୟକ୍ରମର ସଫଳ ନିମନ୍ତେ କ୍ୟୁସିଆଇର କ୍ଷେତ୍ର ଅଧିକାରୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ହଷ୍ଟେଲ୍‌ଗୁଡ଼ିକୁ ଆଇଏସ୍‌ଓ ମାନକଯୁକ୍ତ କରିବା ଉଦ୍ଦେଶ୍ୟରେ ସ୍ୱମୂଲ୍ୟାୟନ, ତାରତମ୍ୟ ସମୀକ୍ଷା, ପ୍ରତିକାର କୌଶଳ କ୍ଷେତ୍ରରେ ସଂପୂର୍ଣ୍ଣ ସହାୟତା କରାଯିବ। ଏହି ମଡେଲ୍‌ ଏସ୍‌ଏସ୍‌ଡି ବିଭାଗର ସମସ୍ତ ୬ ହଜାର ୫୦୦ ହଷ୍ଟେଲ୍‌ରେ କାର୍ଯ୍ୟକାରୀ ହେବ। ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଗବେଷଣା ଓ ତାଲିମ ପ୍ରତିଷ୍ଠାନର ନିର୍ଦ୍ଦେଶକ, ଉପଦେଷ୍ଟା ତଥା ସ୍ୱତନ୍ତ୍ର ସଚିବ ପ୍ରଫେସର ଅଖିଳ ବିହାରୀ ଓତା କାର୍ଯ୍ୟଖସଡ଼ାରେ ଦର୍ଶାଯାଇଥିବା ବିଭିନ୍ନ ସୂଚକାଙ୍କ ଉପରେ ଗୁରୁତ୍ୱାରୋପ କରିଥିଲେ।

ସମ୍ବନ୍ଧିତ ଖବର