ହାଟଡିହି/ବନ୍ତ: ଝିଅ ଆଗରେ ସ୍ତ୍ରୀଙ୍କୁ କୁରାଢ଼ିରେ ହାଣି ହତ୍ୟା କଲେ ଏବିଡିଓ। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝରଜିଲ୍ଲା ହାଟଡିହି ବ୍ଲକ୍ ନନ୍ଦିପଦା ଥାନା ଅନ୍ତର୍ଗତ ଡଅଁର ଗ୍ରାମରେ। ମୃତ ମହିଳା ହେଲେ ସୁଦେଷ୍ଣା ଜେନା (୪୩)। ହତ୍ୟାକାଣ୍ଡ ଘଟାଇବା ପରେ ଅଭିଯୁକ୍ତ ସ୍ବାମୀ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍ର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ଏବିଡିଓ) ଦେବୀପ୍ରସାଦ ଜେନା ଫେରାର ହୋଇଯାଇଛନ୍ତି।
ସୂଚନା ଅନୁସାରେ, ଦେବୀପ୍ରସାଦଙ୍କ ପରକୀୟା ପ୍ରୀତିକୁ କେନ୍ଦ୍ର କରି ପତ୍ନୀ ସୁଦେଷ୍ଣାଙ୍କ ସହ ତିକ୍ତତା ଲାଗି ରହିଥିଲା। ସେ ପତ୍ନୀ ଓ ପୁଅଝିଅଙ୍କୁ ନିର୍ଯାତନା ଦେବା ସହ ନିଜ ଘରେ ରହିବାକୁ ଦେଉନଥିଲେ। ସୁଦେଷ୍ଣା ବାପଘରେ ରହି ସିଲେଇ କରି ପୁଅଝିଅଙ୍କୁ ପାଠ ପଢ଼ାଉଥିଲେ। କିଛିଦିନ ତଳେ ଦେବୀପ୍ରସାଦ ପତ୍ନୀ ଓ ପୁଅଝିଅଙ୍କୁ ଆଣି ଡଅଁରସ୍ଥିତ ଘରେ ରଖିଥିଲେ। ଗୁରୁବାର ଅପରାହ୍ଣରେ ସେ ଖାଇ ସାରି ବାଡ଼ିରେ ମନ୍ଦାର ଗଛ ଲଗାଇବାକୁ ଝିଅଠାରୁ ଦାଆ ମାଗି ନେଇଥିଲେ। ଏହି ସମୟରେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଶ୍ରୀ ଜେନା ଘରୁ ଏକ କୁରାଢ଼ି ଆଣି ସୁଦେଷ୍ଣାଙ୍କ ବେକକୁ ଚୋଟ ପକାଇଥିଲେ। ଝିଅ ଅଟକାଇବାକୁ ଚେଷ୍ଟା କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ସୁଦେଷ୍ଣା ରକ୍ତ ଜୁଡ଼ୁବୁଡ଼ୁ ହୋଇ ତଳେ ପଡ଼ିଯିବା ପରେ ଶ୍ରୀ ଜେନା ଦୌଡ଼ି ପଳାଇଥିଲେ। ଝିଅର ପାଟି ଶୁଣି ପୁଅ ଓ ପଡ଼ୋଶୀ ଦୌଡ଼ି ଆସି ସୁଦେଷ୍ଣାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଶାଳଣିଆଁ ଓ ପରେ ଭଦ୍ରକ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପୁଅ ସତ୍ୟପ୍ରକାଶ ଜେନା ନନ୍ଦିପଦା ଥାନାରେ କରିଥିବା ଅଭିଯୋଗ ମୁତାବକ ତାଙ୍କ ବାପା ଦେବୀପ୍ରସାଦ ବହୁଦିନରୁ ଅନ୍ୟଜଣେ ମହିଳାଙ୍କ ସହ ସମ୍ପର୍କ ରଖି ସେମାନଙ୍କୁ ଅବହେଳା କରୁଥିଲେ। ତାଙ୍କ ମା’ଙ୍କୁ ନିର୍ଯାତନା ଦେଉଥିଲେ। ଏ ନେଇ ନନ୍ଦିପଦା ଥାନା କେସ୍ ନମ୍ବର ୨୯୪/୨୦୨୫ ରୁଜୁ ହୋଇଛି। ଆନନ୍ଦପୁର ଏସ୍ଡିପିଓ ପ୍ରଶାନ୍ତ ବେହେରା, ନନ୍ଦିପଦା ଥାନା ଆଇଆଇସି ରବୀନ୍ଦ୍ର କୁମାର ପାତ୍ର, ଏସ୍ଆଇ ବଳିଆ ବାରିକ, ଏସ୍ଆଇ ଅରୁପ କର ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିଛନ୍ତି। ଶବ ବ୍ୟବଚ୍ଛେଦ ହୋଇ ଗାଁକୁ ଫେରିବା ପରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଗ୍ରାମବାସୀ ଓ ସୁଦେଷ୍ଣାଙ୍କ ବାପଘର ଲୋକେ ଦାବି କରିଛନ୍ତି।