ସୁନ୍ଦରଗଡ଼/ବାଲିଶଙ୍କରା: ୭ ତାରିଖ (ସୋମବାର) ସନ୍ଧ୍ୟାରେ ଅପହୃତ ହୋଇ ମୁଣ୍ଡ ଜାମିନରେ ଥିବା ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ୍‌ ବ୍ରାହ୍ମଣମରା ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସର୍ବେଶ୍ୱର ଦାଶଙ୍କୁ ଉଦ୍ଧାର କରାଯାଇଛି। ଅଭିଯୋଗ ଆସିବା ପରେ ପରେ ସୁନ୍ଦରଗଡ଼ ଜିଲ୍ଲା ପୁଲିସ ତତ୍ପରତା ଦେଖାଇ ରାତିରେ ଛତିଶଗଡ଼ ତୁମ୍ବଲା ଅଞ୍ଚଳରୁ ଅତି ଚତୁରତାର ସହ ଅପହର୍ତ୍ତାଙ୍କ କବଳରୁ ତାଙ୍କୁ ଉଦ୍ଧାର କରିଛି। ୩ ଅଭିଯୁକ୍ତ ଧରାପଡ଼ିଥିବାବେଳେ ୩ ଜଣ ଫେରାର ହୋଇଯାଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଛତିଶଗଡ଼ କନପଡ଼ାର ଶଙ୍କର ସାହୁ (୪୪), ଘରାପଡ଼ାର ସଞ୍ଜୀବ କୁମାର ପ୍ରଧାନ (୩୦) ଏବଂ ଟିକିଲିପଡ଼ାର ଅଶୋକ ଆପଟ (୪୩)। ସେମାନଙ୍କଠାରୁ ଅପହରଣରେ ବ୍ୟବହୃତ ସ୍କୋର୍ପିଓ ଗାଡ଼ି ଜବତ ହୋଇଛି। ଅପହରଣର ମାତ୍ର କିଛିଘଣ୍ଟା ମଧ୍ୟରେ ପ୍ରଧାନଶିକ୍ଷକଙ୍କ ଉଦ୍ଧାର ଓ ଅଭିଯୁକ୍ତମାନଙ୍କୁ ଗିରଫକରି ସୁନ୍ଦରଗଡ଼ ପୁଲିସ ସାଧାରଣରେ ପ୍ରଶଂସିତ ହୋଇଛି।

Advertisment

ସୋମବାର ପ୍ରଧାନଶିକ୍ଷକ ଶ୍ରୀ ଦାଶ ବିଦ୍ୟାଳୟରୁ ବାଲିଶଙ୍କରାସ୍ଥିତ ଭଡ଼ାଘରକୁ ଫେରୁଥିବାବେଳେ ୩ ଜଣ ଦୁର୍ବୃତ୍ତ ଏକ ସ୍କୋର୍ପିଓରେ ଆସି ତାଙ୍କୁ ଜୋର୍‌କରି ରାସ୍ତାରୁ ଉଠାଇ ନେଇ ମାଡ଼ପିଟ କରିଥିଲେ। ପରେପରେ ତାଙ୍କ ମୋବାଇଲ୍ ଫୋନ୍‌ରେ ତାଙ୍କ ସ୍ତ୍ରୀ ପ୍ରବୀଣାଙ୍କୁ କଲ୍‌କରି ୫ ଲକ୍ଷ ଟଙ୍କା ଦାବି କରିଥିଲେ। ନ ହେଲେ ଶ୍ରୀ ଦାଶଙ୍କୁ ମାରି ଦିଆଯିବ ବୋଲି ଧମକ ଦେଇଥିଲେ। ପ୍ରବୀଣା ଏ ବିଷୟରେ ତୁରନ୍ତ କିଞ୍ଜିରକେଲା ଥାନାକୁ ଜଣାଇଥିଲେ। ଏସ୍‌ପି ପ୍ରତ୍ୟୁଷ ଦିବାକରଙ୍କ ନିର୍ଦେଶରେ କିଞ୍ଜିରକେଲା ଓ ଜିଲ୍ଲା ପୁଲିସର ୨ଟି ଦଳ ତୁରନ୍ତ ଅଭିଯାନ ଆରମ୍ଭ କରିଥିଲେ। ଦୁର୍ବୃତ୍ତମାନେ ପ୍ରବୀଣାଙ୍କ ସହ ଯୋଗାଯୋଗରେ ଥିବାରୁ ସେମାନଙ୍କ ପାଖକୁ ପହଞ୍ଚିବାକୁ ଯୋଜନା କରିଥିଲା ପୁଲିସ। ଯୋଜନା ଅନୁସାରେ ଶ୍ରୀ ଦାଶଙ୍କ ପତ୍ନୀ ଦୁର୍ବୃତ୍ତମାନଙ୍କ ସହ ମୂଲଚାଲ କରି ୧ ଲକ୍ଷ ଟଙ୍କା ଦେବା ପାଇଁ ରାଜି ହୋଇଥିଲେ। ତାଙ୍କ କଥାରେ ଦୁର୍ବୃତ୍ତମାନେ ବିଶ୍ବାସ କରିବା ପରେ ଟଙ୍କା ଧରି ତୁମ୍ବଲା ଅଞ୍ଚଳକୁ ଆସିବାକୁ କହିଥିଲେ।

ସେମାନଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରବୀଣା ନଗଦ ୫୦ ହଜାର ଟଙ୍କା ଅପହରଣକାରୀଙ୍କୁ ତୁମ୍ବଲାର ଏକ ଜଙ୍ଗଲରେ ଦେବାକୁ ଯାଇଥିଲେ। ଦୁର୍ବୃତ୍ତମାନେ ପ୍ରବୀଣାଙ୍କୁ ଭେଟିବା ମାତ୍ରେ ପିଛା କରି ଯାଇଥିବା ପୁଲିସ୍‌ ଦଳ ୩ ଦୁର୍ବୃତ୍ତଙ୍କୁ ମାଡ଼ି ବସିଥିଲେ। ସେମାନଙ୍କ କବଳରୁ ଅପହୃତ ଶ୍ରୀ ଦାଶଙ୍କୁ ଉଦ୍ଧାର କରିଥିଲେ। ଚଢ଼ଉ ସମୟରେ ଅନ୍ୟ ୩ ଜଣ ଫେରାର ହୋଇ ଯାଇଥିବା ସୂଚନା ମିଳିଛି। ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଛି।