ବନ୍ଧୁକ ମୁନରେ ମଦଭାଟି କର୍ମଚାରୀଙ୍କୁ ଅପହରଣ ଘଟଣା: ଝାରସୁଗୁଡ଼ାର ଡି’ ବ୍ରଦର୍ସଙ୍କୁ ପୁଲିସ୍‌ର ଅନୁକମ୍ପା!

ଝାରସୁଗୁଡ଼ା : ବ୍ରଜରାଜନଗର ଥାନା ଚାନ୍ଦିନୀମାଲ ଛକରୁ ସ୍ପଷ୍ଟ ଦିବାଲୋକରେ ମଦଭାଟି କର୍ମଚାରୀ କ୍ରିଷ୍ଣା ତିୱାରୀଙ୍କୁ ଅପହରଣ ଘଟଣାକୁ ଇତିମଧ୍ୟରେ ୧୪ ଦିନ ବିତିଲାଣି। ହେଲେ, ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଅନନ୍ତ ଧଳ ଓରଫ ଭୀମା ସମେତ ୭ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ କାହାକୁ ବି ଗିରଫ କରିପାରିନି ପୁଲିସ। ଉପକୂଳର ଡି’ ବ୍ରଦର୍ସଙ୍କ ଭଳି ଝାରସୁଗୁଡ଼ାରେ କଳା ସାମ୍ରାଜ୍ୟର ପ୍ରତିଷ୍ଠାତା ଏହି ଧଳ ବ୍ରଦର୍ସ ବା ଡି’ ବ୍ରଦର୍ସଙ୍କ ପ୍ରତି ପୁଲିସ୍‌ର ଏତେ ଅନୁକମ୍ପା କାହିଁକି ବୋଲି ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପ୍ର‌ାୟ ୪ ଦଶନ୍ଧି ତଳେ ଗଞ୍ଜାମରୁ ଝାରସୁଗୁଡ଼ାକୁ ଆସିଥିବା ଏହି ଡି’ ବ୍ରଦର୍ସ ଏବେ ଶାସକ ଦଳର ବେଶ୍‌ ନିକଟତର ଭାବେ ଜଣାଶୁଣା। ବ୍ରଜରାଜନଗରରେ କୋଇଲା ମାଫିଆଙ୍କୁ ପ୍ରଥମେ ସମର୍ଥନ ଜଣାଇ ବ୍ୟବସାୟ ଆରମ୍ଭ କରିଥିବା ଏହି ଡି’ ବ୍ରଦର୍ସ ପରେ ସମଗ୍ର କୋଇଲା ଚୋରା ଚାଲାଣ ସାମ୍ରାଜ୍ୟକୁ ନିଜ ଅକ୍ତିଆରକୁ ନେଇଥିଲେ। ୨ ପିଢ଼ି ହେବ ଏହି ପରିବାରର କିଛି ସମସ୍ୟ କୋଇଲା ଚାଲାଣ ଓ ବେଆଇନ ଆସ୍‌ ପରିବହନକୁ ନିଜର ବ୍ୟବସାୟ ଭାବେ ନେଇ ଅଞ୍ଚଳରେ କୋକୁଆ ଭୟ ବି ସୃଷ୍ଟି କରୁଛନ୍ତି। ଏଭଳି ସ୍ଥିତିରେ ପୁଲିସ ମୁଖ୍ୟ ଅଭିଯୁକ୍ତକୁ କାହିଁକି ଗିରଫ କରୁନି ତାକୁ ନେଇ ବି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଭୀମା ଏକ ହତ୍ୟା ମାମଲାରେ ନିକଟରୁ ଜାମିନ୍‌ରେ ମୁକୁଳିଥିଲା। କୋର୍ଟଙ୍କ ଜାମିନ୍‌ ସର୍ତ୍ତ ଅନୁସାରେ ସେ ପ୍ରତି ରବିବାର ଥାନାରେ ହାଜିରା ଦେବା କଥା। ମାତ୍ର ଆଜିକୁ ମିଶାଇ ୨ଟି ରବିବାର ସେ ଥାନାରେ ହାଜିରା ଦେଇନି। କେବଳ ସେତିକି ନୁ‌ହେଁ ବରଂ ଆସନ୍ତା ୩୦ ତାରିଖରେ ହାଇକୋର୍ଟରେ ପୂର୍ବ ମାମଲା ପାଇଁ ଭୀମାକୁ ହାଜିର ହେବାକୁ ବି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ୧୪ ତାରିଖ ସନ୍ଧ୍ୟା ପ୍ରାୟ ୫ଟା ବେଳେ ଦେଶୀ ମଦ ଭାଟିର କର୍ମଚାରୀ କ୍ରୀଷ୍ଣା ତିୱାରିଙ୍କୁ ଚାନ୍ଦିନୀମାଲ ଛକରୁ ଭୀମା ନେତୃତ୍ବରେ ଅପହରଣ କରି ନିଆଯାଇଥିଲା। ସୌଭାଗ୍ୟବଶତଃ କ୍ରୀଷ୍ଣା ଅପହରଣକାରୀଙ୍କ କବଳରୁ ଖସି ଆସିବା ପରେ ତମାମ୍‌ ଘଟଣା ଜଣା ପଡ଼ିଥିଲା।

ସମ୍ବନ୍ଧିତ ଖବର