ଅବଦୁର ରେହମାନକୁ ୪ ଘଣ୍ଟା ପାରୋଲ୍

ମା’ଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେଇ ଚୌଦ୍ବାର ଜେଲ୍‌ ଫେରିଲା

କଟକ-ଜଗତପୁର : ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଅଭିଯୋଗରେ ଗିରଫ ଅବଦୁର ରେହମାନ ମା’ଙ୍କ ଶୁଦ୍ଧିକ୍ରିୟା ପାଇଁ ୪ ଘଣ୍ଟା ପାରୋଲରେ ଆସିଛି। ଦିଲ୍ଲୀ ପଟିଆଲା କୋର୍ଟଙ୍କ ଆଦେଶକ୍ରମେ କଡ଼ା ପୁଲିସ୍ ସୁରକ୍ଷାରେ ଅବଦୁରକୁ ଚୌଦ୍ଵାର ଜେଲରୁ ତାର ଗାଁ ପଶ୍ଚିମକଚ୍ଛ ଘରକୁ ନିଆଯାଇଥିଲା। କଟକ ଜୋନ୍ ୧ ଏସିପି ଅମରେନ୍ଦ୍ର ପଣ୍ଡା, ଜଗତପୁର ଆଇଆଇସି ପ୍ରଦୀପ୍ତ କିଶୋର ନାୟକଙ୍କ ନେତୃତ୍ୱରେ ଏକ ପ୍ଲାଟୁନ ପୁଲିସ୍ ଫୋର୍ସ ମୁତୟନ ଥିଲେ। ପ୍ରଥମେ ଅବଦୁର ପଶ୍ଚିମକଚ୍ଛ ମସଜିଦରେ ପହଞ୍ଚି ନମାଜ ପାଠ କରିବା ପରେ ମାଆଙ୍କ କବରସ୍ଥାନରେ ପହଞ୍ଚି ସମ୍ପର୍କୀୟମାନଙ୍କ ସହିତ ପ୍ରାର୍ଥନା କରିଥିଲେ। ପରେ ନିଜ ଘରକୁ ଯାଇ ପରିବାର ଲୋକଙ୍କ ସହିତ ୪ ଘଣ୍ଟା ବିତାଇଥିଲେ। ପରେ ତାକୁ ଚୌଦ୍ବାର ଜେଲକୁ ଫେରାଇ ଅଣାଯାଇଥିଲା।

ସୂଚନାଯୋଗ୍ୟ ଯେ ୨୦୧୬, ଡିସେମ୍ବର ୧୫ ତାରିଖରେ କଟକ ଜିଲ୍ଲା ଜଗତପୁର ଥାନା ଠାରୁ ୫ କିମି ଦୂର ପଶ୍ଚିମକଚ୍ଛ ଗ୍ରାମରୁ ଅବଦୁରକୁ କମିସନରେଟ୍ ପୁଲିସ୍ ଓ ଦିଲ୍ଲୀ ପୁଲିସର ଏକ ସ୍ବତନ୍ତ୍ର ଟିମ୍ ଗିରଫ କରିଥିଲା। ଅବଦୁର ଅଲକାଏଦା ଇଣ୍ଡିଆନ୍ସ ସବ କଣ୍ଟିନେଣ୍ଟ (ଏ.କ୍ୟୁ.ଆଇ.ଏସ)ର ସଦସ୍ୟ ବୋଲି ଜଣାପଡିଥିଲା। ଗିରଫ ସମୟରେ ଅବଦୁର ପାଖରୁ ମୋବାଇଲ୍, ଟାବଲେଟ୍, ପାସପୋର୍ଟ ଇତ୍ୟାଦି ଜବତ କରାଯାଇଥିଲା। ତାକୁ ଦିଲ୍ଲୀ ନେଇ ଜେରା କରାଯିବା ପରେ ସେଠାରେ ଜେଲ୍‌ରେ ରଖାଯାଇଥିଲା। ପରେ ସେ ଚୌଦ୍ବାର ଜେଲରେ ରହିଆସୁଛି।

ସମ୍ବନ୍ଧିତ ଖବର