କଟକ : ଉଗ୍ରବାଦୀ ସଂଗଠନ ଅଲ୍ କଏଦାର ସଦସ୍ୟ କୁହାଯାଉଥିବା ଅବଦୁର୍ ରହେମାନ୍କୁ ଆଜି କଟକ ଜିଲ୍ଲା ଓ ଦୌରା ଜଜ୍ ସତ୍ୟ ନାରାୟଣ ମିଶ୍ରଙ୍କ ଇଜିଲାସରେ ହାଜର କରାଯାଇଛି। ରହେମାନ ବିରୋଧରେ ବିଚାରାଧୀନ ମାମଲାରେ ଆଜି ସାକ୍ଷ୍ୟ କରାଯିବା ପାଇଁ ଧାର୍ଯ୍ୟ କରାଯାଇଥିଲା। ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲିଥିବାରୁ ମାମଲାର ଶୁଣାଣି ହୋଇ ପାରି ନଥିଲା। ମାର୍ଚ୍ଚ ୧୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଥିବା ବେଳେ ସେ ଦିନ ରହେମାନକୁ ଅଦାଲତରେ ପୁଣି ହାଜର କରାଯିବ। ଆଜି କଡା ସୁରକ୍ଷା ବ୍ୟବସ୍ଥା ଭିତରେ ରହେମାନକୁ ଚୌଦ୍ୱାର ଜେଲରୁ ଅଣାଯାଇ ଅଦାଲତରେ ହାଜର କରାଯାଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ମାମଲାରେ ପୂର୍ବରୁ ଜଗତପୁର ଗୁଜରପୁର ଅଞ୍ଚଳର ସଲିମ ଖାନ୍ ଓରଫ ରମଜାନୀ ହାଜର ହୋଇ ସାକ୍ଷ୍ୟ ପ୍ରଦାନ କରି ସାରିଛନ୍ତି। ସରକାରଙ୍କ ପକ୍ଷରୁ ପବ୍ଲିକ୍ ପ୍ରସିକ୍ୟୁଟର ଅଜିତ କୁମାର ପଟ୍ଟନାୟକ ମାମଲା ପରିଚାଳନା କରୁଛନ୍ତି।
ଏଠାରେ ସୂଚନା ଯୋଗ୍ୟ ଯେ ରହେମାନକୁ ଦିଲ୍ଲୀ ପୁଲିସ କମିସନରେଟ୍ ପୁଲିସ ସହାୟତାରେ ୨୦୧୫, ଡିସେମ୍ବର ୧୬ ତାରିଖରେ ଜଗତପୁର ଥାନା ଅନ୍ତର୍ଗତ ପଶ୍ଚିମକଚ୍ଛରୁ ବିଳମ୍ବିତ ରାତିରେ ଗିରଫ କରିଥିଲା। ଏହା ପରେ ଅବଦୁର ବିରୋଧରେ କ୍ରାଇମବ୍ରାଞ୍ଚ ତଦନ୍ତ କରିଥିଲା। ଅନ୍ଲଫୁଲ ଆକ୍ଟିଭିଟିଜ୍(ପ୍ରିଭେନସନ୍) ଆଇନ, ୧୯୬୭ର ଧାରା ୧୬,୧୭,୧୮,୧୮-ବି,୨୦,୨୧,୩୮,୪୦ ଓ ଆଇପିସିର ଦଫା ୧୨୪-ଏରେ ରହେମାନ ବିରୋଧରେ ଅଦାଲତରେ ଚାର୍ଜଫ୍ରେମ୍ କରାଯାଇଥିଲା।