ସୂଚନା ନଦେବାରୁ ଏବିଇଓଙ୍କୁ ଜରିମାନା

ବେତନଟୀ: ଧାର୍ଯ୍ୟ ସମୟ ମଧ୍ୟାରେ ସୂଚନା ଅଧିକାର ଆଇନ୍‌ ବଳରେ ମଗା ଯାଇଥିବା ତଥ୍ୟ ପ୍ରଦାନ ନକରିବାରୁ ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍‌ର ପ୍ରାକ୍ତନ ଅତିରିକ୍ତ ବ୍ଲକ୍‌ ଶିକ୍ଷାଧିକାରୀ (ଏବିଇଓ)ଙ୍କୁ ୧୫ ହଜାର ଟଙ୍କା ଜରିମାନା କରିଛନ୍ତି ରାଜ୍ୟ ସୂଚନା କମିସନର। ଦାୟିତ୍ବରେ ଅବହେଳା ପାଇଁ କମିସନର ଏବିଓଙ୍କ ଉପରେ କ୍ଷୁବ୍ଧ ହେବାସହ ସେ ଜରିମାନା ନ ଭରିଲେ ଜିଲ୍ଲା ଶିକ୍ଷାଧିକାରୀ ଉକ୍ତ ଟଙ୍କା ଏବିଇଓଙ୍କ ଦରମାରୁ କାଟି ରାଜକୋଷରେ ଜମା କରିବେ ବୋଲି କମିସନ୍‌ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ମୁତାବକ; ବେତନଟୀ ବ୍ଲକ୍‌ ନଣ୍ଡାଶୋଳ ଗ୍ରାମର ରାଧାମୋହନ ମହାନ୍ତ ୨୦୨୦ ମସିହା ଜାନୁଆରୀ ୧୫ ତାରିଖରେ ବେତନଟୀ ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅଧୀନରେ କେତେ କ୍ଲଷ୍ଟର ରହିଛି, କେତେଜଣ ଆଞ୍ଚଳିକ ସାଧନ ସଂଯୋଜକ (ସିଆର୍‌ସିସି) ଅଛନ୍ତି, ସେମାନଙ୍କ ମୂଳ ଚାକିରି କେଉଁ ସ୍କୁଲରେ, ସେ‌ମାନେ କେତେ ସମୟ ଶ୍ରେଣୀରେ ପାଠ ପଢ଼ାଇଛନ୍ତି, ପ୍ରତି କ୍ଲଷ୍ଟର ଅଧୀନରେ କେତେ ସ୍କୁଲ ରହିଛି, ସେହି ସ୍କୁଲଗୁଡିକର ପ୍ରଧାନଶିକ୍ଷକଙ୍କ ନାମ ବାବଦରେ ସବିଶେଷ ତଥ୍ୟ ଇ-ମେଲ୍‌ ମାଧ୍ୟମରେ ଜାଣିବା ପାଇଁ ସୂଚନା ଅଧିକାର ଆଇନ୍‌ ବଳରେ ଆବେଦନ କରିଥିଲେ। ତେବେ ଧାର୍ଯ୍ୟ ସମୟ ମଧ୍ୟରେ ତତତ୍କାଳୀନ ଏବିଇଓ ତଥା ଜନସୂଚନା ଅଧିକାରୀ ବଳରାମ ନାୟକ ତଥ୍ୟ ନଦେବାରୁ ଶ୍ରୀ ମହାନ୍ତ ମାର୍ଚ୍ଚ ୭ ତାରିଖରେ ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ ନିକଟରେ ପ୍ରଥମ ଅପିଲ କରିଥିଲେ।

ତଥାପି କୌଣସି ତଥ୍ୟ ନମିଳିବାରୁ ଓ ପ୍ରଥମ ଅପିଲ୍‌ର ଶୁଣାଣି ନହେବାରୁ ୨୦୨୦ ଜୁଲାଇ ୭ ତାରିଖରେ ସେ ରାଜ୍ୟ ସୂଚନା କମିସନରଙ୍କ ନିକଟରେ ଦ୍ବିତୀୟ ଅପିଲ କରିଥିଲେ। ରାଜ୍ୟ ସୂଚନା କମିସନର ବିକ୍ରମ ସେନାପତି ମାମଲାକୁ ଗ୍ରହଣ କରି ଏକାଧିକ ଶୁଣାଣି ପରେ ଏବିଇଓ ଶ୍ରୀ ନାୟକଙ୍କୁ ୧୫ ହଜାର ଟଙ୍କାର ଜରିମାନା ଦେବାକୁ ରାୟ ଦେଇଛନ୍ତି। ଶ୍ରୀ ନାୟକ ତଥ୍ୟ ନଦେବା ବାବଦ ରଖିଥିବା ଯୁକ୍ତି ଆଦୌ ଗ୍ରହଣଯୋଗ୍ୟ ନୁହେଁ, ଆବେଦନକାରୀ ଇ-ମେଲ୍‌ରେ ତଥ୍ୟ ମାଗିଥିବାରୁ ସହଜରେ ଏହା ପ୍ରଦାନ କରାଯାଇ ପାରିଥାନ୍ତା ବୋଲି କହିଛନ୍ତି ସୂଚନା କମିସନର। ସେ ୩୦ ଦିନ ମଧ୍ୟରେ ଏହି ଅର୍ଥ ପୈଠ ନକଲେ ଜିଲ୍ଲା ଶିକ୍ଷା ଅଧିକାରୀ ଦୁଇଟି କିସ୍ତିରେ ଶ୍ରୀ ନାୟକଙ୍କ ଦରମାରୁ ଏହି ଅର୍ଥ କାଟି ରାଜକୋଷରେ ଜମା କରିବାକୁ ରାୟରେ ଉଲ୍ଲେଖ କରାଯାଇଛି। ସୂଚନାଯୋଗ୍ୟ; ଏବିଇଓ ଶ୍ରୀ ନାୟକ ଏବେ ବାଲେଶ୍ବର ଜିଲ୍ଲା ରେମୁଣା ଏବିଇଓ ଭାବେ କାର୍ଯ୍ୟ କରୁଛନ୍ତି।

ସମ୍ବନ୍ଧିତ ଖବର