କ୍ୟାମେରା ଲେନ୍‌ସରେ ଅଭୟ ଓ ତାଙ୍କ ପୁଅଙ୍କ ବିଳାସପୂର୍ଣ୍ଣ ଜୀବନ

ଖୁସିରେ ପଡ଼ିଲା ଚଡ଼କ

ବିଧାୟକଙ୍କ ଝିଅ ସହ ହୋଇଥାନ୍ତା ବାହାଘର
ଉଦୟପୁରରେ ବୁକିଂ ହୋଇଥିଲା ପ୍ୟାଲେସ୍‌
ବିମାନରେ ଯାଇଥାନ୍ତେ ବରଯାତ୍ରୀ

ଭୁବନେଶ୍ୱର : ସରକାରୀ ଟଙ୍କା ଚଳୁ କରି ନିଜର ସମ୍ପତ୍ତି ବଢ଼ାଇବାରେ ଲାଗି ପଡ଼ିଥିଲେ ଆଇଏଫ୍ଏସ ବାବୁ ଅଭୟକାନ୍ତ ପାଠକ। କଳା ଟଙ୍କାକୁ ଧଳା କରିବାରେ ବାବୁ ମାହିର ଥିଲେ। କେବଳ ବାବୁ ନୁହଁ ତାଙ୍କ ପୁଅଙ୍କୁ ମଧ୍ୟ ଏ କଳା ବେଶ୍ ଜଣା ଥିଲା। ସେଥିପାଇଁ ପୁନେରେ ମାସିକ ପ୍ରାୟ ୫ ଲକ୍ଷ ଟଙ୍କାର ଫ୍ଲାଟ୍ ଓ ୫ ଲକ୍ଷରୁ ଅଧିକ ଟଙ୍କାରେ ଲିଜ୍‌ରେ ନେଇଥିଲେ ଫାର୍ମ ହାଉସ୍। ଜଣେ ବିଧାୟକଙ୍କ ଝିଅ ସହ ଅଭୟକାନ୍ତଙ୍କ ପୁଅ ଆକାଶ କୁମାର ପାଠକଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ସେମାନେ ଅନେକ ସମୟରେ ପୁନେର ଫ୍ଲାଟକୁ ଯିବା ଆସିବା କରୁଥିଲେ। ଆସନ୍ତା ଡିସେମ୍ବର ୧୧ ତାରିଖରେ ଉଭୟଙ୍କର ବିବାହ ସ୍ଥିର ହୋଇଥିଲା। ରାଜସ୍ଥାନର ଉଦୟପୁରରେ ଏକ ପ୍ୟାଲେସରେ ପଡିଥାନ୍ତା ହାତଗଣ୍ଠି। ପ୍ୟାଲେସ ବୁକିଂ ହୋଇ ସାରିଥିଲା। ବରଯାତ୍ରୀଙ୍କ ପାଇଁ ବିମାନ ମଧ୍ୟ ବୁକ୍ ହୋଇ ସାରିଥିଲା। ପୂରା ରାଜକୀୟ ଢଙ୍ଗରେ ହୋଇଥାନ୍ତା ବିବାହ। ୟୁନିଟ୍ ୯ ସ୍ଥିତ ସରକାରୀ ବାସଭବନରେ ଆରମ୍ଭ ହୋଇ ଯାଇଥିଲା ରସମ୍। ଘରେ ଜମିଥିଲା ଭୋଜିଭାତର ଆସର। ସରକାରୀ ଟଙ୍କାରେ ଚାଲିଥିଲା ମଉଜ। ଏହି ଖୁସିର ଆସରରେ କଳାର ବାଦଲ ଯେ ଢାଙ୍କି ହୋଇଯିବ ତାହା କେହି ବିଶ୍ବାସ କରି ନ ଥିଲେ। ଆଜି ହଠାତ୍ ଭିଜିଲାନ୍ସ ରେଡ୍ ପଡ଼ିଥିଲା। ସମ୍ପର୍କୀୟଙ୍କ ଆଗରେ ପାଠକଙ୍କ ପରିବାର ଲୋକଙ୍କ ମୁହଁ କଳା ପଡ଼ି ଯାଇଥିଲା। ବିବାହ ହେବାକୁ ଥିବା ପ୍ୟାଲେସ, ଘରେ ରେଡ୍ କରି ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି ଭିଜିଲାନ୍ସ।

ସାଢ଼େ ୪ କୋଟି ଟଙ୍କାର ବିମାନ ଭଡ଼ା
ଆଲିସାନ୍ ଫ୍ଲାଟରେ ଇଟାଲିଅନ୍ ମାର୍ବଲ, ୬୦ ଲକ୍ଷ ଟଙ୍କା ପଲଙ୍କରେ ଲାଗିଛି ହାତୀ ଦାନ୍ତ
ଭୁବନେଶ୍ୱର :ସବୁ ବେଳେ ଆକାଶରେ ଉଡ଼ିବା ଥିଲା ଆକାଶ ଓ ଅଭୟକାନ୍ତଙ୍କ ସଉକ। ଯେତେବେଳେ ଲକ୍‌ଡାଉନରେ ଲୋକ ଜୁଝୁଥିଲେ ସେତେବେଳେ ମଉଜ କରୁଥିଲେ ପାଠକ ପରିବାର। ବିମାନରେ ବୁଲିବା ଖର୍ଚ୍ଚ ଏବେ ସୁଦ୍ଧା ସାଢ଼େ ୪ କୋଟି ଟଙ୍କା ହେବ ବୋଲି ଭିଜିଲାନ୍ସ ପକ୍ଷରୁ ଆକଳନ କରାଯାଇଛି। ଏହାର ହିସାବ ଚାଲିଥିବା ବେଳେ ଏହି ଟଙ୍କା କିଏ ଦେଇଛି ତାହାର ଖୋଳତାଡ଼ କରାଯାଉଛି ବୋଲି ଜଣେ ଅଧିକାରୀ କହିଛନ୍ତି। ସେହିପରି ଘାଟିକିଆ ବିପୁଲ ଗାର୍ଡେନରେ ଥିବା ଫ୍ଲାଟରେ ଇଟାଲିଅନ୍ ମାର୍ବଲ ଲାଗିଥିବା ଭିଜିଲାନ୍ସ ଜାଣିବାକୁ ପାଇଛି। ଯାହାର ଗୋଟିଏ ବର୍ଗଫୁଟ ମୂଲ୍ୟ ୧ ହଜାର ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ସେହିପରି ୬୦ ଲକ୍ଷ ଟଙ୍କାର ପଲଙ୍କ ମଧ୍ୟ ଠାବ କରିଛି ଭିଜିଲାନ୍ସ। ସେହି ପଲଙ୍କରେ ହାତୀ ଦାନ୍ତ ଲାଗିଥିବା ଜଣାପଡ଼ିଛି। ଘର ଭିତରୁ ହରିଣ ଶିଙ୍ଗ ମଧ୍ୟ ଜବତ କରାଯାଇଛି।

ମିଳିଲାଣି ୨ କୋଟି ଟଙ୍କାର ବିଲ୍
ଭୁବନେଶ୍ୱର :ବିବାହ ପାଇଁ ଅଗ୍ରୀମ ଟଙ୍କା, ପ୍ୟାଲେସ ବୁକିଂ, ବିମାନ ବୁକିଂ, ବିଭିନ୍ନ ସାମଗ୍ରୀ କିଣାକିଣି ବାବଦରେ ଏବେ ସୁଦ୍ଧା ଭିଜିଲାନ୍ସକୁ ପ୍ରାୟ ୨ କୋଟି ଟଙ୍କାର ବିଲ୍ ମିଳିଲାଣି। ପୁନେରେ ଥିବା ଘରୁ ପ୍ରାୟ ୭୫ ଲକ୍ଷ ଟଙ୍କାର ବିଲ୍ ମିଳିସାରିଲାଣି। ତେବେ ଏହି ବିଲ୍‌ ପରିମାଣ ଆହୁରି ବଢ଼ିବ ବୋଲି ଅନୁମାନ କରାଯାଉଛି। ବିଲ୍ ଦେଇଥିବା ସଂସ୍ଥାମାନଙ୍କ ସହ ଭିଜିଲାନ୍ସ ଟିମ୍ ପକ୍ଷରୁ ଯୋଗାଯୋଗ ଆରମ୍ଭ କରାଯାଇଛି। ବିବାହରେ ମୋଟ୍‌ କେତେ ଟଙ୍କା ଖର୍ଚ୍ଚ ହୋଇଛି, ତାହାର ଟିକିନିଖି ହିସାବ ଚାଲିଛି।

ଆଗରେ ପଛରେ ବୁଲୁଥିଲେ ବାଉନ୍ସର
ଭୁବନେଶ୍ୱର : ବିପୁଳ ପରିମାଣର କଳା ଟଙ୍କାକୁ କେମିତି ଉଡ଼େଇବେ ବାପ-ପୁଅଙ୍କୁ ବୁଦ୍ଧିବାଟ ଦିଶୁ ନ ଥିଲା। ଯେମିତି ଟଙ୍କା ଥିଲା ସେମାନଙ୍କ ପାଇଁ ମାଟି ଗୋଡ଼ି। ୭ ବର୍ଷ ପାଇଁ ଚୁକ୍ତି ହୋଇଥିବା ମାସିକ ୫ ଲକ୍ଷ ଟଙ୍କିଆ ଭଡ଼ା ଫ୍ଲାଟ୍, ଫାର୍ମ ହାଉସ୍, ବିମାନରେ ଆକାଶରେ ଉଡ଼ିବା ସେମାନଙ୍କର ଯେମିତି ନିଶା ବନି ଯାଇଥିଲା। ଖାଲି ସେତିକି ନୁହେଁ ଥାଟବାଟ ଚାଲିଚଳଣି ସବୁଥିରେ ଖାଲି ଟଙ୍କା ଆଉ ଟଙ୍କା। ବଲିଉଡ୍ ଷ୍ଟାଇଲରେ ଅଭୟକାନ୍ତଙ୍କ ପୁଅ ଆକାଶ ବାଉନ୍ସର ଧରି ବୁଲୁଥିଲେ। ତା’ ପୁଣି ମୁମ୍ବାଇ ବାଉନ୍ସର (ବଡିଗାର୍ଡ)। ଜଣ ପିଛା ଦିନକୁ ୫ ହଜାର ଟଙ୍କା। ଆକାଶଙ୍କ ପ୍ରେମିକାଙ୍କ ଷ୍ଟାଇଲ୍ କୌଣସି ବଲିଉଡ୍ ହିରୋଇନଙ୍କଠାରୁ କମ୍ ନ ଥିଲା। ତାଙ୍କ ସହ ଏକା ସାଙ୍ଗରେ ଯାଉଥିଲେ ୬ ବାଉନ୍ସର। ସତେ ଯେମିତି ଜଣେ ଭିଭିଆଇପି ଶ୍ରେଣୀର। ପୂରା ସେହି ଷ୍ଟାଇଲରେ ଆପାର୍ଟମେଣ୍ଟ ଭିତରକୁ ପଶୁଥିଲେ ଆଉ ବାହାରୁଥିଲେ। ଆପାର୍ଟମେଣ୍ଟ ବାସିନ୍ଦା କେବଳ ସେମାନଙ୍କୁ ଅନାଉଥିଲେ। ମନରେ ସନ୍ଦେହ ଆସୁଥିଲେ ମଧ୍ୟ କିଛି ପଚାରିବାକୁ ସାହସ କରୁ ନ ଥିଲେ। ଆଜି ଭିଜିଲାନ୍ସ ଚଢ଼ଉ ବେଳେ ଫ୍ଲାଟର ପଡ଼ୋଶୀ ଏ କଥା କହିଛନ୍ତି। ପଡ଼ୋଶୀ ଓଡ଼ିଆ ହୋଇଥିବା ବେଳେ ଗୋଟି ଗୋଟି କରି ସବୁ ତଥ୍ୟ ଭିଜିଲାନ୍ସକୁ ଦେଇଛନ୍ତି। ଅଭୟକାନ୍ତଙ୍କ ସହ ଜଣେ ବାଉନ୍ସର ବୁଲୁଥିବା ଜଣାପଡ଼ିଛି।

ବିବାହ ପୂର୍ବରୁ ତାରକା ହୋଟେଲରେ ଭୋଜି
ଭୁବନେଶ୍ୱର : ଆକାଶ ଓ ବିଧାୟକଙ୍କ ଝିଅ ବିବାହ ଉତ୍ସବ ପୂର୍ବରୁ ରାଜଧାନୀର ଏକ ତାରକା ହୋଟେଲରେ ଗତ ୭ଦିନ ଧରି ଭୋଜି ଚାଲିଥିଲା। ଏହି ଭୋଜିରେ ବର ଏବଂ କନ୍ୟା ପରିବାର, ସମ୍ପର୍କୀୟ, ବନ୍ଧୁବାନ୍ଧବ ଯୋଗ ଦେଇଥିବା କୁହାଯାଉଛି। ରାଜସ୍ଥାନରେ ବିବାହ ହେଉଥିବା ବେଳେ ସମସ୍ତେ ଯୋଗ ଦେବା ସମ୍ଭବପର ହେଉ ନ ଥିବାରୁ ହୋଟେଲରେ ଭୋଜିର ଆୟୋଜନ କରା ଯାଇଥିଲା। ଏ ବାବଦରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଭିଜିଲାନ୍ସ ଅଧିକ ଖୋଳତାଡ଼ ଚଳାଇଛି। ବହୁ ନାମୀଦାମୀ ଲୋକ ଏହି ବିବାହ ଉତ୍ସବରେ ଯୋଗ ଦେଇଥିଲେ। ତଦନ୍ତ ଶେଷ ହେବା ପରେ ପୂରା ହିସାବ ଜଣାପଡ଼ିବ ବୋଲି ଜଣେ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର