ଭିଜିଲାନ୍ସ କୋର୍ଟରୁ ଜାମିନ ପାଇଲେ ଆଇଏଫ୍‌ଏସ୍‌ ଅଭୟ ପାଠକ ଓ ପୁଅ ଆକାଶ, ଆହୁରି ଜେଲରେ ବିତିବ ଦିନ!

ଭୁବନେଶ୍ବର: ବହୁଚର୍ଚ୍ଚିତ ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକ ଓ ତାଙ୍କର ପୁଅ ଆକାଶ ପାଠକଙ୍କୁ ଭିଜିଲାନ୍ସ କୋର୍ଟରୁ ମଙ୍ଗଳବାର ଜାମିନ ମିଳିଛି। ଉଭୟ ବାପ-ପୁଅଙ୍କୁ ଭିଜିଲାନ୍ସ କୋର୍ଟ ଜାମିନ ମଂଜୁର କରିଛନ୍ତି। ଗିରଫ ହେବାର ୬୦ ଦିନ ମଧ୍ୟରେ ଚାର୍ଜସିଟ୍‌ ଦାଖଲ ହୋଇ ନପାରିବାରୁ କୋର୍ଟ ଜାମିନ ଦେଇଛନ୍ତି। ଉଭୟ ବାପ-ପୁଅ ଗତ ନଭେମ୍ବର ୨୭ ତାରିଖରେ ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିଲେ। ଧାର୍ଯ୍ୟ ସମୟସୀମା ମଧ୍ୟରେ ଚାର୍ଜସିଟ୍ ଦାଖଲ ନ ହୋଇ ପାରିବାରୁ ସିଆରପିସି ଧାରା -୧୬୭(୨)ରେ ଉଭୟଙ୍କୁ ଜାମିନ ମିଳିଛି। ଅଭୟକାନ୍ତ ଓ ଆକାଶ ପାଠକଙ୍କୁ ମିଳିବା ନେଇ ତାଙ୍କର ଓକିଲ ଅରୂପ ଚାନ୍ଦ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ପାଠକଙ୍କ ଲିଙ୍କରେ ରାଜ୍ୟ ଓ ରାଜ୍ୟ ବାହାରେ ପ୍ରାୟ ୧୫୦ ଜଣ ଭିଜିଲାନ୍ସ ଅଫିସର ସାମିଲ ଥିଲେ। ଏହି ଅଧିକାରୀମାନେ ରାଜ୍ୟ ଓ ରାଜ୍ୟ ବାହାରେ (ବିହାର ଓ ମହାରାଷ୍ଟ୍ର) ଏକକାଳୀନ ଚଢ଼ାଉ କରିଥିଲେ, ଯାହାକି ରାଜ୍ୟ ଇତିହାସରେ ଥିଲା ସବୁଠୁ ବଡ଼ ଚଢ଼ାଉ। ‌ଅତର୍କିତ ଚଢ଼ାଉ କରି ଅଭୟ ପାଠକ ଓ ଆକାଶ ପାଠକଙ୍କୁ ଗିରଫ କରାଯାଇଥିଲେ ବି ଭିଜିଲାନ୍ସ ଚାର୍ଜସିଟ ଦାଖଲ କରିପାରି ନଥିଲା। ଉଭୟ ବାପ-ପୁଅଙ୍କୁ ଜାମିନ ମିଳିଥିଲେ ବି ‌ଏବେ ସେମାନେ ଜେଲରୁ ବାହାରି ପାରିବେ ନାହିଁ। କାରଣ ଭିଜିଲାନ୍ସ ମାମଲାରୁ ଜାମିନ ମିଳିଥିଲେ ବି ସେମାନଙ୍କ ନାଁରେ କ୍ରାଇମବ୍ରାଞ୍ଚ ମାମଲା ରହିଛି।

ସୂଚନାଯୋଗ୍ୟ, ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବରିଷ୍ଠ ଆଇଏଫଏସ୍ ଅଧିକାରୀ ତଥା ରାଜ୍ୟର ଅତିରିକ୍ତ ପିସିସିଏଫ୍ ଅଭୟକାନ୍ତ ପାଠକ ଏବଂ ତାଙ୍କର ପୁତ୍ର ଆକାଶ ପାଠକଙ୍କୁ ଗିରଫ କରିଥିଲା ଭିଜିଲାନ୍ସ। ଅଭୟକାନ୍ତଙ୍କର ରାଜ୍ୟ ଓ ରାଜ୍ୟ ବାହାରେ ଥିବା ବିଭିନ୍ନ ଘର, ଫାର୍ମ ହାଉସ୍ ଓ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ କରି ସଂପତ୍ତି ଯାଞ୍ଚ କରିଥିଲା। ୨୦୨୦ ନଭେମ୍ବର ୨୭ ତାରିଖରେ ଭିଜିଲାନ୍ସ ଅଭୟକାନ୍ତ, ଆକାଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଭିଜିଲାନ୍ସର ଚଢାଉ ସମୟରେ ବାବୁ ଅଭୟକାନ୍ତ ପାଠକଙ୍କଠାରୁ ଯେଉଁ ସମ୍ପତ୍ତି ଜବତ ହୋଇଥିଲା, ତାରା ତାଲିକା ବେଶ ଲମ୍ବା ଥିଲା । ଭୁବନେଶ୍ୱର, ମୁମ୍ବାଇ, ପୁନେ, ଉଦୟପୁରରେ ଏହି ଚଢାଉ ସମୟରେ ଘରୁ ମିଳିଛି ପ୍ରାୟ ୬୦ଲକ୍ଷ ଟଙ୍କା ନଗଦ । ୮୦୦ଗ୍ରାମର ସୁନା ଅଳଙ୍କାର ମିଳିବା ସହିତ ୨୩ ଲକ୍ଷ ଟଙ୍କାର ସୁନାଗହଣା କିଣାଯାଇଥିବାର କାଗଜପତ୍ର ଜବତ ହୋଇଥିଲା ।

ସମ୍ବନ୍ଧିତ ଖବର