ରିମାଣ୍ଡ ଅବଧି ଶେଷ ହେବା ପରେ କୋର୍ଟରେ ହାଜର ହେଲେ ପାଠକ ବାପ-ପୁଅ

ମୁଁ ଟାଟାରେ ଚାକିିରି କରୁଥିଲି, ଏବେ କମ୍ପାନି ମୋତେ ସାହାଯ୍ୟ କରୁନାହିଁ: ଆକାଶ ପାଠକ

ଭୁବନେଶ୍ବର: ସରିଲା ପାଠକ ବାପ-ପୁଅଙ୍କ ରିମାଣ୍ଡ ଅବଧି । ରିମାଣ୍ଡ ଅବଧି ସରିବା ପରେ ଉଭୟ ବାପ-ପୁଅଙ୍କୁ ଭୁବନେଶ୍ବରରେ କୋର୍ଟରେ ହାଜର କରାଯାଇଛି । ୩ ଦିନିଆ ରିମାଣ୍ଡରେ ନେଇ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କୁ ଘନଘନ ଜେରା କରିଥିଲା ଭିଜିଲାନ୍ସ । ଉଭୟ ବାପ, ପୁଅଙ୍କର ଆଜି ସ୍ୱାସ୍ଥ୍ୟ ପରୀକ୍ଷା ପରେ କଟକରୁ ଦୁଇଟି ଅଲଗା ଗାଡ଼ିରେ ଅଣାଯାଇ କୋର୍ଟରେ ହାଜର କରାଯାଇଛି । ତେବେ ଅଧିକ ପଚରାଉଚରା ଲାଗି ପୁଣି ସେମାନଙ୍କୁ ରିମାଣ୍ଡରେ .ନେବା ଲାଗି ଭିଜିଲାନ୍ସ ପକ୍ଷରୁ ଆବେଦନ କରାଯାଇପାରେ। ପାଠକ ବାପ-ପୁ୍‌ଅ ଓ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ସାମ୍ନାସାମ୍ନି ଜେରାର ସମ୍ଭାବନା ବି ରହିଛି।

ଆର୍ଥିକ କାରବାର ଓ ଠକେଇ ନେଇ ଅଭୟକାନ୍ତ ପାଠକ ଓ ଆକାଶ ପାଠକଙ୍କୁ ଜେରା କରାଯାଇଥିଲା । ଗତକାଲି ଜେରା ବେଳେ ଆକାଶ ଟାଟା ମୋଟର୍ସରେ ଚାକିରି କରି ନଥିବା ନେଇ ସ୍ୱୀକାର କରିଥିଲେ ମଧ୍ୟ ଆଜି କୋର୍ଟରେ ନିଜର କଥା ବଦଳାଇଛନ୍ତି। ମୁଁ ଟାଟାରେ ଚାକିିରି କରୁଥିଲି, ଏବେ କମ୍ପାନି ମୋତେ ସାହାଯ୍ୟ କରୁନାହିଁ। ଆମ ବିରୋଧରେ ଷଡ଼ଯନ୍ତ୍ର କରାଯାଇଛି। ବାହାରକୁ ଆସିବା ପରେ ସବୁ ପ୍ରମାଣ ଦେବି ବୋଲି କହିଛନ୍ତି ଆକାଶ। ତେବେ ଅଧିକ ତଥ୍ୟ ପାଇଁ ଭିଜିଲାନ୍ସ ଆକାଶ ପାଠକଙ୍କ ବ୍ୟକ୍ତିଗତ ସଚିବ ଡେଭିଡ ପିଟରଙ୍କୁ ଅଜଣା ସ୍ଥାନରେ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।

ଗତକାଲି ନିଲମ୍ବିତ ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠକଙ୍କ ପୁଅ ତଥା ଟାଟା କମ୍ପାନିରେ ଚାକିରି କରାଇବା ଆଳରେ ଟଙ୍କା ଆଦାୟ କରିଥିବା ଆକାଶ କୁମାର ପାଠକଙ୍କର ଭୁବନେଶ୍ବର ଓ ପୁନେରେ ଥିବା ବ୍ୟାଙ୍କ ଆକାଉଣ୍ଟରେ  ଆହୁରି ୧.୪୭ କୋଟି ଟଙ୍କା ଜମା ଥିବା ଜଣାପଡ଼ିଥିଲା । ଆକାଶ ପାଠକଙ୍କର ଆଉ କେଉଁଠି ଆକାଉଣ୍ଟ ଅଛି ତାହାର ମଧ୍ୟ ଖୋଳତାଡ଼ ଜାରି ରହିଛି।  ଏହା ବ୍ୟତୀତ ଅଭୟକାନ୍ତ ପାଠକ ଏବଂ ଆକାଶ କୁମାର ପାଠକଙ୍କ ହସ୍ତାକ୍ଷର ଯାଞ୍ଚ କରାଯାଉଛି। ସିସିଟିଭି ଫୁଟେଜ ଏବଂ ଜବତ କାଗଜପତ୍ରଗୁଡିକର ଯାଞ୍ଚ ପ୍ରକ୍ରିୟା ଚାଲିଥିବା ନେଇ ଭିଜିଲାନ୍ସ ପକ୍ଷରୁ କୁହାଯାଇଥିଲା।

ସମ୍ବନ୍ଧିତ ଖବର